ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆସନ୍ତୁ ବଲିଉଡରେ ହଟଚମଟ ସୃଷ୍ଟି କରିଥିବା ୨୦୧୮ର କେତେକ ମୁଖ୍ୟ ଘଟଣା ଉପରେ ନଜର ପକାଇବା।
‘ମିଠୁ’ ମାମଲା
୨୦୧୮ର ସବୁଠାରୁ ବଡ଼ ବିବାଦ ଥିଲା ‘ମିଠୁ’ ମାମଲା। ପ୍ରଥମେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଅଭିନେତା ନାନା ପାଟେକର ତାଙ୍କୁ ‘ହର୍ଣ୍ଣ ଓକେ ପ୍ଲିଜ୍’ ଫିଲ୍ମର ସୁଟିଂ ସେଟ୍ରେ ଯୌନ ଶୋଷଣ କରିଥିବାର ଅଭିଯୋଗ ଆଣିଥିଲେ। ତା’ପରେ ବହୁ ସେଲିବ୍ରିଟି ସେମାନଙ୍କ ଉପରେ ହୋଇଥିବା ଯୌନ ଶୋଷଣର ଅଭିଯୋଗ ଆଣି ‘ମିଠୁ’ ମାମଲାକୁ ଗରମ କରିଥିଲେ।
ଲେଖିକା ତଥା ପ୍ରଯୋଜିକା ବିନୀତା ନନ୍ଦ ଅଭିନେତା ଆଲୋକ ନାଥଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ। ଖ୍ୟାତନାମା ନିର୍ଦ୍ଦେଶକ ସାଜିଦ୍ ଖାନ୍ଙ୍କ ବିରୋଧରେ ‘ମିଠୁ’ ଅଭିଯୋଗ ଆସିବା ପରେ ତାଙ୍କୁ ଇଣ୍ଡିଆନ୍ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଡିରେକ୍ଟରସ ଆସୋସିଏସନ୍ ପକ୍ଷରୁ ଏକବର୍ଷ ପାଇଁ ନିଲମ୍ବିତ କରାଯାଇଛି। ଏହି ବିବାଦରେ ଫସିବା ପରେ ନାନା ପାଟେକର ଓ ସାଜିଦ୍ ଖାନଙ୍କୁ ଫିଲ୍ମ ‘ହାଉସଫୁଲ-୪’ରୁ ଆଉଟ୍ କରାଯିବା ଘଟଣା କିଛି କମ୍ ବିବାଦୀୟ ନଥିଲା।

‘ମିଠୁ’ ବିବାଦରେ ଛନ୍ଦି ହେବା ପରେ ନିର୍ଦ୍ଦେଶକ ବିକାଶ ବହଲଙ୍କୁ ରିତିକ ରୋଶନଙ୍କ ଫିଲ୍ମ ‘ସୁପରଥାର୍ଟି’ରୁ ଆଉଟ୍ କରାଯାଇଥିଲା। ଶୋ’ ମ୍ୟାନ୍ ସୁଭାଷ ଘାଇ ବି ଏହି ବିବାଦରେ ଛନ୍ଦି ହୋଇଥିଲେ। କଣ୍ଠଶିଳ୍ପୀ କୈଳାସ ଖେର ଓ ସଙ୍ଗୀତ ଅନୁମଲ୍ଲିକ ବି ଏହି ପ୍ରସଙ୍ଗରେ ବିବାଦୀୟ ହୋଇଥିଲେ। ଏହି କାରଣରୁ ଅନୁ ମଲ୍ଲିକଙ୍କୁ ଇଣ୍ଡିଆନ୍ ଆଇଡଲ୍ ଶୋ’ରୁ ବିଦା କରାଯାଇଥିଲା।
ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ବିରୋଧରେ ମଧ୍ୟ ହେଆର ଷ୍ଟାଇଲିଷ୍ଟ ସପ୍ନା ଭବନାନି ସମାନ ଅଭିଯୋଗ ଆଣିଥିଲେ। ଠିକ୍ ସେହିପରି ଜଣାଶୁଣା ନିର୍ମାତା ଭୂଷଣ କୁମାର, ଅଭିନେତା ପିୟୁଷ ମିଶ୍ରା, ରଜତ କପୁରଙ୍କ ବିରୋଧରେ ବି ଯୌନ ଶୋଷଣର ଅଭିଯୋଗ ବଲିଉଡରେ ଚର୍ଚ୍ଚାର ବିଷୟ ପାଲିଟିଥିଲା।
ଜିତେନ୍ଦ୍ରଙ୍କ ନାଆଁରେ ଦୁଷ୍କର୍ମ ଅଭିଯୋଗ
ବଲିଉଡର ପୁରୁଖା ଅଭିନେତା ଜିତେନ୍ଦ୍ରଙ୍କ ନାଆଁରେ ତାଙ୍କର ଜଣେ କଜିନ୍ ଦୁଷ୍କର୍ମର ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ ଆଣିଥିଲେ ଯେ ପ୍ରାୟ ୪୭ ବର୍ଷ ତଳେ ଜିତେନ୍ଦ୍ର ତାଙ୍କୁ ଏକ ହୋଟେଲ କୋଠରୀରେ ଦୁଷ୍କର୍ମ କରିଥିଲେ। ତେବେ ଜିତେନ୍ଦ୍ର ଏଭଳି ଅଭିଯୋଗକୁ ଅସ୍ୱୀକାର କରିଥିଲେ।
ସଲମାନ୍ ଖାନ୍ – ‘ଭାରତ’- ପ୍ରିୟଙ୍କା ଚୋପ୍ରା ବିବାଦ

ବଲିଉଡର ଦବଙ୍ଗ ଷ୍ଟାର ସଲମାନ୍ ଖାନ୍ଙ୍କ ଫିଲ୍ମ ‘ଭାରତ’ରେ ପ୍ରଥମେ ନାୟିକା ଭାବେ ପ୍ରିୟଙ୍କା ଚୋପ୍ରାଙ୍କୁ ନିଆଯାଇଥିଲା। ହେଲେ ଫିଲ୍ମର ସୁଟିଂ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ପ୍ରିୟଙ୍କା ଚୋପ୍ରା ‘ଭାରତ’ ଛାଡ଼ିଥିଲେ। ଏହାକୁ ନେଇ ସଲମାନ୍ ଉତକ୍ଷିପ୍ତ ହୋଇଥିଲେ। ପ୍ରିୟଙ୍କା ଚୋପ୍ରା ଏହାକୁ ନେଇ ବିବାଦରେ ଫସିଥିଲେ।
ସଲମାନ୍ ଖାନ୍ଙ୍କ ହତ୍ୟା ଧମକ
ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନ୍ ଖାନ୍ଙ୍କୁ ଯୋଧପୁରରେ ହତ୍ୟା କରିବାର ଧମକ ଦେଇଥିଲା। ଏହି ଖବର କିଛି କମ୍ ହଟଚମଟ ସୃଷ୍ଟି କରିନଥିଲା।
ପହଲାଜ୍ ନିହାଲନୀ ଓ ରଙ୍ଗିଲା ରାଜା ବିବାଦ
ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ (ସିବିଏଫସି)ର ପୂର୍ବତନ ଅଧ୍ୟକ୍ଷ ତଥା ନିର୍ମାତା ପହଲାଜ୍ ନିହାଲନୀ ତାଙ୍କର ନୂଆ ସିନେମା ‘ରଙ୍ଗିଲା ରାଜା’କୁ ନେଇ ବିବାଦରେ ରହିଥିଲେ। ଏହି ଫିଲ୍ମକୁ ୨୦ଟି କଟ୍ ଦେଇ ସେନ୍ସର ପାସ୍ କରିଥିଲା।
‘ଅୟାରି’ ଓ ପ୍ରତିରକ୍ଷା ମନ୍ତ୍ରାଳୟର ବିବାଦ

ସିଦ୍ଧାର୍ଥ ମଲହୋତ୍ରା ଷ୍ଟାରର ମୁଭି ‘ଆୟାରି’ ରିଲିଜ୍ ହେବାର କିଛି ଦିନ ଆଗରୁ ବିବାଦରେ ଫସିଥିଲା। ଏହି ଫିଲ୍ମକୁ ପ୍ରତିରକ୍ଷା ମନ୍ତ୍ରାଳୟ ଦେଖିବା ପରେ ସେଥିରେ କେତେକ ପରିବର୍ତ୍ତନ ଲାଗି ନିର୍ଦ୍ଦେଶ ଦେଇଥିଲେ।
ଉଦିତା ଗୋସ୍ୱାମୀ – ମୋହିତ ସୁରି କଲ୍ ରେକର୍ଡ ବିବାଦ
ବଲିଉଡ ନାୟିକା ଉଦିତା ଗୋସ୍ୱାମୀ ତାଙ୍କ ସ୍ୱାମୀ ତଥା ନିର୍ଦ୍ଦେଶକ ମୋହିତ ସୁରିଙ୍କ କଲ ରେକର୍ଡ ଯାଞ୍ଚ କରିବା ମାମଲାରେ ବିବାଦରେ ଫସିଥିଲେ।








