ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷ ୨୦୧୯କୁ ସ୍ୱାଗତ କରିବା ଲାଗି କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ସମସ୍ତେ ଜିରୋ ନାଇଟକୁ ସେଲିବ୍ରେଟ କରିବା ମୁଡରେ ଅଛନ୍ତି। ଆଉ ସେଥିଲାଗି କେତେ କଣ ପ୍ରସ୍ତୁତି। ପ୍ରାୟତଃ ସମସ୍ତେ ଜିରୋ ନାଇଟ୍ ସେଲିବ୍ରେସନ ହୋଟେଲ, କ୍ଲବ ଅବା ପବ୍ରେ କରିବାକୁ ପସନ୍ଦ କରନ୍ତି। ଗ୍ରାହକଙ୍କ ପସନ୍ଦକୁ ନଜରରେ ରଖି ହୋଟେଲ ମାନଙ୍କ ପକ୍ଷରୁ ବିଭିନ୍ନ ଆକର୍ଷଣୀୟ ଅଫର ବି ଦିଆଯାଉଛି। ଟ୍ୱିନ୍ସିଟ୍ରେ କମିଶନରେଟ ପୋଲିସ ପକ୍ଷରୁ ଅନେକ କିଛି ପଦକ୍ଷେପ ନିଆଯାଇଛି।
ବିଭିନ୍ନ ହୋଟେଲ ଓ କ୍ଲବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ତେବେ ଜିରୋ ନାଇଟ ସେଲିବ୍ରେସନ ସମୟରେ ଯେମିତି କୌଣସି ପ୍ରକାରର ଅପ୍ରୀତିକର ଘଟଣା ନ ଘଟେ ସେଥିପାଇଁ କମିଶନରେଟ ପୋଲିସ ପକ୍ଷରୁ କଡା ନଜର ରଖାଯାଇଛି। ସହରର ବିଭିନ୍ନ ଛକ, ହୋଟେଲ, ରେଷ୍ଟୁରାଣ୍ଟ ରେ ପାଖାପାଖି ୧୮ପ୍ଲାଟୁନ ପୋଲିସ ମୁତୟନ ହେବେ ବୋଲି କମଶନର କହିଛନ୍ତି।
ଏହା ସହିତ ବିଭିନ୍ନ ଛକରେ ବ୍ଲକିଂ ଓ ଚେକିଂ କରାଯିବ। ସାଧା ପୋଷାକରେ ପୋଲିସ ତାରକା ହୋଟେଲ ଓ କ୍ଲବ ଉପରେ ନଜର ରଖିବେ। ଜିରୋ ନାଇଟ ଲାଗି କେବଳ ଅଧଘଣ୍ଟା ବାଣ ଫୁଟାଇବା ଲାଗି ପୋଲିସ ପକ୍ଷରୁ ଅନୁମତି ମିଳିଛି। ରାତି ୧୧.୫୫ରୁ ୧୨.୨୫ ପର୍ଯ୍ୟନ୍ତ ଲୋକେ ବାଣ ଫୁଟାଇ ନୂତନ ବର୍ଷକୁ ସେଲିବ୍ରେଟ କରିପାରିବେ।