ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆସୁଛନ୍ତି ବାରିପଦା। ୪ ହଜାର ୫୦୦ କୋଟି ଟଙ୍କାର ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ। ଏହା ସମ୍ପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ। ହେଲେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପୁରୀରେ ମହିଳା ସମାବେଶ ଥିବାରୁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସ୍ମାର୍ଟ ଫୋନ ପ୍ରଦାନ କରିବେ।

ଏସ୍‌ଏଚ୍‌ଜି ଗ୍ରୁପର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାରୁ ବାରିପଦା ଯିବେନି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବରୁ ପ୍ରଧାନମନ୍ତ୍ରୀ ଯେତେଥର ସରକାରୀ କାର୍ଯ୍ୟକ୍ରମରେ ଓଡ଼ିଶା ଗସ୍ତରେ ଆସିଛନ୍ତି ସବୁଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଛି।

ତାଳଚେର ସାର କାରଖାନାର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ, ଝାରସୁଗୁଡ଼ା ଏୟାରପୋର୍ଟ ଲୋକାର୍ପଣ ଏବଂ ଖୋର୍ଦ୍ଧା ଅରୁଗୁଳଠାରେ ହୋଇଥିବା ଲୋକାର୍ପଣ କାର୍ଯ୍ୟକ୍ରମରେ ନବୀନ ଏବଂ ମୋଦିଙ୍କୁ ଏକାଠି ଦେଖିବାକୁ ମିଳିଥିଲା।

ଖୋର୍ଦ୍ଧା ସମାବେଶର ଦିନକ ପରେ ବିଜେଡି ପାଳିଥିଲା ୨୧ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ନବୀନ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ କରିଥିଲେ। ଏହାପରେ ବିଜେପି ଏବଂ ବିଜେଡି ଭିତରେ ଆରମ୍ଭ ହୋଇଥିଲା ଆରୋପ ପ୍ରତ୍ୟାରୋପ।

ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ୍ ରହିଥିବା ବେଳେ ଶନିବାର ବାରିପଦା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ନହେବାକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

Comment