ଓଡ଼ିଶାଲାଇଭ୍ ବ୍ୟୁରୋ

- ଆର୍ଥିକ ପରିଚାଳନାରେ ରାଜ୍ୟ ସରକାରଙ୍କୁ ପ୍ରଶଂସା
- ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଆଗରେ
- ରାଜ୍ୟର ମୁଣ୍ଡପିଛା ଆୟ ବଢ଼ିଛି
- ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଲେ
ଓଡ଼ିଶା ସରକାରଙ୍କ ଆର୍ଥିକ ପରିଚାଳନା ଏବଂ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାକୁ ପ୍ରଶଂସା କରିଛନ୍ତି ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦ କିଶୋର ସିଂ। ଭୁବନେଶ୍ଵରରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିକୁ ସେ ପ୍ରଶଂସା କରିଛନ୍ତି।
“ଓଡ଼ିଶାରେ ସ୍ଥିର ସରକାର ଥିବାରୁ ରାଜ୍ୟର ଅଭିବୃଦ୍ଧି ହେଉଛି। କେନ୍ଦ୍ର ସରକାର ଦେଉଥିବା ଅନୁଦାନକୁ ସଠିକ୍ ଭାବେ ରାଜ୍ୟ ସରକାର ବିନିଯୋଗ କରୁଛନ୍ତି। ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶା ବହୁତ ଆଗକୁ ଯାଇଛି”, କହିଛନ୍ତି ନନ୍ଦ କିଶୋର ସିଂ।
ସେ ଆହୁରି କହିଛନ୍ତି ଯେ ରାଜ୍ୟର ମୁଣ୍ଡପିଛା ଆୟରେ ଅଗ୍ରଗତି ହୋଇଛି। କିନ୍ତୁ ଜାତୀୟ ମୁଣ୍ଡ ପିଛା ଆୟଠାରୁ ବହୁ ପଛରେ ରହିଛି ଓଡ଼ିଶା। ଏଥିପାଇଁ ଓଡ଼ିଶା ସରକାରଙ୍କୁ ଆହୁରି ଅଧିକ କିଛି କରିବାକୁ ପଡ଼ିବ ବୋଲି କହିଛନ୍ତି ଅର୍ଥ କମିଶନ ଅଧ୍ୟକ୍ଷ।
ଓଡ଼ିଶାର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ମତ ରଖିଛନ୍ତି ଅର୍ଥ କମିଶନ। ଓଡ଼ିଶାରେ ଅଧିକ ମେଡିକାଲ କଲେଜ ଏବଂ ଅଧିକ ଡାକ୍ତର ନିଯୁକ୍ତି ହେବା ଦରକାର ବୋଲି କହିଛନ୍ତି ଶ୍ରୀ ସିଂ। ଜଣେ ଡାକ୍ତରଙ୍କୁ ୮ରୁ ୧୦ ହଜାର ଲୋକ ଚିକିତ୍ସା କରିବା ଆଦୌ ଭଲ ଲକ୍ଷଣ ନୁହେଁ ବୋଲି ସେ ମତ ଦେଇଛନ୍ତି।
ବୁଧବାର ଦିନ ଭୁବନେଶ୍ୱରରେ ଆରମ୍ଭ ହୋଇଥିଲା ପଞ୍ଚଦଶତମ ଅର୍ଥ କମିଶନଙ୍କ ବୈଠକ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ଅର୍ଥକମିଶନ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଲାଗି ଅନେକ ଦାବି ଉପସ୍ଥାପନ କରିଥିଲେ।
ବୈଠକରେ କେନ୍ଦ୍ର ଅବହେଳା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏହି ବୈଠକରେ ସାମିଲ ହୋଇଥିଲେ।
ଅର୍ଥ କମିଶନରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇ ଦାବି ଉପସ୍ଥାପନ କରିଥିଲେ। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।। କେନ୍ଦ୍ର ଅବହେଳା କଥା ବି ଉଠାଇଥିଲେ ମୁଖ୍ୟମନ୍ତ୍ରୀ। ବିପର୍ଯ୍ୟୟ ଲାଗି ୧୫ଶହ କୋଟି ସହାୟତା ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ। କୋଇଲା ଖଣି ଅଞ୍ଚଳରେ କ୍ଲିନ୍ ଏନର୍ଜୀ ସେସ୍ ପାଇଁ ଦାବି କରିଥିଲେ।
ଅନ୍ୟାନ୍ୟ ଦାବି ମଧ୍ୟ ଉଠାଇଥିଲେ ମୁଖ୍ୟମନ୍ତ୍ରୀ। ୧୦ବର୍ଷ ଜିଏସଟି କ୍ଷତିଭରଣା ବଢାଇବା, କେବିକେ ଅନୁଦାନ, ରେଳବାଇ, ଜାତୀୟ ରାଜପଥ, ଟେଲିକମ୍ କ୍ଷେତ୍ରରେ କେନ୍ଦ୍ର ରାଜ୍ୟକୁ ତଳେ ରଖିଛି। ଏହା ସହିତ ଶିଳ୍ପ କରିଡର, କୋଇଲା ରୟାଲିଟି ପ୍ରତି ଅଣାଦେଖା କରାଯାଇଛି।
ଗରିବୀ ଦୂରୀକରଣରେ ଓଡ଼ିଶା ଦେଶରେ ସର୍ବାଗ୍ରେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଦୁର୍ନୀତିରେ ବୁଡ଼ିଥିବା ରାଜ୍ୟ ଏବେ ସ୍ୱଛ ବୋଲି କହିଲେ ମୁଖ୍ୟମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନା, କୃଷି, ଖାଦ୍ୟଶସ୍ୟ ଉତ୍ପାଦନ ବିଗତ ବର୍ଷମାନଙ୍କ ତୁଳନାରେ ବୃଦ୍ଧି ହୋଇଥିବା ଦର୍ଶାଇଥିଲେ ମୁଖ୍ୟମନ୍ତ୍ରୀ।


















