ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଧାୟକ ପ୍ରକାଶ ବେହେରା ଏବଂ ଯୋଗେଶ ସିଂଙ୍କ ବିରୋଧରେ କଂଗ୍ରେସ ଶୃଙ୍ଖଳା କମିଟି ନେବ କାର୍ଯ୍ୟାନୁଷ୍ଠାନ।

କଂଗ୍ରେସର ସାଲେପୁର ବିଧାୟକ ପ୍ରକାଶ ବେହେରା ଏବଂ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କୁ ଶୃଙ୍ଖଳା ଛାଟ ଦେଖାଇଛନ୍ତି ହେମାନନ୍ଦ ବିଶ୍ୱାଳ। ଏହି ଦୁଇ ବିଧାୟକଙ୍କ ଉପରେ ଆଜି ସନ୍ଧ୍ୟା ସୁଦ୍ଧା କଂଗ୍ରେସ କାର୍ଯ୍ୟାନୁଷ୍ଠାନ ନେଇପାରେ।

ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସରୁ ଇସ୍ତଫା ଦେବା ପରେ ପ୍ରକାଶ ଏବଂ ଯୋଗେଶ ଦଳ ଛାଡ଼ିବା ନେଇ ଚର୍ଚ୍ଚା ହେଉଛି। ଏମାନେ ବିଜେଡିରେ ମିଶି ପାରନ୍ତି ବୋଲି କୁହାଯାଉଛି।

ଗତ କିଛି ଦିନ ହେଲା କଂଗ୍ରେସର ଏହି ଦୁଇ ବିଧାୟକ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ଆସୁଥିଲେ।

ପ୍ରକାଶ ବେହେରା କହିଥିଲେ, “୨୦ ବର୍ଷ ହେଲା ବିଜେଡି ଭଲ କାମ କରି ଆସୁଛି। ଆମେ ଆମ ଜାଗାରେ ଅଛୁ। ଦଳର ହାଇକମାଣ୍ଡ କ’ଣ ଚାହୁଁଛନ୍ତି ସେଇଟା ହେଉଛି କଥା। ଯଦି ସେମାନେ ଚାହିଁବେ ତାହାଲେ ମୁଁ ଲଢ଼ିବି।”

ତେବେ ପ୍ରକାଶ କେଉଁ ଦଳର ହାଇକମାଣ୍ଡଙ୍କ କଥା କହିଲେ ସେ ବିଷୟରେ ସ୍ପଷ୍ଟ କଲେ ନାହିଁ।

ସେହିପରି ଯୋଗେଶ ସିଂ ମଧ୍ୟ ବିଜେଡିକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ନବୀନ ପଟ୍ଟନାୟକ ହେଉଛନ୍ତି ଜଣେ ବିଚକ୍ଷଣ ନେତା। ଏଥିପାଇଁ ଲୋକେ ତାଙ୍କୁ ଭୋଟ ଦେଇ ଆସୁଛନ୍ତି। ମୋ’ ନିର୍ବାଚନମଣ୍ଡଳୀ ପାଇଁ ମୁଁ ଯେତେବେଳେ ଯାହା ଦାବି କରିଛି ତହା ସରକାର ପୂରଣ କରିଛନ୍ତି।

ଏହି ମନ୍ତବ୍ୟ ଦେବା ସହ ଜାନୁଆରୀ ୨୫ରେ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି ଯୋଗେଶ ସ୍ପଷ୍ଟ କରିଥିଲେ। ଏହାକୁ ନେଇ ଚର୍ଚ୍ଚା ହେଉଥିଲା କି ଯୋଗେଶ ମଧ୍ୟ ବିଜେଡିରେ ସାମିଲ ହେବେ।

ଦୁଇ କଂଗ୍ରେସ ବିଧାୟକ ବିଜେଡିକୁ ପ୍ରଶଂସା କରିଥିବାରୁ ଶୃଙ୍ଖଳା କମିଟି ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ।

Comment