ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କଂଗ୍ରେସରେ କନ୍ଦଳ ଚାଲିଥିବା ବେଳେ ରାହୁଲ ଗାନ୍ଧି ଆସୁଛନ୍ତି ଓଡ଼ିଶା।
କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଶୁକ୍ରବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି।ସେ ଏଭଳି ଏକ ସମୟରେ ଓଡ଼ିଶା ମାଟିରେ ପାଦ ଦେଉଛନ୍ତି ଯେତେବେଳେ କି ତାଙ୍କ ଦଳ ନେତା ଶୂନ୍ୟ ହେବାରେ ଲାଗିଛି। ସତେ ଯେମିତି ସେତିକି ଯଥେଷ୍ଟ ନୁହେଁ, ଦଳର ଜଣେ ବରିଷ୍ଠ ନେତା ଯାହାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି ସେ ପିସିସି ସଭାପତିଙ୍କ ବିରୁଦ୍ଧରେ ନିରନ୍ତର ବିଷ ଓଗାଳି ଚାଲିଛନ୍ତି।
ମଜା କଥା ହେଉଛି ରାହୁଲ ଗାନ୍ଧି ୨୦୧୯ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ପ୍ରତି ମାସରେ ଓଡ଼ିଶା ଆସିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଳମ୍ବରେ ହେଲେ ମଧ୍ୟ ଓଡ଼ିଶା ଉପରେ ରାହୁଲ ଦୃଷ୍ଟି ଦେବାକୁ ଆରମ୍ଭ କରିଛନ୍ତି ସତ ,କିନ୍ତୁ ଦଳ ଭିତରେ ଏବେ ଗୋଷ୍ଠୀ କନ୍ଦଳ ପ୍ରବଳ ମାତ୍ରାରେ ଚାଲିଛି।
ଉପରକୁ ସବୁ ଠିକ୍ ଜଣା ପଡୁଥିଲା ବେଳେ ଭିତରେ କିନ୍ତୁ ଫମ୍ପା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବଡ଼ ମୁହଁ ବଡ଼ କାନରେ କହୁଛନ୍ତି ଯେ ରାହୁଲଙ୍କ ଏହି ଗସ୍ତକୁ ନେଇ ସମସ୍ତେ ଉତ୍ସାହିତ ଓ ତମାଣ୍ଡୋ ପଡ଼ିଆରେ ପ୍ରବଳ ଜନସମାଗମ ହେବ। ରାଜ୍ୟର ସବୁ କୋଣ ଅନୁକୋଣରୁ କଂଗ୍ରେସ କର୍ମୀ ଆସୁଥିବା କୁହାଯାଉଛି।
ରାହୁଲ ଗାନ୍ଧି କେଉଁ ଆଶା ନେଇ ଓଡ଼ିଶା ଗସ୍ତରେ ଆସୁଛନ୍ତି ତାହା ବୁଝିବା କଷ୍ଟ। ଏକେତ ଦଳର ସ୍ଥିତି ସେଭଳି କିଛି ସୁଧୁରି ନାହିଁ। ନିରଞ୍ଜନ ପଟ୍ଟନାୟକଙ୍କୁ ସଭାପତି କରାଯିବା ପରେ ଆଶା କରାଯାଉଥିଲା ସେ ଦଳକୁ ଆମୂଳଚୂଳ ସଜାଡ଼ିବେ। ଏହି ବର୍ଷେ ଭିତରେ ଅବଶ୍ୟ ସେ କିଛି ପରିମାଣରେ ସଙ୍ଗଠନକୁ ସଜାଡ଼ି ପାରିଛନ୍ତି। କିନ୍ତୁ ଗୋଦାରୀ ଗୋଡ଼ ମାଡ଼େ ଯେତେ … ସେତେ ନ୍ୟାୟରେ ଦଳ ବହୁତ ଅସୁବିଧାର ସମ୍ମୁଖିନ ହୋଇଛି।
ଗତ କିଛିଦିନ ମଧ୍ୟରେ ଦୁଇ ଜଣ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି ଅଥବା ତାଙ୍କୁ ବାହାର କରି ଦିଆଯାଇଛି। ଏଣେ ଦଳର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଦଳର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ନିରଞ୍ଜନଙ୍କ ଉପରେ ବର୍ଷିବାକୁ ଆରମ୍ଭ କରିଛନ୍ତି। ୬୮ ବର୍ଷୀୟ ଜେନା ଅବଶ୍ୟ ବେଶ୍ କିଛି ଦିନ ଧରି ନିରଞ୍ଜନଙ୍କୁ ଟାର୍ଗେଟ କରି ଆସିଛନ୍ତି।
ନିରଞ୍ଜନ ପିସିସି ସଭାପତି ଭାବେ କାର୍ଯ୍ୟ ଆରମ୍ଭ କରିବା ପରଠାରୁ ଶ୍ରୀକାନ୍ତ ଦାବି କରି ଆସିଛନ୍ତି ଯେ ଜଣେ ଓବିସି/ଏସସି/ଏସଟି ନେତାଙ୍କୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମଇଦାନକୁ ଛଡ଼ାଯିବା ଦରକାର। ରାଜ୍ୟର ଖଣି ଲୁଟରେ ପିସିସି ସଭାପତିଙ୍କ ପରିବାର ସମ୍ପୃକ୍ତ ଅଛି ବୋଲି ମଧ୍ୟ ଜେନା ଅଭିଯୋଗ କରିଛନ୍ତି।
ଯେହେତୁ ନିରଞ୍ଜନଙ୍କର ନିର୍ମଳ ଭାବମୂର୍ତ୍ତି ନାହିଁ, ତେଣୁ ତାଙ୍କୁ ମୁଖ୍ୟ ପଦରେ ବସାଯିବା ଉଚିତ ନୁହେଁ ବୋଲି ଶ୍ରୀକାନ୍ତ ହାଇକମାଣ୍ଡଙ୍କ ନିକଟରେ ଦାବି କରିଥିଲେ। ଶ୍ରୀକାନ୍ତଙ୍କୁ ଦଳରୁ ବାହାର କରିବା ପରେ ତାଙ୍କର ଭାଷା ଆହୁରି ତୀକ୍ଷ୍ଣ ହୋଇଛି ଓ କହୁଛନ୍ତି ଯେ ସେ ଦଳୀୟ ଶୃଙ୍ଖଳା ଭାଙ୍ଗିନାହାନ୍ତି।
ଏଣେ ନବ ଦାସ, ଯୋଗେଶ ସିଂହ ଓ କୃଷ୍ଣ ସଗରିଆ ଦଳରୁ ଅଲଗା ହେବା ପରେ ସେମାନଙ୍କ ସ୍ଥାନରେ କିଏ ପ୍ରାର୍ଥୀ ହେବ ସେନେଇ ଦଳ ଚିନ୍ତାରେ ପଡ଼ିଯାଇଛି। ଗୋଟିଏ ପଟେ ବିଧାନସଭା ନିର୍ବାଚନ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁ ନଥିବା ବେଳେ ଯେଉଁମାନେ ବିଜୟଲାଭ କରିଥାନ୍ତେ ସେମାନେ ଯାଇ ଅନ୍ୟ ଦଳରେ। ଏହିଭଳି ଗଣ୍ଡଗୋଳିଆ ପରିସ୍ଥିତିରେ ରାହୁଲ ଆସୁଥିବାରୁ ସେ ଦଳର ନେତାଙ୍କୁ କି ଗୁରୁମନ୍ତ୍ର ଦେବେ ତାହା ଦେଖିବାକୁ ବାକି ରହିଲା।
ଏଣେ ଶାସକ ବିଜେଡି ପକ୍ଷରୁ କୁହାଯାଇଛି ଯେ ରାହୁଲଙ୍କ ଆସିବା ଫଳରେ ବିଜେଡିର ଭୋଟ ଉପରେ କୌଣସି ପ୍ରକାର ପ୍ରଭାବ ପକାଇବ ନାହିଁ।








କଂଗ୍ରେସରେ କନ୍ଦଳ ଚାଲିଥିବା ବେଳେ ରାହୁଲ ଗାନ୍ଧି ଆସୁଛନ୍ତି ଓଡ଼ିଶା।









