ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମହୋତ୍ସବରେ ଭଳିକି ଭଳି ଖାଦ୍ୟ ପସରା
  • ମୁଖ୍ୟ ଆକର୍ଷଣ ଟ୍ରାଇବାଲ୍ ଭିଲେଜ ଓ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଫନ୍ ଜୋନ୍
  • ନୃତ୍ୟ ସଂଗୀତର ତାଳେ ତାଳେ ଝୁମିବେ ଦର୍ଶକ
  • ୩ ଦିନ ଧରି ଦୁଲୁକିବ ବୀର ବିର୍ସା ମୁଣ୍ଡା ଷ୍ଟାଡିୟମ

ରାଜ୍ୟ ପର୍ଯ୍ୟଟନ ବିଭାଗ ସହାୟତାରେ ପ୍ରଥମ ଥର ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ରାହ୍ମଣୀ ସ୍ରୋତସ୍ୱିନୀ ମହୋତ୍ସବର ଆୟୋଜନ କରାଯାଉଛି। ଆସନ୍ତା ଫେବ୍ରୁଆରି ୧ରୁ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ସ୍ଥାନୀୟ ବୀର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ମହୋତ୍ସବର ଲୋଗୋ ଆଜି ସ୍ଥାନୀୟ ମହାନଗର ସଭାଗୃହ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉନ୍ମୋଚିତ ହୋଇଯାଇଛି।

ରାଉରକେଲା ମହାନଗରର ସର୍ବଭାରତୀୟ କଳା-ସଂସ୍କୃତି, ଖାଦ୍ୟପେୟ, ପ୍ରାଚୀନ ଗାଥା ଆଦିକୁ ପ୍ରଦର୍ଶିତ କରିବା ତଥା ଏହାର ପ୍ରଚାର ପ୍ରସାର ନିମନ୍ତେ ଏହି ମହୋତ୍ସବର ଆୟୋଜନ କରାଯାଉଛି।

ଏହି ମହୋତ୍ସବରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ସହ ପିଲାଙ୍କ ମନୋରଞ୍ଜନ ନିମନ୍ତେ ସ୍ୱତନ୍ତ୍ର ଫନ୍ ଜୋନ (FUN ZONE) ର ବ୍ୟବସ୍ଥା କରାଯାଇଛି। ଆଦିବାସୀ ଲୋକ କଳା ତଥା ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ସ୍ୱତନ୍ତ୍ର ଟ୍ରାଇବାଲ୍ ଭିଲେଜ୍ ମଧ୍ୟ ଲୋକଙ୍କ ପାଇଁ ଖୋଲାଯିବ ବୋଲି ରାଉରକେଲା ମହାନଗର ନିଗମର କମିଶନର ରଶ୍ମିତା ପଣ୍ଡା ସୂଚନା ଦେଇଛନ୍ତି।

ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ଖ୍ୟାତନାମା କଳାକାରଙ୍କ ସଂଗୀତ ତଥା ନୃତ୍ୟ ମୁଖ୍ୟ ଆକର୍ଷଣ ପାଲଟିବ। ବିନୋଦ ରାଠୋର୍, ଋତୁରାଜ୍, ଅମ୍ରିତା ଭାରତୀ ପଣ୍ଡା, ଅଭିଜିତ, ବିଶ୍ୱଜିତ, ମଣ୍ଟୁ ଛୁରିଆଙ୍କ ସମେତ ଓଲିଉଡ୍ ତଥା ବଲିଉଡର ବହୁ କଳାକାର ଆସି ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ପ୍ରିନ୍ସ ଡ୍ୟାନ୍ସ ଗୃପ୍, ସ୍ୱନାମଧନ୍ୟା ଓଡ଼ିଶୀ ନୃତ୍ୟଶିଳ୍ପୀ ରୂପଶ୍ରୀ ମହାପାତ୍ର, ପ୍ରସିଦ୍ଧ ସମ୍ବଲପୁରୀ ଲହରୀ ଡ୍ୟାନ୍ସ ଗୃପ୍, ଡ୍ୟାନ୍ସିଂ ଷ୍ଟାର୍ ହରିହର୍, କୋଲକାତାର ସୁପ୍ରସିଦ୍ଧ ନୁପୁର୍ ଡ୍ୟାନ୍ସ ଗୃପ୍, ପ୍ରଖ୍ୟାତ ଡ୍ୟାନ୍ସିଂ ଷ୍ଟାର୍ ରୋଜା ରାଣା, ଡିଜିଟାଲ୍ ସ୍ୟାଣ୍ଡ ଆର୍ଟିଷ୍ଟ ସୁଚିତ୍ରା ମାହେଶ୍ୱତା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଏଥିସହିତ ରାଉରକେଲାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନମାନଙ୍କ ଦ୍ୱାରା ମଧ୍ୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରତିଦିନ ସଂଧ୍ୟା ୫ଟାରୁ  ରାତି ୧୦ ଟା ଯାଏଁ ବୀର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏହିସବୁ କାର୍ଯ୍ୟକ୍ରମ ଚାଲିବ ବୋଲି ରାଉରକେଲା ମହାନଗର ନିଗମର କମିଶନର ରଶ୍ମିତା ପଣ୍ଡା ସୂଚନା ଦେଇଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀରେ ମହୋତ୍ସବ କମିଟିର ସଦସ୍ୟ ତଥା ମହାନଗର ନିଗମର ବିଭିନ୍ନ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

Comment