ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଗି କହିଲେ ମତେ ହଇରାଣ କରାଯାଉଛି।

ବିଧାନସଭାର ସ୍ୱାଧିକାର କମିଟି ଆଗରେ ହାଜର ହେଲେ ମିଡିଆ ମହିଳା ଉଦ୍ୟୋଗୀ ଜଗି ମଙ୍ଗତ ପଣ୍ଡା।

ଗତ ନଭେମ୍ବର ୧୯ ତାରିଖରେ ବିଧାନସଭା ସମ୍ପର୍କିତ ଏକ ଖବର ପ୍ରସାରଣକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଜଗିଙ୍କ ମାଲିକାନାରେ ଚାଲିଥିବା ଟିଭି ଚ୍ୟାନେଲ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିଲେ।

ଏନେଇ ଜଗିଙ୍କୁ ବିଧାନସଭା ସ୍ୱାଧିକାର କମିଟି ପକ୍ଷରୁ ହାଜର ହେବା ପାଇଁ ନୋଟିସ ଦିଆଯାଇଥିଲା। ଜଗି ଆଜି ହାଜର ହୋଇ ନିଜର ପକ୍ଷ ରଖିଛନ୍ତି।

“୨୨ ବର୍ଷ ଧରି ରାଜ୍ୟର ଜଣେ ମହିଳା ଉଦ୍ୟୋଗପତି ଭାବେ ମୁଁ କାମ କରି ଆସୁଛି। ରାଜ୍ୟରେ ୨୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି। ଜଣେ ମହିଳା ଉଦ୍ୟୋଗପତି ଭାବେ ଆମକୁ ହଇରାଣ କରାଯାଉଥିବା ମୁଁ ଏବେ ଅନୁଭବ କରୁଛି”, କହିଛନ୍ତି ଜଗି ପଣ୍ଡା।

ଜଗି ଆହୁରି କହିଛନ୍ତି ଯେ ଆମ ଟିଭି ଚ୍ୟାନେଲ ମ୍ୟାନେଜମେଣ୍ଟ କେବେ ବି ନ୍ୟୁଜରେ ହସ୍ତକ୍ଷେପ କରେନାହିଁ। ଆମ ସାମ୍ବାଦିକମାନେ ବୃତ୍ତିଗତ ଭାବେ ଖବର ପରିବେଷଣ କରୁଛନ୍ତି। ଆମ ଚ୍ୟାନେଲ ଏବେ ବି ସବୁଠୁ ଅଧିକ ଦର୍ଶକ ଦେଖୁଥିବା ନ୍ୟୁଜ ଚ୍ୟାନେଲ।

ଜଗି ସ୍ୱାଧିକାର କମିଟିରେ ହାଜର ହେବା ପରେ କମିଟି ସଦସ୍ୟ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଏହି ପ୍ରସଙ୍ଗରେ ଯାଞ୍ଚ ଚାଲିଛି। ପୁଣି ଆଉ ଏକ ତାରିଖରେ ଏହି ମାମଲାର ଶୁଣାଣି କରାଯିବ।”

Comment