ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୋର୍‌ରେ ଛିଙ୍କିବାରୁ ନାକ ଭିତରୁ ବାହାରିଲା ୧୨ ବର୍ଷ ତଳେ ହଜିଯାଇଥିବା ମୁଦି। ଏଭଳି ଘଟଣା ଘଟିଛି ଯୁକ୍ତରାଷ୍ଟ୍ର ଆମେରିକାରେ ଅବିଗେଲ ଥୋମପସନ ନାମକ ଜଣେ ମହିଳାଙ୍କଠାରେ। ଏହି ଘଟଣା ଶୁଣି ସମସ୍ତେ  ଆଶ୍ଚର୍ଯ୍ୟ ହୋଇଛନ୍ତି।

ଅବିଗେଲ ଥୋମପସନଙ୍କ କହିବାନୁସାରେ, ୨୦୦୭ରେ ତାଙ୍କର ଅଷ୍ଟମ ଜନ୍ମଦିନରେ ତାଙ୍କ ମା’ ଏକ ମୁଦି ଗିଫ୍ଟ ଦେଇଥିଲେ। ଯାହାକି ପରବର୍ତ୍ତୀ ସମୟରେ ହଜି ଯାଇଥିଲା। ମୁଦି ଚୋରି ହୋଇଯାଇଥିବା ଭାବି ଥୋମପସନ ଆଉ ବେଶି ଖୋଜାଖୋଜି କରିନଥିଲେ।

କିଛିଦିନ ପରେ ସେ ସୋଫାରେ ବସିଥିଲେ ଓ ତାଙ୍କୁ ଜୋରରେ ଛିଙ୍କ ଆସୁଥିଲା, କିନ୍ତୁ ହେଉ ନଥିଲା। ସେ ନାକ ଭିତରେ ଏକ କପଡ଼ା ପୂରାଇ ଛିଙ୍କିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ନାକ ଭିତରେ ଏକ ଚମକୁଥିବା ସାମଗ୍ରୀ ଦେଖିବାକୁ ମିଳିଥିଲା। ଜୋରରେ ଛିଙ୍କି ଦେବାରୁ ତାଙ୍କ ନାକ ଭିତରୁ ଏକ ମୁଦି ବାହାରି ଆସିଥିଲା।

ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଥୋମପସନ।  ୧୨ବର୍ଷ ପୂର୍ବେ ହଜି ଯାଇଥିବା ଏହି ମୁଦିଟି ତାଙ୍କ ନାକରେ ଫସି ରହିଥିଲା। ଆଶ୍ଚର୍ଯ୍ୟ କଥା ଏତେ ଦିନ ଧରି ନାକରେ ମୁଦି ଫସି ରହିଥିଲେ ବି ନିଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ହେଉ ନଥିଲା। ତେଣୁ ସେ ଡାକ୍ତର ପାଖକୁ ବି ଯାଇ ନଥିଲି।

Comment