ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଫେବ୍ରୁଆରି ମାସ ଶେଷ ସୁଦ୍ଧା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ କଂଗ୍ରେସ।

୨୦୧୯ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ। ରାହୁଲ ଗାନ୍ଧିଙ୍କୁ ଓଡ଼ିଶା ଆଣି ନିର୍ବାଚନୀ ବିଗୁଲ ଫୁଙ୍କିଥିବା କଂଗ୍ରେସ ଏବେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କାମରେ ଲାଗି ପଡ଼ିଛି।

ଫେବ୍ରୁଆରି ଶେଷ ସପ୍ତାହ ସୁଦ୍ଧା କଂଗ୍ରେସ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିବ ବୋଲି ଜଣାପଡ଼ିଛି।

ନୂଆଦିଲ୍ଲୀରେ ୨୦୧୯ ନିର୍ବାଚନକୁ ନେଇ କଂଗ୍ରେସର ବୈଠକ ବସିଥିଲା। ଏହି ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଅନ୍ୟ ରାଜ୍ୟର ପିସିସି ସଭାପତି ଏବଂ ବିରୋଧୀ ଦଳ ନେତା ଉପସ୍ଥିତ ଥିଲେ।

ଏହି ବୈଠକରେ ବୁଥ୍ ପରିଚାଳନା, ପ୍ରଚାର ପ୍ରସାର ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।

“ଫେବ୍ରୁଆରି ଶେଷ ସୁଦ୍ଧା ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ପ୍ରକ୍ରିୟା ଜାରି ରହିଛି”, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ଆଗୁଆ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରି ଦିଲ୍ଲୀ ପଠାଯାଇଥିଲା। ୪୪ଟି ନିର୍ବାଚନମଣ୍ଡଳୀରେ ଆଗୁଆ ପ୍ରାର୍ଥୀ ସ୍ଥିର କରିଥିଲା କଂଗ୍ରେସ। କେବଳ ସ୍କ୍ରିନିଂ କମିଟିର ମୋହର ବାଜିବା ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥାନ୍ତା।

ନିକଟରେ କଂଗ୍ରେସର ଦୁଇ ଜଣ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। ଝାରସୁଗୁଡ଼ା ବିଧାୟକ ନବ ଦାସ, ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ, ବିଜେପୁର ଉପ-ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି।

ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ମଧ୍ୟ କଂଗ୍ରେସ ଛାଡ଼ି ବିଏସ୍‌ପିରେ ଯୋଗ ଦେଇଛନ୍ତି। ଏଣୁ କଂଗ୍ରେସ ଆଗୁଆ ତିଆରି କରିଥିବା ପ୍ରାର୍ଥୀ ତାଲିକାରେ ପରିବର୍ତ୍ତନ କରିବ। ଏବେ କଂଗ୍ରେସ କାହାକୁ କେଉଁଠି ଟିକେଟ ଦେବ ତା’ ଉପରେ ସମସ୍ତଙ୍କ ନଜର।

Comment