ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମଗ୍ର ଦେଶରେ ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳାଙ୍କ ପାଇଁ ତେତିଶ ପ୍ରତିଶତ ସ୍ଥାନ ସଂରକ୍ଷଣ ନିମନ୍ତେ ଶାସକ ବିଜେଡି ପକ୍ଷରୁ ଓକିଲାତି କରାଯିବା ପରେ ଏବେ ଏହି ବ୍ୟବସ୍ଥା ପ୍ରଥମେ ନିଜ ଆଡୁ  ଲାଗୁ କରିବା ପାଇଁ ଦଳ ଅଣ୍ଟା ଭିଡ଼ିଛି। ଗତ ନଭେମ୍ବର ମାସରେ ବିଧାନସଭାରେ ଏହି ପ୍ରସ୍ତାବଟି ଗୃହୀତ କରାଇନେବା ପରେ ବିଜେଡି ଉପରେ ସମସ୍ତଙ୍କର ନଜର ରହିଥିଲା। ନବୀନଙ୍କ ନିର୍ଦ୍ଦେଶ କ୍ରମେ ଦଳର ନିର୍ବାଚନ କଥା ବୁଝୁଥିବା ମ୍ୟାନେଜରମାନେ ଏ ଦିଗରେ କିଛି ଫର୍ମୁଲା ବାହାର କରିଥିବା କଥା ଜଣାପଡ଼ିଛି।

ଭିତିରିଆ ଖବର ଅନୁସାରେ ବିଜେଡି ନୀତିଗତ ଭାବେ ପ୍ରତି ଲୋକସଭା ଆସନରେ ଏଥର ଜଣେ ମହିଳାଙ୍କୁ ବିଧାନସଭା ଆସନ ପାଇଁ ଟିକେଟ ଦେବ। ଯଦି ତାହା ହୁଏ ପ୍ରଥମ ରାଉଣ୍ଡରେ ୨୧ଜଣ ମହିଳା ବିଧାନସଭା ପ୍ରାର୍ଥୀ ଭାବେ ଠିଆ ହେବେ। ତା’ ଛଡ଼ା ଯେଉଁମାନେ ବର୍ତ୍ତମାନ ବିଧାୟିକା ଅଛନ୍ତି ସେମାନଙ୍କୁ ପୁଣି ଥରେ ଟିକେଟ ଦେବା ପ୍ରାୟ ନିଶ୍ଚିତ। ନୂଆ ମୁହଁ ହିସାବରେ ବିଜେଡିର ଯେଉଁମାନେ ବର୍ତ୍ତମାନ ମୁଖପାତ୍ର ଅଛନ୍ତି ଓ ବରାବର ଟିଭିରେ ମୁହଁ ଦେଖାଉଛନ୍ତି ସେମାନଙ୍କ ଭିତରୁ କିଛି ମହିଳାଙ୍କୁ ପ୍ରାର୍ଥୀ କରାଯାଇପାରେ।

ଏହି ତାଲିକାରେ ଦୁଇ ଜଣଙ୍କ ନାମ ଶୁଣାଯାଉଛି – ସୁଲତା ଦେଓ ଏବଂ ସୁଲୋଚନା ଦାସ। ରାଜ୍ୟ ମହିଳା କମିଶନର ପୂର୍ବ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ଯିଏ ଏହି ପଦରୁ ଇସ୍ତଫା ଦେଇଥିଲେ ସେ ବି ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି। ଯଦି ବିଧାନସଭା ନହୁଏ ତେବେ ଲୋକସଭା ପାଇଁ ତାଙ୍କୁ ଟିକେଟ ମିଳିପାରେ।

ବିଜେଡିର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତି ହେଉଛି ବର୍ତ୍ତମାନର କିଛି ବାହୁବଳି ବିଧାୟକଙ୍କ ସ୍ଥାନରେ ସେମାନଙ୍କ ପତ୍ନୀମାନଙ୍କୁ ଟିକେଟ ଦେବା। ଚିଟଫଣ୍ଡ ଓ ଅନ୍ୟାନ୍ୟ ସ୍କାମରେ ଯେଉଁମାନଙ୍କ ନାମ ରହିଛି ସେମାନଙ୍କୁ ମୈଦାନରୁ ହଟାଇଦେଇ ତାଙ୍କ ଅର୍ଦ୍ଧାଙ୍ଗିନୀମାନଙ୍କୁ ଲଢ଼ିବାକୁ କୁହାଯିବ। ଏହା ଦ୍ୱାରା ଦୁଇଟି ଉଦ୍ଦେଶ୍ୟ ପୂରଣ ହେବ। ଏକେତ ଏହି ପ୍ରଭାବଶାଳୀ ବିଧାୟକଙ୍କୁ ଖୁସି କରାଯାଇପାରିବ। ଏତଦ୍‌ବ୍ୟତୀତ, ପତ୍ନୀମାନଙ୍କୁ ଜିତାଇବା ପାଇଁ ପତିମାନେ ଅଧିକ ପରିଶ୍ରମ କରିବେ। ଚିଟଫଣ୍ଡ ଠକେଇ ଓ ଅନ୍ୟାନ୍ୟ ମାମଲାରେ ଜଡ଼ିତ ବ୍ୟକ୍ତିଙ୍କୁ ଟିକେଟ ନଦେଇ ବିଜେଡି ଏହି ଯୁକ୍ତି ବି କରିପାରିବ ଯେ ଆମେ ସ୍ୱଚ୍ଛ ରାଜନୀତିରେ ବିଶ୍ୱାସ କରୁ।

ବିଜେଡିର ଅନ୍ୟ ଏକ ରଣ କୌଶଳ ହେଉଛି ଯେଉଁ ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳର ଦବଦବା କମ ଓ ଯେଉଁ ସବୁ ଆସନରୁ  ବିଜେପି କିମ୍ବା କଂଗ୍ରେସ ପ୍ରାର୍ଥୀମାନଙ୍କ ଜିତିବାର ସମ୍ଭାବନା ରହିଛି ସେ ସବୁ ସ୍ଥାନରୁ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେବା। ବିରୋଧୀ ଦଳର ପୁରୁଷ ପ୍ରାର୍ଥୀଙ୍କ ସହ ବିଜେଡିର ମହିଳା ପ୍ରାର୍ଥୀ ନିର୍ବାଚନ ଲଢ଼ିଲେ ଦଳକୁ ଅପେକ୍ଷାକୃତ ଅଧିକ ଭୋଟ ମିଳିବ ବୋଲି ଆକଳନ କରାଯାଇଥିବା ବିଷୟ ଜଣେ ବରିଷ୍ଠ ନେତା ଆମକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here