ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ନିର୍ବାଚନ ମଇଦାନରେ ଓଡ଼ିଶାବାସୀ ଭିନ୍ନ ରାଜନୀତି ଦେଖି ଆସିଛନ୍ତି। କେତେବେଳେ ନେତାଙ୍କ ପୁଅ ଏବଂ ଝିଅ ନିର୍ବାଚନ ମଇଦାନକୁ ସରଗରମ କରିଛନ୍ତି ତ ପୁଣି କେତେବେଳେ ସ୍ୱାମୀ-ସ୍ତ୍ରୀ ରାଜନୀତି ବଜାରରେ ହଟଚମଟ ସୃଷ୍ଟି କରିଛନ୍ତି।
ସ୍ୱାମୀ ରାଜନୀତିରେ ଥିବା ଅବସ୍ଥାରେ କେଉଁଠି ସ୍ତ୍ରୀ ରାଜନୀତିକୁ ଆସିଛନ୍ତି ତ ପୁଣି କେଉଁଠି ସ୍ୱାମୀ ଆରପାରିକୁ ଚାଲିଯିବା ପରେ ଅନୁକମ୍ପାମୂଳକ ଭୋଟ ପାଇବା ପାଇଁ ସ୍ତ୍ରୀ ନିର୍ବାଚନ ଲଢ଼ିଛନ୍ତି।
ଜାନକୀ-ଜୟନ୍ତୀ
ସ୍ୱାମୀ-ସ୍ତ୍ରୀ ରାଜନୀତି କଥା ପଡ଼ିଲେ ଲୋକଙ୍କ ନଜର ପ୍ରଥମେ ସିଧାସଳଖ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ଜୟନ୍ତୀ ପଟ୍ଟନାୟକଙ୍କ ଉପରକୁ ଚାଲିଯାଏ। କାରଣ ଓଡ଼ିଶା ରାଜନୀତିରେ ଏହି ଦମ୍ପତ୍ତି ହେଉଛନ୍ତି ଚର୍ଚ୍ଚିତ ଚେହେରା। ଜାନକୀ ସକ୍ରିୟ ରାଜନୀତିରେ ଥିବା ବେଳେ ହିଁ ଜୟନ୍ତୀ ରାଜନୀତି ମଇଦାନକୁ ଆସିଥିଲେ।
ସାହିତ୍ୟ-ସାମ୍ବାଦିକତା-ରାଜନୀତିର ତ୍ରିବେଣୀ ସଙ୍ଗମ ହେଉଛନ୍ତି ଜାନକୀବଲ୍ଲଭ ପଟ୍ଟନାୟକ। ସାହିତ୍ୟିକ ଏବଂ ସାମ୍ବାଦିକତା କ୍ଷେତ୍ରରେ ସଫଳତା ଅର୍ଜନ କରିବା ପରେ ସକ୍ରିୟ ରାଜନୀତିରେ ପାଦ ରଖିଥିଲେ ଜାନକୀ। କେନ୍ଦ୍ରମନ୍ତ୍ରୀ ସହ ଅଶୀ ଦଶକରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିଲେ। ୧୯୮୦ରୁ ୧୯୮୯ ଏବଂ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ଜାନକୀ ମୁଖ୍ୟମନ୍ତ୍ରୀ ରହିଥିଲେ।
ଖାଲି ସେତିକି ନୁହେଁ, ଜାନକୀ କଂଗ୍ରେସ ରାଜନୀତିରେ ସକ୍ରିୟ ଥିବା ବେଳେ ହିଁ ତାଙ୍କ ସ୍ତ୍ରୀ ଜୟନ୍ତୀ ପଟ୍ଟନାୟକ ନିର୍ବାଚନ ଲଢ଼ିଥିଲେ। ୧୯୮୦ ଏବଂ ୧୯୮୫ରେ ଜୟନ୍ତୀ କଟକ ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ସାଂସଦ ହୋଇଥିଲେ।
୧୯୮୦ରେ କଟକ ଲୋକସଭା ଆସନରେ ଉପ-ନିର୍ବାଚନ ହୋଇଥିଲା। ରାଜନୀତିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱବହନ କରୁଥିବା କଟକ ଲୋକସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ ଜୟନ୍ତୀ। ସେତେବେଳେ ରାଜ୍ୟ ରାଜନୀତିରେ ଜାନକୀଙ୍କର ପ୍ରଭାବ ରହିଥିଲା। ଫଳରେ ଜ଼ୟନ୍ତୀ ମହିଳା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ସେହିପରି ୧୯୮୫ରେ ହୋଇଥିବା ନିର୍ବାଚନରେ ବି ଜୟନ୍ତୀ ସାଂସଦ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। କିନ୍ତୁ ୧୯୮୯ରେ ଜୟନ୍ତୀଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା।
ଗିରିଧର-ହେମା
ଓଡ଼ିଶା ରାଜନୀତିରେ ସଫଳ ଦମ୍ପତ୍ତି ହେଲେ ଗିରିଧର ଏବଂ ହେମା ଗମାଙ୍ଗ। ଜାନକୀ ଏବଂ ଜୟନ୍ତୀଙ୍କ ପରି ଏମାନେ ବି ଲମ୍ବା ସମୟ ଧରି ରାଜ୍ୟ ରାଜନୀତିରେ ରାଜୁତି କରିଥିଲେ। ୧୯୭୭ରୁ କୋରାପୁଟ ଲୋକସଭା ଆସନରୁ ଗିରିଧର ଗମାଙ୍ଗ ନିର୍ବାଚିତ ହୋଇଥିଲେ। ଏକ ଘଟଣାକ୍ରମରେ ସେ ୧୯୯୯ରେ ଅଳ୍ପ ସମୟ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ।
ଗିରିଧର ମୁଖ୍ୟମନ୍ତ୍ରୀ ଥିବା ବେଳେ ହିଁ ହେମା ଗମାଙ୍ଗ କଂଗ୍ରେସ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୯ରେ ହେମା କୋରାପୁଟ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ପରେ ୨୦୦୯ରେ ସେ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ ହେଁ ପରାଜିତ ହୋଇଥିଲେ।
୨୦୧୪ ନିର୍ବାଚନ ପୂର୍ବରୁ ଗମାଙ୍ଗ ପରିବାରରେ ଝଡ଼ ଆସିଥିଲା। ସ୍ୱାମୀ ଗିରିଧର ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ବେଳେ ହେମା ବିଜେଡିରେ ସାମିଲ ହୋଇଥିଲେ।
ଲକ୍ଷ୍ମୀପୁର ଆସନ ପାଇଁ ହେମା ବିଜେଡି ଟିକେଟ ନେଇଥିଲେ। କିନ୍ତୁ ପରାଜିତ ହୋଇଥିଲେ। ଏବେ ହେମା ବିଜେଡି ଛାଡ଼ି ଦେଇଛନ୍ତି। ପୁଣି କଂଗ୍ରେସ ଘରକୁ ଫେରିବା ପାଇଁ ସଜବାଜ ହେଉଛନ୍ତି। ୨୦୧୯ ନିର୍ବାଚନରେ ଗମାଙ୍ଗ ଦମ୍ପତ୍ତିଙ୍କୁ କେଉଁ ଭୂମିକାରେ ଦେଖିବାକୁ ମିଳିବ ତାହା ଅପେକ୍ଷା କରି ଦେଖିବାର କଥା।
ଭୋଗରାଇରେ କାର୍ତ୍ତିକେଶ୍ୱର ଏବଂ ଉମା
ବାଲେଶ୍ୱର ଜିଲ୍ଲାର ଭୋଗରାଇ ନିର୍ବାଚନ ମଣ୍ଡଳୀ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହି ନିର୍ବାଚନ ମଣ୍ଡଳୀ ଅନେକ ରଥୀ ମହାରଥୀଙ୍କୁ ସୃଷ୍ଟି କରିଛି। ଏହି ନିର୍ବାଚନମଣ୍ଡଳୀ ବିଗତ ଦିନରେ ସ୍ୱାମୀ, ସ୍ତ୍ରୀଙ୍କ ରାଜନୀତି ମଧ୍ୟ ଦେଖିଛି। କାର୍ତ୍ତିକେଶ୍ୱର ପାତ୍ର ଏବଂ ତାଙ୍କ ସ୍ତ୍ରୀ ଉମାରାଣୀ ପାତ୍ର ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ଲଢ଼ି ବିଧାନସଭାକୁ ଆସିଛନ୍ତି।
୧୯୭୧ରେ କାର୍ତ୍ତିକେଶ୍ୱର ପାତ୍ର ସିପିଆଇ ଟିକେଟରୁ ନିର୍ବାଚନ ବୈତରଣୀ ପାର୍ ହୋଇଥିବା ବେଳେ ୧୯୭୪ରେ କଂଗ୍ରେସ ଏବଂ ୧୯୮୦ରେ କଂଗ୍ରେସ-(i)ରୁ ବିଜୟୀ ହୋଇଥିଲେ। କିନ୍ତୁ କାର୍ତ୍ତିକେଶ୍ୱରଙ୍କ ପରେ ତାଙ୍କ ସ୍ତ୍ରୀ ଉମାରାଣୀ ପାତ୍ର ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ। ୧୯୮୫ରେ ସେ କଂଗ୍ରେସ ଟିକେଟରୁ ବିଜୟୀ ହୋଇଥିଲେ।
ଖଣ୍ଡପଡ଼ାରେ ଅରୁଣ-ବିଜୟଲକ୍ଷ୍ମୀ
ଓଡ଼ିଶା ରାଜନୀତିରେ ଆଉ ଜଣେ ଚର୍ଚ୍ଚିତ ଦମ୍ପତ୍ତି ହେଲେ ଅରୁଣ ପଟ୍ଟନାୟକ ଏବଂ ବିଜୟଲକ୍ଷ୍ମୀ ପଟ୍ଟନାୟକ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରୁ ଅରୁଣ ୧୯୯୦ରେ ଜନତା ଦଳ ଟିକେଟରୁ ନିର୍ବାଚନ ଲଢ଼ି ବିଧାନସଭାକୁ ଆସିଥିଲେ। କିନ୍ତୁ ପରେ ତାଙ୍କର ଦେହାନ୍ତ ହୋଇଯିବାରୁ ନିର୍ବାଚନ ମଇଦାନକୁ ଆସିଥିଲେ ସ୍ତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକ।
ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ବିଜୟଲକ୍ଷ୍ମୀ ଅଣ୍ଟା ଭିଡ଼ିଥିଲେ। ୨୦୦୦ ମସିହାରେ ସେ ବିଜେଡି ଟିକେଟରୁ ବିଜୟୀ ହୋଇଥିଲେ। ୨୦୦୪ରେ କିନ୍ତୁ ବିଜୟଲକ୍ଷ୍ମୀଙ୍କୁ ଟିକେଟ ଦେଇ ନଥିଲା ବିଜେଡି। ଶେଷରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ୨୦୧୪ରୁ ତାଙ୍କ ପୁଅ ଅନୁଭବ ପଟ୍ଟନାୟକ ଖଣ୍ଡପଡ଼ାର ବିଧାୟକ ଅଛନ୍ତି।
ପ୍ରତ୍ୟୁଷା ରାଜେଶ୍ୱରୀ
ନୟାଗଡ଼ ରାଜା ହେମେନ୍ଦ୍ର ନାରାୟଣ ସିଂ ଏବଂ ତାଙ୍କ ସ୍ତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ରାଜନୀତି କ୍ୟାରିଅରକୁ ନେଇ ଓଡ଼ିଶା ରାଜନୀତି ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ୨୦୧୪ ନିର୍ବାଚନ ପୂର୍ବରୁ ହେମେନ୍ଦ୍ର କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।
କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ। କିନ୍ତୁ ନିର୍ବାଚନର ପ୍ରାୟ ବର୍ଷେ ପରେ ହେମେନ୍ଦ୍ରଙ୍କର ଦେହାନ୍ତ ହୋଇଥିଲା। ଶେଷରେ ୨୦୧୫ରେ ହୋଇଥିବା ଉପ ନିର୍ବାଚନରେ ବିଜେଡି ହେମେନ୍ଦ୍ରଙ୍କ ସ୍ତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ପ୍ରୋଜେକ୍ଟ କରିଥିଲା। ପ୍ରତ୍ୟୁଷା ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ସ୍ୱାମୀଙ୍କ ଦେହାନ୍ତ ପରେ ରାଜନୀତିକୁ ଆସିଥିବା ପ୍ରତ୍ୟୁଷା ଏବେ ରାଜ୍ୟ ରାଜନୀତିରେ କର୍ଣ୍ଣଧାର ସାଜିଛନ୍ତି।
କନକବର୍ଦ୍ଧନ-ସଙ୍ଗୀତା
ରାଜ୍ୟ ରାଜନୀତିରେ ଅନ୍ୟତମ ସଫଳ ଦମ୍ପତ୍ତି ହେଉଛନ୍ତି କନକ ବର୍ଦ୍ଧନ ସିଂଦେଓ ଏବଂ ସଙ୍ଗୀତା ସିଂଦେଓ। ଉଭୟ ଏବେ ବିଜେପିର ସକ୍ରିୟ ରାଜନୀତିରେ। ପାଟଣାଗଡ଼ ରାଜା ସାହେବ କନକବର୍ଦ୍ଧନ ବିଧାନସଭାକୁ ନିର୍ବାଚିତ ହେଉଥିବା ବେଳେ ସଙ୍ଗୀତା ବଲାଙ୍ଗିର ଲୋକସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୦୯ ଏବଂ ୨୦୧୪ରେ ସଙ୍ଗୀତାଙ୍କୁ ବିଜେଡିର କଳିକେଶ ସିଂହଦେଓ ପରାଜିତ କରି ଆସୁଛନ୍ତି। ୨୦୧୯ରେ ପୁଣି ସଙ୍ଗୀତା ବିଜେପି ଟିକେଟରୁ ପ୍ରାର୍ଥୀ ହେବା ପାଇଁ ଉଦ୍ୟମ ଚଳାଇଛନ୍ତି।
ସୁବଳ ସାହୁ-ରୀତା ସାହୁ
ସ୍ୱାମୀ ସୁବଳ ସାହୁଙ୍କ ଦେହାନ୍ତ ପରେ ରାଜନୀତି ମଇଦାନକୁ ଆସିଥିଲେ ରୀତା ସାହୁ। ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକେଟରେ ତିନି ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସୁବଳଙ୍କର ୨୦୧୭ ଅଗଷ୍ଟ ୨୨ରେ ଦେହାନ୍ତ ହୋଇଥିଲା।
ସୁବଳଙ୍କ ଦେହାନ୍ତ ପରେ ହିଁ ରୀତା ଆସିଥିଲେ ରାଜନୀତି କ୍ଷେତ୍ରକୁ। କଂଗ୍ରେସ ଛାଡ଼ି ସୁବଳଙ୍କ ପରିବାର ବିଜେଡିରେ ମିଶିଥିଲେ। ୨୦୧୮ରେ ହୋଇଥିବା ବିଜେପୁର ଉପ-ନିର୍ବାଚନରେ ରୀତାଙ୍କୁ ପ୍ରାର୍ଥୀ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ରୀତାଙ୍କୁ ପରାଜିତ କରିବା ପାଇଁ ବିରୋଧୀ ବିଜେପି ଏବଂ କଂଗ୍ରେସ କରିଥିଲେ ରଣନୀତି। ହେଲେ କିଛି କାମ ଦେଇ ନଥିଲା। ସୁବଳ ସାହୁଙ୍କ ଲୋକପ୍ରିୟତା ଏବଂ ନବୀନଙ୍କ ମାଷ୍ଟରଷ୍ଟ୍ରୋକରେ ବିରୋଧୀଙ୍କ ରଣନୀତି ଫେଲ୍ ମାରିଥିଲା। ଶେଷରେ ରୀତା ସାହୁ ବିଜୟୀ ହୋଇଥିଲେ।