ଓଡ଼ିଶାଲାଇଭ୍‌ ବ୍ୟୁରୋ

ହରିଆଣା ରାଜ୍ୟରେ ସୋମବାର ଚଳିତ ଆର୍ଥିକ ବର୍ଷ୨୦୧୯-୨୦ର ଶେଷ ବଜେଟ ଉପସ୍ଥାପନା କରାଯାଇଛି। ଏହି ବଜେଟରେ ଅର୍ଥମନ୍ତ୍ରୀ କ୍ୟାପଟେନ୍‌ ଅଭିମନ୍ୟୁ କୃଷକଙ୍କୁ ଦେଇଛନ୍ତି ଏକ ବଡ଼ ଉପହାର। ଏହି ବଜେଟରେ ହରିୟାଣା ସରକାର କୃଷକଙ୍କ ପାଇଁ କିଷାନ ପେନସନ ଯୋଜନା ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କିଷାନ ନିଧି ଯୋଜନା ଭଳି କିଷାନ ପେନସନ ଯୋଜନା ପାଇଁ ଏହି ବଜେଟରେ ୧୫୦୦କୋଟି ଟଙ୍କା ବ୍ୟୟବରାଦ ହୋଇଛି। ‘କିଷାନ ପେନ୍‌ସନ ଯୋଜନା’ ଅନ୍ତର୍ଗତ ମାସିକ ୧୫ ହଜାର ଟଙ୍କାରୁ କମ ଆୟ ତଥା ୫ ଏକର ଜମି ଥିବା କୃଷକ ପରିବାରକୁ ଲାଭ ମିଳିବ।

ସୋମବାର କୋଟିଲ୍ୟ ଅର୍ଥଶାସ୍ତ୍ରର ଉଦାହରଣ ଦେଇ ଅର୍ଥମନ୍ତ୍ରୀ  ଅଭିମନ୍ୟୁ ଏହି ବଜେଟ ଉପସ୍ଥାପନା ଆରମ୍ଭ କରିଥିଲେ। ବଜେଟ ଉପସ୍ଥାପନା ସମୟରେ ଅର୍ଥମନ୍ତ୍ରୀ କହିଛନ୍ତି, “ପ୍ରଜା ସୁଖେ ସୁଖମ୍‌ ରାଜଃ ପ୍ରଜାନାଂ ଚ ହିତେ ହିତମ”। ନାତ୍ମପ୍ରିୟଂ ପ୍ରିୟଂ ରାଜଃ ପ୍ରଜାନାଂ ତୁ ପ୍ରିୟ ପ୍ରିତମ”। ଏହାର ଅର୍ଥ ପ୍ରଜାଙ୍କ ସୁଖରେ ହିଁ ସରକାର ଖୁସି, ପ୍ରଜାଙ୍କର ହିତରେ ହିଁ ସରକାରଙ୍କ ହିତ, ପ୍ରଜାଙ୍କ ଯାହା ପ୍ରିୟ ତାହା ହିଁ ସରକାରଙ୍କ ପ୍ରିୟ। ବର୍ତ୍ତମାନ ହରିଆଣାରେ ମନୋହର ଲାଲ ଖଟ୍ଟରଙ୍କ ସରକାର ଚାଲିଛି।

ଚଳିତ ବର୍ଷ ଅର୍ଥମନ୍ତ୍ରୀ  ମୋଟ ୧୩,୧୬,୫୯୯ କୋଟି ଟଙ୍କାର ବଜେଟ ଉପସ୍ଥାପନା କରିଛନ୍ତି। ସେଥି ମଧ୍ୟରୁ କୃଷି ବିଭାଗ ପାଇଁ ୩୮୩୪.୩୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେଥିମଧ୍ୟରୁ କୃଷି ପାଇଁ ୨୨୧୦.୫୧ କୋଟି ଟଙ୍କା, ପଶୁପାଳନ ପାଇଁ ୧୦୨୬.୬୮ କୋଟି ଟଙ୍କା, ଉଦ୍ୟାନ ପାଇଁ ୫୨୩.୮୮ କୋଟି ଟଙ୍କା ଓ ମତ୍ସ୍ୟପାଳନ ପାଇଁ ୭୩.୨୬ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

LEAVE A REPLY

Please enter your comment!
Please enter your name here