ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଆଉ ଅଳ୍ପ ଦିନପରେ ଲୋକସଭା ନିର୍ବାଚନ। ନିର୍ବାଚନକୁ ଦୃଷ୍ଟିରେ ରଖି ବଦଳୁଛି ଦେଶର ରାଜନୈତିକ ପାଣିପାଗ। ନିକଟରେ କଂଗ୍ରେସ ଦଳର ଗେମ୍‌ଚେଞ୍ଜର କୁହାଯାଉଥିବା ପ୍ରିୟଙ୍କା ଗାନ୍ଧି ସକ୍ରିୟ ରାଜନୀତିକୁ ଆସିଛନ୍ତି। ଏବେ ପ୍ରିୟଙ୍କାଙ୍କ ସ୍ୱାମୀଙ୍କୁ ରବର୍ଟ ଭଦ୍ରାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।

ପ୍ରିୟଙ୍କା ଗାନ୍ଧିଙ୍କ ସ୍ସାମୀ ରବର୍ଟ ଭଦ୍ରା ସକ୍ରିୟ ରାଜନୀତିକୁ ଆସୁଛନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏନେଇ ରବିବାର ରବର୍ଟ ଭଦ୍ରା ନିଜ ଫେସବୁକ୍‌ରେ ପୋଷ୍ଟରେ ସଂଙ୍କେତ ଦେଇଛନ୍ତି।

ରବର୍ଟ ଭଦ୍ରା ଲେଖିଛନ୍ତି, “ଦେଶର ବିଭିନ୍ନ ସ୍ଥାନରେ ଲୋକମାନଙ୍କ ସେବା କରିବାପରେ ମତେ ଲାଗୁଛି କି ସାଧାରଣ ଜନତାଙ୍କ ପାଇଁ ବଡ଼ ସ୍ତରରେ କାମ କରିବା ଦରକାର। ବିଶେଷ କରି ଉତ୍ତର ପ୍ରଦେଶରେ କାମ କରିବା ପରେ ମତେ ଲାଗୁଛି କି ଲୋକଙ୍କ ଉନ୍ନତି ଲାଗି ଏଠି ଅନେକ କିଛି କାମ କରିବା ବାକି ରହିଛି। ମୋ ଉପରେ ଲାଗିଥିବା ସମସ୍ତ ଆରୋପ ଭୁଲ ସାବ୍ୟସ୍ତ ହେଲା ପରେ, ମୁଁ ଏକ ବଡ଼ ସ୍ତରରେ ଲୋକମାନଙ୍କ ପାଇଁ କାମ କରିବା ପାଇଁ ଚାହୁଁଛି।”

ରବର୍ଟ ଭଦ୍ରା ଆହୁରି ମଧ୍ୟ କହିଛନ୍ତି ଏତେ ଦିନର ଅଭିଜ୍ଞତାକୁ ସେ ବେକାର ଯିବାକୁ ଦେବେନି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି କି ଆଗାମୀ ନିର୍ବାଚନରେ ରବର୍ଟ ଭଦ୍ରା ସକ୍ରିୟ ରାଜନୀତିକୁ ପ୍ରବେଶ କରୁଛନ୍ତି।

ନିର୍ବାଚନୀ ପୋଷ୍ଟରରେ ନଜର ଆସିଲେ ରବର୍ଟ

ଉତ୍ତରପ୍ରଦେଶର ମୁରାଦାବାଦରେ ଲଗାଯାଇଥିବା କିଛି ପୋଷ୍ଟରରେ ନଜର ଆସିଛନ୍ତି ରବର୍ଟ। ଏହାକୁ ନେଇ ରବର୍ଟ ରାଜନୀତିକୁ ଓହ୍ଲାଇବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଏହି ପୋଷ୍ଟରରେ ଲେଖାଯାଇଛି କି, “ରବର୍ଟ ଭଦ୍ରା, ମୁରଦାବାଦ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଆପଣଙ୍କୁ ସ୍ୱାଗତ।” ଏହି ପୋଷ୍ଟର୍‌ର ନିବେଦକ ମୁରାଦାବାଦ ଯୁବ କଂଗ୍ରେସ ବୋଲି ଏଥିରେ ଲେଖାଯାଇଛି। ଅର୍ଥାତ୍‌ ଯଦି ରବର୍ଟ ଭଦ୍ରା ନିର୍ବାଚନ ଲଢନ୍ତି ତେବେ ସେ କଂଗ୍ରେସ ଦଳରୁ ଲଢିବେ ବୋଲି ଜଣାପଡ଼ୁଛି।

ମନି ଲଣ୍ଡରିଂ ମାମଲାରେ ରବର୍ଟଙ୍କୁ ଇଡିର ଜେରା

ମନି ଲଣ୍ଡରିଂ ମାମଲା ଓ ବିକାନେର୍‌ ଜମି ଡିଲ ମାମଲାରେ ବର୍ତ୍ତମାନ ରବର୍ଟ ଭଦ୍ରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଉଡି)ର ଜେରାର ସମ୍ମୁଖୀନ ହୋଇଛନ୍ତି। ବାରମ୍ବାର ଇଡିର ଡାକରା ପରେ ରବର୍ଟ କହିଛନ୍ତି, “ଗତ କିଛି ବର୍ଷ ଧରି ସରକାର ମୋତେ ବଦନାମ କରିବାକୁ ଚେଷ୍ଟା ଚଳାଇଛନ୍ତି। ମୋ ନାଁ’କୁ ବ୍ୟବହାର କରି ବାସ୍ତବିକ ପ୍ରସଙ୍ଗରୁ ଧ୍ୟାନ ହାଟଇବାରେ ଲାଗିଛନ୍ତି। ବର୍ତ୍ତମାନ ଦେଶର ଜନତା ବୁଝିଗଲେଣି ମୋ ଉପରେ ଲାଗିଥିବା ଏହି ଅଭିଯୋଗରେ କୌଣସି ସତ୍ୟତା ନାହିଁ।”

ରବର୍ଟ ବହୁ ସମୟ ଧରି ଏନ୍‌ଜିଓ ସହିତ ଜଡ଼ିତ ହୋଇ ସମାଜ କଲ୍ୟାଣ ଦିଗରେ କାମ କରୁଛନ୍ତି। ତେବେ ରବର୍ଟଙ୍କୁ ଲୋକଙ୍କ ହିତରେ କାମ କରିବା ପାଇଁ ମୋଦିଙ୍କ ଅନୁମତି ଦରକାର ନାହିଁ ବୋଲି କଂଗ୍ରେସ ପ୍ରବକ୍ତା ପବନ ଖେଡ଼ା କହିଛନ୍ତି। ଏହାକୁ ତାତ୍ସଲ୍ୟ କରି ଭାଜପା କହିଛି, ଆଗାମୀ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସକୁ ନିଜ ପ୍ରାର୍ଥୀ ମିଳିଯାଇଛି।

ତେବେ ଆଗାମୀ ନିର୍ବାଚନରେ ରବର୍ଟଙ୍କ ନିଷ୍ପତ୍ତି କଣ ରହୁଛି। ସେ ରାଜନୀତକୁ ଆସୁଛନ୍ତି କି ନାହିଁ। ଯଦି ଆସୁଛନ୍ତି ତେବେ କେଉଁଠୁ ଓ କେଉଁ ଦଳରୁ ନିର୍ବାଚନ ଲଢୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପଟେ କଂଗ୍ରେସର ସାଧାରଣ ସମ୍ପାଦିକ ତଥା ପତ୍ନୀ ପ୍ରିୟଙ୍କାଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ସେ ଉତ୍ତରପ୍ରଦେଶରେ ନେତା ଓ କର୍ମୀଙ୍କ ସହ ମାରାଥନ ବୈଠକ ଓ ଆଲୋଚନା କରୁଛନ୍ତି।

Comment