ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଦୁଇଟି ଓଡ଼ିଆ ଫିଲ୍ମରେ ଅସୀମା ପଣ୍ଡାଙ୍କୁ ଦେଖିବାକୁ ପାଇବେ ଦର୍ଶକ।
ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦେଇ ଓଡ଼ିଆ ଦର୍ଶକମାନଙ୍କୁ ନଚେଇଥିବା ଅସୀମା ପଣ୍ଡା ଏବେ ଅଭିନୟ ଦୁନିଆରେ ପାଦ ରଖିଛନ୍ତି। ମ୍ୟୁଜିକ ଇଣ୍ଡଷ୍ଟ୍ରୀରୁ ସେ ସିଧାସଳଖ ବଡ଼ ପରଦାକୁ ଆସିଛନ୍ତି।
ଗୀତ ଗାଇ ଶ୍ରୋତାଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଅସୀମାଙ୍କ ଜଲୱା ଫିଲ୍ମରେ ଦେଖିବାକୁ ମିଳିବ।
୨୦୧୯ରେ ମୁକ୍ତିଲାଭ କରିବାକୁ ଯାଉଛି ଫିଲ୍ମ ‘ମାଲ ମହୁ ଜୀବନ ମାଟି, ଭାଗ୍ୟର ନୋ ଗ୍ୟାରେଣ୍ଟି’। ଏଥିରେ ଓଲିଉଡର ଚକୋଲେଟ ହିରୋ ସବ୍ୟସାଚୀ ନାୟକ ସାଜିଥିବା ବେଳେ ନାୟିକା ସାଜିଛନ୍ତି ଏଲିନା। ତେବେ ଏହି ଫିଲ୍ମରୁ ଅସୀମା ତାଙ୍କର ଅଭିନୟ କ୍ୟାରିଅର ଆରମ୍ଭ କରିଛନ୍ତି।
ଏହି ଫିଲ୍ମରେ ସେ ଛୋଟିଆ ଚରିତ୍ରରେ ଅଭିନୟ କରିଛନ୍ତି। ଅସୀମା ନିଜର ପ୍ରଥମ ଅଭିନୟକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି।
ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର।
ଅସୀମାଙ୍କ ପ୍ରଥମ ଫିଲ୍ମ ପରଦାକୁ ନଆସୁଣୁ ଆଉ ଏକ ଫିଲ୍ମର ଅଫର ଅସୀମାଙ୍କ ହାତକୁ ଆସିଛି। ଏହି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି। ଏପ୍ରିଲ ୭ରେ ରିଲିଜ ହେବାକୁ ଯାଉଥିବା ‘ଚିର୍କୁଟ୍’ରେ ଅସୀମା ଅଭିନୟ କରିଛନ୍ତି।
ଏହି ଫିଲ୍ମଟି ଏକ ଭିନ୍ନ ସ୍ୱାଦର ଫିଲ୍ମ। ଏହାର ନିର୍ଦ୍ଦେଶନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କମେଡି କିଙ୍ଗ୍ ପପୁ ପମ୍ ପମ୍। ଏଥିରେ ଅସୀମା ଗୀତ ଗାଇବା ସହ ଅଭିନୟ କରିଛନ୍ତି। ଏହି ଫିଲ୍ମରେ କବାଲି ସଙ୍ଗୀତ ରହିଛି। ଏହାକୁ ନିଜେ ଅସୀମା ଗାଇବା ସହ ଅଭିନୟ ମଧ୍ୟ କରିଛନ୍ତି।
“ମାଲ ମହୁ ଜୀବନ ମାଟି ଫିଲ୍ମରେ ମୁଁ ଛୋଟ ଅଭିନୟ କରିଛି। ଏହାସହ ପପୁ ପମ୍ ପମ୍ଙ୍କ ଚିରକୁଟରେ ମଧ୍ୟ ମତେ ସୁଯୋଗ ମିଳିଛି। ଏହି ଫିଲ୍ମରେ ମତେ କବାଲି ସଙ୍ଗୀତରେ ମୁଁ ଅଭିନୟ କରିଛି। ସଙ୍ଗୀତକୁ ନେଇ ଯାହା ମତେ ଅଭିନୟ କରିବାର ସୁଯୋଗ ମିଳିବ ତାହା ମୁଁ କରିବି”, ଗଣମାଧ୍ୟମକୁ କହିଛନ୍ତି ଅସୀମା ପଣ୍ଡା।
ଅସୀମା ପଣ୍ଡା ବିଗତ ଦିନରେ ଓଡିଆ ଇଣ୍ଡଷ୍ଟ୍ରୀକୁ ଅନେକ ହିଟ୍ ଗୀତ ଦେଇ ଚର୍ଚ୍ଚାରେ ରହିଛନ୍ତି। ‘ନଡ଼ିଆ ତେଲ’, ‘ଜିଗରବାଲା’, ‘ରିମ୍ଝିମ୍ ପାନି ବର୍ଷୁଥିଲା’, ‘କଟକର ଦଶରାରେ ଦେଖାହେଲା’, ‘ମାଟ୍ରିକ ଫେଲ୍’, ‘ତୁ ମୋ ହିରୋ’ ଆଦି ଗୀତ ଗାଇ ଅସୀମା ଚହଳ କରିଥିଲେ। ଏହାସହ ସେ ଅନେକ ଭଜନ ମଧ୍ୟ ଗାଇଛନ୍ତି।
ଗୀତ ଗାଇ ୟୁଟ୍ୟୁବ୍ ଚ୍ୟାନେଲରେ ଲୋକପ୍ରିୟ ହୋଇଥିବା ଅସୀମାଙ୍କୁ ବଡ଼ ପରଦାରେ କେତେ କ୍ରେଜ୍ ମିଳୁଛି ତାହା ଦେଖିବାର କଥା।








ଦୁଇଟି ଓଡ଼ିଆ ଫିଲ୍ମରେ ଅସୀମା ପଣ୍ଡାଙ୍କୁ ଦେଖିବାକୁ ପାଇବେ ଦର୍ଶକ।