ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ରାଜ୍ୟ ରାଜନୀତିରେ ରାଜ ପରିବାରର ସଦସ୍ୟଙ୍କୁ ନେଇ ଚର୍ଚ୍ଚା ଜୋର୍।
ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳରେ ନେତାଙ୍କ ଯୋଗ – ବିଯୋଗ ଚାଲିଥିବା ବେଳେ ଶାସକ ବିଜେଡିକୁ ଇତିମଧ୍ୟରେ କିଛି ନୂଆ ସଦସ୍ୟ ଆସିଛନ୍ତି ଯେଉଁମାନେ ରାଜ ପରିବାରର। ଦୁଇ ଦିନ ତଳେ ବିଭିନ୍ନ ରାଜା ମହାରାଜାଙ୍କ ନାତି ନାତୁଣୀ ବିଜେଡିରେ ଯୋଗ ଦେଇଛନ୍ତି।
ଦକ୍ଷିଣ ଓଡ଼ିଶାର ତିନି ରାଜ ପରିବାର
ନିହାତି କମରେ ଦକ୍ଷିଣ ଓଡ଼ିଶାର ତିନୋଟି ରାଜ ପରିବାର ନବୀନଙ୍କ ଦଳକୁ ସେମାନଙ୍କ ସମର୍ଥନ ଜଣାଇଛନ୍ତି। ଏମାନଙ୍କ ମଧ୍ୟରୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ହେଉଛି କଲ୍ୟାଣି ଗଜପତିଙ୍କର। ସେ ହେଉଛନ୍ତି ଆଧୁନିକ ଓଡ଼ିଶା ଗଠନର ଅନ୍ୟତମ ମହାରଥୀ ଓ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ନାତୁଣୀ।
କଲ୍ୟାଣୀଙ୍କ ବ୍ୟତୀତ ଗଞ୍ଜାମ ପୁଡ଼ାମାରିର ରାଜା ବୀର କିଶୋର ଦେବ ଓ ସାନଖେମୁଣ୍ଡି-ବଡ଼ଗଡ଼ ରାଜା ଉଦୟ ନାରାୟଣ ଦେବଙ୍କ ପୁଅ କିଶୋର ଚନ୍ଦ୍ର ସିଂଦେଓ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏ ତିନିହେଁ ଦଳରେ ସାମିଲ ହୋଇଥିଲେ। ନବୀନଙ୍କ ନେତୃତ୍ୱକୁ ସମର୍ଥନ ଓ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବା ସକାଶେ ସଂକଳ୍ପ କରିଥିବା ଏହି ତିନି ରାଜପୁତ୍ର ଓ ରାଜକନ୍ୟାଙ୍କ ଅସଲ ଉଦ୍ଦେଶ୍ୟ କିନ୍ତୁ ହେଉଛି ନିର୍ବାଚନରେ ପ୍ରାର୍ଥୀ ହେବା।
ଢେଙ୍କାନାଳ ଧମାକା
କେବଳ ବିଜେଡି ନୁହେଁ, ଅନ୍ୟ ଦୁଇ ଦଳ ବିଜେପି ଓ କଂଗ୍ରେସରେ ମଧ୍ୟ ରାଜ ପରିବାରର ସଦସ୍ୟଙ୍କ ଢେର ଉପସ୍ଥିତି ରହିଛି। ଢେଙ୍କାନାଳ ରାଜା ଓ ଛଅ ଥର ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିବା କାମାକ୍ଷା ପ୍ରସାଦ ସିଂହଦେଓ ଏଥର ପୁଣି ମଇଦାନକୁ ଓହ୍ଲାଇ ପାରନ୍ତି।୧୯୬୭ରୁ କେପି ସିଂଦେଓ ରାଜନୀତିରେ ଅଛନ୍ତି। ଖାଲି କେପି ନୁହନ୍ତି ତାଙ୍କ ପୁଅ ଅମର ଜ୍ୟୋତି ମଧ୍ୟ ଏଥର ଟିକେଟ ପାଇବାର ସମ୍ଭାବନା ରହିଛି।
ବଲାଙ୍ଗିର ଓ କଳାହାଣ୍ଡିର ରାଜ ପରିବାର
ବଲାଙ୍ଗିର ଓ କଳାହାଣ୍ଡିର ରାଜ ପରିବାର ତ ଏମିତି ବି ରାଜନୀତିରେ ରହି ଆସିଛନ୍ତି। ଏହି ରାଜାମାନେ ୧୯୬୭ରେ ଗଣତନ୍ତ୍ର ପରିଷଦ ନାମକ ଦଳ ଗଠନ କରିଥିଲେ। ରାଜେନ୍ଦ୍ର ନାରାୟଣ ସିଂହଦେଓ ୧୯୬୭-୭୧ ଏହି ୫ ବର୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବି ଥିଲେ। ସେହିଭଳି କଳାହାଣ୍ଡି ରାଜା ପ୍ରତାପ କେଶରୀ ଦେଓ ଗଣତନ୍ତ୍ର ପରିଷଦର ଅନ୍ୟ ଏକ ଅବଲମ୍ବନ ଥିଲେ।
ରାଜେନ୍ଦ୍ର ନାରାୟଣଙ୍କ ପୁଅ ଅନଙ୍ଗ ଉଦୟ ସିଂହଦେଓ ବହୁ ଥର ମନ୍ତ୍ରୀ ରହିଛନ୍ତି ଓ ସେ ନବୀନଙ୍କ ଜଣେ ଭଲ ବନ୍ଧୁ। ଏୟୁ ନାମରେ ପରିଚିତ ଅନଙ୍ଗ ଉଦୟ ବର୍ତ୍ତମାନ ରାଜ୍ୟସଭାରେ ସଦସ୍ୟ ଅଛନ୍ତି। ଏୟୁଙ୍କ ଦୁଇ ପୁଅ ମଧ୍ୟ ରାଜନୀତିରେ। କଳିକେଶ ବଲାଙ୍ଗିର ସାଂସଦ ଥିବା ବେଳେ ଏୟୁଙ୍କ ସାନ ପୁଅ ଅର୍କେଶ ବିଜେଡିରେ ରହି ବଲାଙ୍ଗିର ରାଜନୀତିକୁ ଚଳାଇଛନ୍ତି।
ଏୟୁଙ୍କ ପୁତୁରା କନକ ବର୍ଦ୍ଧନ ସିଂହଦେଓ ପାଟଣାଗଡ଼ରୁ କ୍ରମାଗତ ଭାବେ ବିଧାୟକ ରହି ଆସିଛନ୍ତି। କନକଙ୍କ ଧର୍ମପତ୍ନୀ ସଂଗୀତା ସିଂହଦେଓ ଯିଏ ଆଗରୁ ସାଂସଦ ରହି ସାରିଛନ୍ତି ଏଥର ବଲାଙ୍ଗିରରୁ ଲଢ଼ିବା ନିଶ୍ଚିତ।
କଳାହାଣ୍ଡି ରାଜା ପ୍ରତାପ କେଶରୀ ଦେଓଙ୍କ ସାନ ପୁଅ ବିକ୍ରମ କେଶରୀ ଦେଓ ବିଜେପିରୁ ଦୁଇ ଥର କଳାହାଣ୍ଡି ଆସନରୁ ଲୋକସଭାକୁ ଯାଇଛନ୍ତି। ତାଙ୍କ ପୁଅ ଅର୍କ କେଶରୀ ଦେଓ ବିଜେଡିରେ ମିଶିବା ପରେ କଲହାଣ୍ଡିରୁ ଜିତି ଏବେ ସାଂସଦ ରହିଛନ୍ତି। ଅର୍କଙ୍କ ପୁତୁରା ଅନନ୍ତ ପ୍ରତାପ ଦେଓ ଜୁନାଗଡ଼ କଂଗ୍ରେସର ଜଣେ ପ୍ରଭାବଶାଳୀ ନେତା। ସେ ଏଥର ପ୍ରାର୍ଥୀ ହେବା ପ୍ରାୟ ନିଶ୍ଚିତ।
ଗଙ୍ଗବଂଶୀ ରାଜନୀତି
ଆୟତନରେ ଛୋଟ ହେଲେ ବି ଦେବଗଡ଼ ଜିଲ୍ଲାରେ ରାଜ ପରିବାରର ପ୍ରଭାବ କିଛି କମ୍ ନୁହେଁ। ଦେବଗଡ଼ ରାଜ ପରିବାରର ଦାୟଦ ଓ ପୂର୍ବତନ ବିଧାୟକ ପ୍ରଦୀପ୍ତ ଗଙ୍ଗଦେବଙ୍କ ପୁଅ ହେଉଛନ୍ତି ନୀତିଶ ଗଙ୍ଗଦେବ। ସେ ବହୁ ଦିନରୁ ରାଜନୀତିରେ ଅଛନ୍ତି ଓ ଏବେ ବିଜେପିରୁ ଦେବଗଡ଼ ବିଧାନସଭା ଆସନକୁ ପ୍ରତିନିଧିତ୍ୱ କରୁଛନ୍ତି।
ନୂଆ-ପୁରୁଣା
ଆଉ ଜଣେ ରାଜା ପରିବାରର ସଦସ୍ୟ ଏଇକ୍ଷଣି ସକ୍ରିୟ ରାଜନୀତିରେ ଅଛନ୍ତି ଓ ଏଥର ଟିକେଟ ପାଇବାର ସମ୍ଭାବନା ରହିଛି। ସେ ହେଲେ ଖଡ଼ିଆଳର ରାଜା ଅନୁପ ସିଂଦେଓଙ୍କ ନାତି ଦେବ ସିଂହଦେଓ। ଏଥର ରାଜନୀତିରେ ପଶିବା ଭିତରେ ଆହୁରି ମଧ୍ୟ ଅଛନ୍ତି ଚିକିଟି ରାଣୀ ଉଷା ଦେବୀଙ୍କ ପୁଅ।
ବିଜେଡି ରାଜନୀତିରେ ରାଜ ପରିବାରର ଦବଦବା ଭଲମତେ ରହିଥିବାର ଅନ୍ୟ ଏକ ପ୍ରମାଣ ଭି ସୁଜ୍ଞାନ କୁମାରୀ ଦେଓ। ସେ ଶାସକ ଦଳର ଜଣେ ଭେଟେରାନ ଓ ଖଲ୍ଲିକୋଟରୁ ଲଗାତାର ଜିତି ଆସିଛନ୍ତି। କୋକ୍ସରା ବିଧାୟକ ଓ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ତଥା ଆଳି ରାଜା ଓ ରାଜ୍ୟସଭା ସାଂସଦ ପ୍ରତାପ ଦେବଙ୍କ ରାଜନୀତିରେ ଥିବା କଥା କିଏ ଅବା ନଜାଣେ?








ରାଜ୍ୟ ରାଜନୀତିରେ ରାଜ ପରିବାରର ସଦସ୍ୟଙ୍କୁ ନେଇ ଚର୍ଚ୍ଚା ଜୋର୍।









