ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଶାସକ ବିଜୁ ଜନତା ଦଳରେ ଅଧିକରୁ ଅଧିକ ପୂର୍ବତନ ପ୍ରଶାସକ ଯୋଗ ଦେବା ଏକ ନୂଆ ଟ୍ରେଣ୍ଡ ହୋଇଛି। ବିଗତ କିଛି ଦିନ ମଧ୍ୟରେ ଅଧା ଡଜନ ପ୍ରାୟ ଅଫିସର ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ଦଳରେ ଯୋଗ ଦେଇଛନ୍ତି। ପୂର୍ବତନ ପୂର୍ତ୍ତ ସଚିବ ନଳିନୀ କାନ୍ତ ପ୍ରଧାନ ବିଜେଡିରେ ଯୋଗ ଦେବେ ବୋଲି ବହୁତ ଦିନରୁ ଶୁଣା ଯାଉଥିଲା। ଏବେ ସେ ତାହା କରି ଦେଖେଇଛନ୍ତି। ଫେବୃଆରୀ ୧୮ ତାରିଖରେ ଚାକିରିରୁ ଇସ୍ତଫା ଦେବା ପରେ ତା ପର ଦିନ ହିଁ ସେ ବିଜେଡିରେ ସାମିଲ ହୋଇଥିଲେ।
ସେହିଭଳି ଆଉ ଜଣେ ଅଫିସର ରମେଶ ଚନ୍ଦ୍ର ସାଏ ବି ବିଜେଡିରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ନିର୍ଦେଶକ ଥିଲେ। ଖବର ଆସୁଛି ଯେ ନଳିନୀ ପ୍ରଧାନ ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡିରୁ ପ୍ରାର୍ଥୀ ହେବେ। ସେହିଭଳି ରମେଶ ସାଏ ଆଠମଲ୍ଲିକ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ।
ବସ୍ତୁତଃ, ଏଥର ନିର୍ବାଚନରେ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ବିଜେଡି ଅନେକ ବାବୁଙ୍କୁ ଟିକେଟ ଦେବ। ପୂର୍ବରୁ ପ୍ରାକ୍ତନ ମୁମ୍ବାଇ ପୋଲିସ କମିଶନର ଅରୂପ ପଟନାୟକ ଓ ପ୍ରାକ୍ତନ ପମୁଖ୍ୟ ଅକାଉଣ୍ଟାଣ୍ଟ ଜେନେରାଲ ଅମର ପଟନାୟକ, ପୂର୍ବତନ ଆଇଏଏସ ଅଫିସର ରବି ନନ୍ଦ ଓ ଆକାଶବାଣୀର ପୂର୍ବତନ ମହାନିର୍ଦ୍ଦେଶକ ଗିରିଧାରୀ ମହାନ୍ତି ବିଜେଡିରେ ଯୋଗ ଦେଇସାରିଛନ୍ତି। ଏ ସମସ୍ତ ଅଫିସର କୌଣସି ନା କୌଣସି ପ୍ରକାର ଥଇଥାନ ହେବା ଏକରକମ ନିଶ୍ଚିତ ବୋଲି ଜଣାପଡ଼ିଛି।



















