ଓଡ଼ିଶାଲାଇଭ୍ ବ୍ୟୁରୋ
ଯେଉଁ ବାପା ମା’ଙ୍କର ଝିଅ ବିବାହ ଯୋଗ୍ୟ ହୋଇଯାଏ ତାର ବାହାଘର ପାଇଁ ବରପତ୍ର ଖୋଜନ୍ତି। କିନ୍ତୁ ଥାଇଲାଣ୍ଡର ଜଣେ କୋଟିପତି ବ୍ୟକ୍ତି ନିଜ ଝିଅର ବିବାହ ପାଇଁ ଯେଉଁ ଘୋଷଣା କରିଛନ୍ତି, ତାକୁ ନେଇ ସବୁଆଡ଼େ ଚର୍ଚ୍ଚା।
ଯିଏ ତାଙ୍କ ଝିଅକୁ ବିବାହ କରିବ, ତାକୁ ୨ କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା କରିବା ପରେ ଏବେ ବିବାହ ପାଇଁ ଯୁବକଙ୍କ ଭିଡ଼ ଲାଗୁଥିବା ଜଣାପଡ଼ିଛି।
ଚୁମ୍ଫୋନରେ ରହୁଥିବା ଆରନନ୍ ରଡଥଙ୍ଗ ନିଜ ୨୬ ବର୍ଷୀୟ ଝିଅର ବିବାହ ହୋଇ ପାରୁନଥିବାରୁ ଏଭଳି କରିବା ପାଇଁ ଚିନ୍ତା କରିଥିଲେ। ଆରନନଙ୍କ ଝିଅ କର୍ନିଷ୍ଟା ସ୍ନାତକ ହାସଲ କରି ସାରିଥିବା ସହ ଚାଇନିଜ୍ ଏବଂ ଇଂରାଜୀ ଭାଷା କହି ପାରୁଛନ୍ତି। ଏତେ ସବୁ ପରେ ମଧ୍ୟ କର୍ନିଷ୍ଟାଙ୍କ ବିବାହ ହୋଇ ପାରୁନଥିବାରୁ ଆରନନ୍ ୨ କୋଟି ଟଙ୍କାର ଉପହାର ରାଶି ଘୋଷଣା କରିଛନ୍ତି।
କିନ୍ତୁ ନିଜ ଝିଅ ପାଇଁ ସେ ୩ଟି ଗୁଣ ଥିବା ବର ଖୋଜୁଥିବା ନେଇ ସ୍ପଷ୍ଟ କରିଛନ୍ତି। ଏହି ୩ଟି ଗୁଣ ଥିଲେ ଯାଇ ତାଙ୍କ ଝିଅକୁ ବିବାହ କରି ପାରିବ ବୋଲି ଆରନନ୍ ଜଣାଇଛନ୍ତି।
ତାଙ୍କ ଝିଅକୁ ବିବାହ କରିବା ପାଇଁ ହେଲେ, ପ୍ରଥମେ ବର ଲେଖିପଢ଼ି ଜାଣିବା ଦରକାର, ଅଳସୁଆ ନ ହୋଇ କଠିନ ପରିଶ୍ରମ କରିବାରେ ବିଶ୍ୱାସ ରଖୁଥିବ, କଞ୍ଜୁସ ହୋଇ ନଥିବା ଦରକାର ବୋଲି କହିଛନ୍ତି ଆରନନ୍।
ଆରନନ୍ ଜଣେ ଡୁରିଆନ୍ କୃଷକ ହୋଇଥିବା ବେଳେ ଝିଅର ବିବାହ ପରେ ତାଙ୍କ ଜ୍ୱାଇଁ ସେ ସବୁ ସମ୍ଭାଳୁ ବୋଲି ସେ ଇଚ୍ଛା ରଖିଛନ୍ତି। ଯେଉଁଥିପାଇଁ ସେ ଏହି ୩ଟି ଗୁଣ ଥିବା ଯୁବକ ଖୋଜୁଛନ୍ତି।








