ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୟନ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଖବର ଆସୁଛି ଯେ ବିଜେପିର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଏଠାରୁ ପ୍ରାର୍ଥୀ ହେବା ଏକରକମ ନିଶ୍ଚିତ। ଶାସକ ବିଜେଡିରୁ କିଏ ପ୍ରାର୍ଥୀ ହେବେ ସେ କଥା ସ୍ପଷ୍ଟ ହୋଇ ନଥିଲେ ହେଁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ଦଳର ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁଙ୍କୁ ପ୍ରାର୍ଥୀ କରାଯିବ।
ଅବଶ୍ୟ ପାରଳାଖେମୁଣ୍ଡିର ରାଣୀ କଲ୍ୟାଣୀ ଦେବୀଙ୍କ ନାମ ବି ଶୁଣାଯାଉଛି। ତେବେ ଏ ଦୁଇ ଜଣଙ୍କ ଭିତରୁ ଯିଏ ବି ପ୍ରାର୍ଥୀ ହୁଅନ୍ତୁ ବିଜେପି ପ୍ରାର୍ଥୀଙ୍କୁ ଟକ୍କର ଦେବା କଷ୍ଟ।
ଚନ୍ଦ୍ର ଅସ୍ତ ହେବେ?
ଆଲୋଚନା ହେଉଛି ଯେ କେନ୍ଦ୍ର ମନ୍ତ୍ରୀ ରହିବା ସତ୍ତ୍ୱେ ଚନ୍ଦ୍ରଶେଖର ସାହୁ ଲୋକଙ୍କ ଆଶା ପୂରଣ କରିବାରେ ବିଫଳ ହୋଇଥିଲେ। ଏଇଥି ପାଇଁ ୨୦୧୪ ନିର୍ବାଚନରେ ସେ ସିଦ୍ଧାନ୍ତ ମହାପାତ୍ରଙ୍କଠାରୁ ହାରି ଯାଇଥିଲେ। ଇତିମଧ୍ୟରେ ସେ ବିଜେଡିରେ ଯୋଗ ଦେଇଛନ୍ତି ସତ ହେଲେ ଅତୀତ କାର୍ଯ୍ୟର ସମୀକ୍ଷା ଭୋଟର ନିଶ୍ଚିତ ଭାବରେ କରିବେ।
ଅରାଣୀ କଲ୍ୟାଣୀ
ତେଣେ ଅନ୍ୟ ଜଣେ ପ୍ରାର୍ଥୀ କଲ୍ୟାଣୀ ଦେବୀ ବ୍ରହ୍ମପୁର ଲୋକସଭା ଆସନର ଧାର ଧରିନାହାନ୍ତି। ଗୋପୀନାଥ ଗଜପତିଙ୍କ ଝିଅ ହେବା ସତ୍ତ୍ୱେ ସେ ଦୀର୍ଘ ବର୍ଷ ଧରି ବାହାରେ ରହୁଥିଲେ। କେବଳ ନିର୍ବାଚନକୁ ଆଖି ଆଗରେ ରଖି ସେ ଚେନ୍ନାଇରୁ ସିଧା ସଳଖ ଆସି ବିଜେଡିରେ ଯୋଗ ଦେଇଥିଲେ।
ତୃଣମୂଳ ସ୍ତରର ରାଜନୀତି ସମ୍ପର୍କରେ ତାଙ୍କର କୌଣସି ଧାରଣା ନଥିବାରୁ ଭୋଟରଙ୍କୁ ସେ ପ୍ରଭାବିତ କରିବା ସମ୍ଭବ ନୁହେଁ। ତେବେ ସାହୁ ହୁଅନ୍ତୁ କି କଲ୍ୟାଣୀ ହୁଅନ୍ତୁ ଯେହେତୁ ବିଜେଡିରୁ ପ୍ରାର୍ଥୀ ହେବେ ନିଜ ନିଜର ଯେତେ ସମସ୍ୟା ରହିଛି ସେଥିରୁ ପାରପାଇ ଯାଇପାରନ୍ତି।
ଭୃଗୁଙ୍କ ପଲ୍ଲା ଭାରି
ଏହିଭଳି ସ୍ଥିତିରେ ବିଜେପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ପଲ୍ଲା ଭାରି ଥିବା ଜଣାପଡ଼ୁଛି। ଯଦି ଭୃଗୁ ବିଜେପି ପ୍ରାର୍ଥୀ ହୁଅନ୍ତି ତେବେ ବିଜେଡି ପ୍ରାର୍ଥୀଙ୍କୁ ଏଠି ଜିତିବା କଷ୍ଟକର ହୋଇ ପଡ଼ିବ। ଏହାର କାରଣ ଭୃଗୁ ବିଗତ ଚାରି ବର୍ଷ ଧରି ବ୍ରହ୍ମପୁର ଲୋକସଭା ଆସନକୁ ଲାଳନ ପାଳନ କରି ଆସିଛନ୍ତି। ଯଦିଓ ଭୃଗୁଙ୍କ ଘର ଅବିଭକ୍ତ କୋରାପୁଟ ଜିଲ୍ଲାରେ, ତଥାପି ତାଙ୍କର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଖୁବ୍ ପ୍ରଭାବ ରହିଛି। ବସ୍ତୁତଃ ସେ ୨୦୧୫ ମସିହାରୁ ବ୍ରହ୍ମପୁର ଆସନ ଉପରେ ଆଖି ରଖି ଆସିଛନ୍ତି।
ଯଦିଓ ବ୍ରହ୍ମପୁର ଆସନଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଭିତରେ ଆସୁଛି ଓ ଏଠି ବିଜେଡିର ବଡ଼ ବଡ଼ ହସ୍ତୀ ଅଛନ୍ତି, ତଥାପି ବିଜେପିର ସ୍ଥିତି ସେତେଟା ଖରାପ ନୁହେଁ। ଦଳ ଇତି ମଧ୍ୟରେ ତାର ସଙ୍ଗଠନକୁ ସୁଦୃଢ଼ କରି ପାରିଛି।
ଭୃଗୁଙ୍କ ସୁବିଧା ହେଉଛି ଯେ ସଙ୍ଗଠନରେ ସେ ଖୁବ୍ ପାରଙ୍ଗମ। ଆହୁରି ମଧ୍ୟ ମୋଦି ସରକାରଙ୍କ ଉଜ୍ଜ୍ୱଳା ଯୋଜନାକୁ ସଫଳ କରାଇବାରେ ଭୃଗୁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ବର୍ତ୍ତମାନ ଯାହା ସ୍ଥିତି ଭୃଗୁ ଯଦି ଅଧିକ ପରିଶ୍ରମ କରନ୍ତି ତେବେ ଫଳ ତାଙ୍କ ସପକ୍ଷରେ ବଦଳି ଯାଇପାରେ।
ଆଶା କରାଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ପାଇଁ ବ୍ରହ୍ମପୁର ଆସିବେ। ଯଦି ତାହା ହୁଏ ବିଜେଡି ପ୍ରାର୍ଥୀଙ୍କୁ ଭୃଗୁ କଡ଼ା ଚାଲେଞ୍ଜ ଦେବେ।


















