ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କଲେଜ ସମୟରୁ କବିତା ଲେଖି ଏବେ ଓଲିଉଡରେ ଜଣେ ସକ୍ରିୟ ଗୀତିକାର ଭାବେ ପରିଚୟ ସୃଷ୍ଟି କରିଛନ୍ତି ତପୁ ନାୟକ।

‘କୁହ ଦେଖି ଦୁନିଆରେ କୋଉ ମଣିଷଟା ଭଲ ପାଇ ନାହିଁ’, ଓଡ଼ିଆ ସଙ୍ଗୀତ ଜଗତର ଅତି ଲୋକପ୍ରିୟ ଗୀତ ମଧ୍ୟରୁ ଗୋଟିଏ। ଏହି ଗୀତକୁ ଶ୍ରୋତା ଖୁବ୍‌ ପସନ୍ଦ କରିଥିଲେ। ସେ ସମୟରେ ଗୀତରେ ସୁନ୍ଦର ଶବ୍ଦ ସଂଯୋଜନା ହିଁ ଗୀତକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା।

ଆଜି ବି ଏହି ଗୀତ କାନରେ ବାଜିଲେ ଧ୍ୟାନ ସେହି ଆଡ଼କୁ ହିଁ ଆକର୍ଷିତ ହୋଇଥାଏ। ଏହି ଗୀତରେ ପ୍ରେମ ଭଳି ଏକ ଶାଶ୍ୱତ ଅନୁଭବରେ ମିଳନ ଓ ବିରହର ସ୍ପର୍ଶ ବାରି ହୋଇପଡ଼େ। ଏହି ଗୀତ ସିନା ଓଡ଼ିଶାର ପ୍ରତିଟି ଶ୍ରୋତାଙ୍କ ପାଖରେ ପରିଚିତ ହେଲେ ଏହି ଗୀତକୁ ଶବ୍ଦରେ ସଜାଇଥିବା ସେହି ଗୀତିକାରଙ୍କୁ ହୁଏତ ଅନେକ ଜାଣିନଥିବେ।

ତେବେ ଆସନ୍ତୁ ଜାଣିବା ସେହି ଯୁବ ଗୀତିକାରଙ୍କୁ ଯାହାଙ୍କ ପାଇଁ ଉଭୟ ନିଶା ଓ ପେସା ହେଉଛି ସଙ୍ଗୀତ। ଯିଏ ଅନେକ ହିଟ୍‌ ଗୀତ ଓଡ଼ିଆ ସଙ୍ଗୀତ ଜଗତକୁ ଭେଟି ଦେଇଛନ୍ତି।

ଏହି ଯୁବ ଗୀତିକାର ଜଣକ ହେଉଛନ୍ତି ତପୁ ନାୟକ। ଯିଏକି କଲେଜ ସମୟରୁ କବିତା ଲେଖିବାରେ ରୁଚି ରଖି ଆଜି ଜଣେ ଯୁବ ସଫଳ ଗୀତିକାର ଭାବେ ଓଡ଼ିଶାରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

୧୯୮୭ ମସିହା ଡିସେମ୍ବର ୧ରେ ଜଗତସିଂହପୁର ସୋମପୁରରେ ଜନ୍ମ ଗ୍ରହଣ କରିଥିଲେ ତପୁ ନାୟକ। ମା’ କମଳା ନାୟକ ଓ ବାପା ଲକ୍ଷ୍ମୀଧର ନାୟକଙ୍କ ପ୍ରଥମ ସନ୍ତାନ ହେଉଛନ୍ତି ତପୁ।

୩୨ ବର୍ଷୀୟ ତପୁ ନିଜର ସୁନ୍ଦର ଗୀତ ରଚନା ପାଇଁ ଓଡ଼ିଶାରେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି। ତପୁଙ୍କ ପ୍ରାୟ ସବୁ ଗୀତରେ ପ୍ରେମ ଓ ବିରହର ଚିତ୍ର ଦେଖିବାକୁ ମିଳିଥଏ। ମାତ୍ର ତାଙ୍କର କିଛି ରୋମାଣ୍ଟିକ ଗୀତ ଅଛି ଯାହାକୁ ସମସ୍ତ ବର୍ଗର ଲୋକେ ସେ ପ୍ରେମରେ ପଡିଥାଉ କିମ୍ବା ନ ପଡିଥାଉ ସେମାନେ ପସନ୍ଦ କରିଥାନ୍ତି।

କ୍ୟାରିୟର ସମ୍ପର୍କରେ କ’ଣ କହନ୍ତି ତପୁ?

“ମୁଁ ଲେଖାଲେଖି କଲେଜ ସମୟରୁ ହିଁ ଆରମ୍ଭ କରିଥିଲି। ଏସ୍‌ଭିଏମ୍‌ କଲେଜ, ଜଗତସିଂହପୁରରେ ପଢ଼ିଲାବେଳୁ ଛୋଟ ଛୋଟ କବିତା ଲେଖିବା ଆରମ୍ଭ କରିଥିଲି। ମୋର ଲେଖାଗୁଡ଼ିକ କଲେଜ୍‌ ମାଗାଜିନରେ ପ୍ରକାଶିତ ହେଉଥିଲା। ଯାହା କଲେଜରେ ମୋତେ ପ୍ରିୟ କରାଇଥିଲା। ସାଙ୍ଗମାନେ ଆଗକୁ ଆହୁରି ଲେଖିବା ପାଇଁ ଉତ୍ସାହିତ କରିଥିଲେ। ଏହାପରେ ମୁଁ ‘ତପୁର କବିତା’ ଶୀର୍ଷକରେ ଏକ କବିତା ଲେଖିଥିଲି।“

ସଙ୍ଗୀତ ପାଇଁ ଚାକିରି ଛାଡିଥିଲେ ତପୁ

ତପୁ କେବଳ ଭଲ କବିତା ଲେଖୁଥିଲେ ତାହାନୁହେଁ ସେ ଛାତ୍ର ଜୀବନରେ ଜଣେ ମେଧାବୀ ଛାତ୍ର ଥିଲେ। ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅପ୍‌ ମାସ୍‌ କମ୍ୟୁନିକେସନ(ଆଇଆଇଏମସି)ରେ ସାମ୍ବାଦିକତା ପାଠ୍ୟକ୍ରମରେ ଅଧ୍ୟୟନ କରିଛନ୍ତି। ସାମ୍ବାଦିକତା ପେଶାରେ ଦୀର୍ଘ ୭ ବର୍ଷ କାର୍ଯ୍ୟ କଲାପରେ ସେ ସାମ୍ବାଦିକତା ଚାକରି ଛାଡ଼ିଥିଲେ। ତାହା ପରେ ସେ ନିଜର ପୂରା ସମୟ ସଙ୍ଗୀତକୁ ହିଁ ଦେଉଛନ୍ତି।

ଗୀତରଚନା ତପୁଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ

ତପୁ ଅନେକ ଓଡ଼ିଆ ଆଲବମ୍‌ ଓ ଫିଲ୍ମରେ ଗୀତ ରଚନା କରିଛନ୍ତି। ତାଙ୍କ ପ୍ରମୁଖ ସିନେମା ଓ ମ୍ୟୁଜିକ ଭିଡିଓ ଗୀତଗୁଡ଼ିକ ମଧ୍ୟରେ ପ୍ରେମ ଏକ ମିଛେଇ ଝିଅ,  ଓଳିପାଣି କଥା, କୁହ ଦେଖି ଦୁନିଆରେ, ନଜଦିକିଆଁ, ସହରୀ ସେ ମନ, ଆଜିବି ତୁ ମୋ ପାଇଁ ମନ୍ଦିର ଯାଉ,  ତତେ ଭାରି ଭଲ ପାଏ ମୁଁ, ତୁ ଫେରୁଥିବୁ,  ତୁ ମୋ ପ୍ରେମ, ଲଭ୍‌ ୟୁ ଆଏସା, ଫଗୁଣ, ସଖୀ, ସାୱରିୟା, ମାହିରେ ମାହିରେ, କେବେ ଶାଢ଼ି ପିନ୍ଧିବୁ କହ,  ତୋ ବିନା, ପ୍ରେମ ହେଲା କେବେ ହେଲା, ମନେ ପଡ଼ ତୁମେ, ଭଳି୧୦୦ରୁ ଅଧିକ ଗୀତ ଲେଖିଛନ୍ତି ତପୁ।

 

 ‘ଟପୋରି’ ଫିଲ୍ମ ଥିଲା ତପୁଙ୍କ ଡେବ୍ୟୁ ଫିଲ୍ମ

ତପୁ ଅନେକ ହିଟ୍‌ ଆଲବମ୍‌ ପାଇଁ ଗୀତ ଲେଖିସାରିବା ପରେ ତାଙ୍କୁ ଫିଲ୍ମ ପାଇଁ ଅଫର ଆସିଥିଲା। ଯାହା ପରେ ତପୁ ଆଉ ପଛକୁ ଫରେ ଚାହିଁ ନାହାନ୍ତି। ଫିଲ୍ମ ଟପୋରିରେ ତପୁ ଗୀତ ଲେଖିଥିଲେ, ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲେ। ଏହି ଫିଲ୍ମରେ ୩ଟି ଗୀତ ରଚନା କରିଥିଲେ।

ଏହାପରେ ସେ ଅନେକ ଫିଲ୍ମ ପାଇଁ ଗୀତ ଲେଖିଛନ୍ତି ‘ସପନର ପଥେ ପଥେ’ରେ ତପୁ ଗୀତ ରଚନା କରିଥିଲେ। ଚଳିତ ବର୍ଷ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ଚକୋଲେଟ ୨’ରେ ମଧ୍ୟ ଗୀତ ରଚନା କରିଛନ୍ତି ତପୁ।

କେବଳ ସେତିକି ନୁହେଁ କୋଣାର୍କକୁ ନେଇ ହିନ୍ଦୀ, ଇଂରାଜୀ ଡକ୍ୟୁମେଣ୍ଟାରୀ ଫିଲ୍ମରେ ଗୀତ ରଚନା କରୁଛନ୍ତି ତପୁ।

 

ତପୁଙ୍କ ନଜରରେ ପ୍ରେମ

“ଆଜିକାଲି ପ୍ରେମ ଆଉ ଶାଶ୍ୱତ ହୋଇନାହିଁ। ପ୍ରେମ ଏବେ ସୁବିଧାବାଦୀ ଓ ସ୍ୱାର୍ଥବାଦୀ ହୋଇପଡ଼ିଛି। ବର୍ତ୍ତମାନ ପିଢ଼ିଙ୍କ ଠାରେ ଆଉ ସେ ପ୍ରେମର ମହକ ନାହିଁ। ତାହା ହଜିଗଲାଣି”।

LEAVE A REPLY

Please enter your comment!
Please enter your name here