ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

(ନୟାଗଡ଼ରୁ ଜିତେନ୍ଦ୍ର ସାହୁ): ନୟାଗଡ଼ ଜିଲ୍ଲା ରଣପୁରରେ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି। ବିଜେଡି ଏବଂ କଂଗ୍ରେସରୁ କିଏ ଟିକେଟ ନେବ ତାକୁ ନେଇ ଆଶାୟୀଙ୍କ ମଧ୍ୟରେ ଲାଗି ରହିଛି ଟେନସନ୍।

ରଣପୁର ବ୍ଳକର ୩୪ ଟି ଗ୍ରାମ ପଞ୍ଚାୟତ, ରଣପୁର ଏନଏସିର ୧୫ ଟି ୱାର୍ଡ଼ ଏବଂ ଓଡ଼ଗାଁ ବ୍ଳକର ୧୫ ଟି ଗ୍ରାମ ପଞ୍ଚାୟତକୁ ନେଇ ରଣପୁର ନିର୍ବାଚନମଣ୍ଡଳୀ ଗଠିତ। ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ଏହି ନିର୍ବାଚନ ମଣ୍ଡଳୀ ପୁରୀ ଲୋକସଭା ଆସନ ମଧ୍ୟରେ ଆସୁଅଛି। ଏଠାରୁ ୨୦୧୪ରେ ବିଜୁ ଜନତା ଦଳରୁ ରବିନାରାୟଣ ମହାପାତ୍ର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସୁରମା ପାଢ଼ୀଙ୍କୁ ୧୬୪୨୬ ଖଣ୍ଡ ଭୋଟରେ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ନିର୍ବାଚନ ମଣ୍ଡଳୀରେ ମୋଟ ୨୦୬୨୪୫ ଭୋଟର ୨୦୧୯ରେ ନିଜର ମତଦାନ ସାବ୍ୟସ୍ତ କରିବେ ବୋଲି  ଜିଲ୍ଲାପାଳଙ୍କ ତଥ୍ୟରୁ ଜଣାପଡିଛି।

୨୦୦୦ ମସିହା ପର୍ଯ୍ୟନ୍ତ କଂଗ୍ରେସରୁ ରମାକାନ୍ତ ମିଶ୍ର ସର୍ବାଧିକ ୪ଥର ପ୍ରତିନିଧିତ୍ଵ କରିଥିଲେ ଏବଂ କଂଗ୍ରେସର ଗଡ଼ ଭାବେ ଏହା ପରିଗଣିତ ହେଉଥିଲା। କିନ୍ତୁ ଗତ ଦୁଇଟି ନିର୍ବାଚନରେ ବିଜୁ ଜନତା ଦଳରୁ ଯଥାକ୍ରମେ ସତ୍ୟ ନାରାୟଣ ପ୍ରଧାନ ଓ ରବି ନାରାୟଣ ମହାପାତ୍ରଙ୍କୁ ଟିକେଟ ଦେଇ ଏଥର ହାଟ୍ରିକ ଲକ୍ଷ୍ୟରେ ରହିଛି ବିଜେଡି।

୨୦୦୪ରେ ଭାରତୀୟ ଜନତା ପାର୍ଟିରୁ ବିଧାୟିକା ଥିବା ସୁରମା ପାଢ଼ୀ ଗତ ଦୁଇଟି ନିର୍ବାଚନ ରେ ପରାଜିତ ହେବା ପରେ ଏଥର ପୁଣିଥରେ ଜିତିବା ପାଇଁ ଅଣ୍ଟା ଭିଡିଛନ୍ତି।

ସତ୍ୟ-ରବିଙ୍କ ଭିତରେ ଟିକେଟ ଲଢ଼େଇ!
ରଣପୁର ପାଇଁ ବିଜେଡିରୁ ବହୁ ଆଶାୟୀ ପ୍ରାର୍ଥୀଙ୍କ ନାମ ଚର୍ଚ୍ଚା ହେଉଛି। ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଏବଂ ବର୍ତ୍ତମାନର ବିଧାୟକ ରବିନାରାୟଣ ମହାପାତ୍ର ପୁଣିଥରେ ଟିକେଟ ପାଇବା ପାଇଁ ଆଶା କରିଛନ୍ତି। ଅନୁରୂପ ଭାବେ ମହାନଦୀ କୋଲଫିଲ୍‌ଡର ନୋଡାଲ ଅଫିସର ଶିଶିର ନାୟକ ମଧ୍ୟ ବିଜେଡିରୁ ଟିକେଟ ପାଇବା ଲବି ଚଳାଇଥିବା ଚର୍ଚ୍ଚା ହେଉଛି। ଯୁବ ସଂଗଠକ ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ,
ସମାଜସେବୀ ଲିଙ୍କନ ସୁବୁଦ୍ଧି ମଧ୍ୟ ବିଜେଡି ଟିକେଟ ଲବିରେ ଅଛନ୍ତି।

ବିଜେପିରୁ ସୁରମା!

ଗତ ସାଧାରଣ ନିର୍ବାଚନରେ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ରଣପୁରରେ ଭାରତୀୟ ଜନତା ପାର୍ଟିକୁ ଭଲ ସଫଳତା ମିଳିଥିଲା। ଗତ ପଞ୍ଚାୟତ ନିର୍ବାଚନରେ ସୁରମା ପାଢ଼ୀଙ୍କ ନେତୃତ୍ୱରେ ବିଜେପି ୬ଟି ଜିଲ୍ଲା ପରିଷଦ ଜୋନରୁ ୪ଟି ଜୋନ୍ ଏବଂ ବହୁ ସମିତି ସଭ୍ୟ ଓ ସରପଞ୍ଚ ପଦବୀ ହାତେଇଥିଲା। ଭାରତୀୟ ଜନତା ପାର୍ଟିରୁ ସୁରମା ପାଢୀଙ୍କ ବ୍ୟତୀତ ରଣପୁରରରେ ଅନ୍ୟ କୌଣସି ପ୍ରାର୍ଥୀଙ୍କ ନାମ ଆଗକୁ ଆସିନାହିଁ।

ନୂଆ ମୁହଁ ଖୋଜୁଛି କଂଗ୍ରେସ

ଗତ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ସତ୍ୟଜିତ ପଟ୍ଟନାୟକ ବିଜେପିରେ ଯୋଗ ଦେଇଥିବାରୁ କଂଗ୍ରେସ ନୂଆ ପ୍ରାର୍ଥୀ ସନ୍ଧାନରେ ଅଛି। ରାଜ୍ୟ ବିଜେପି ଯୁବ ସମ୍ପାଦକ ସତ୍ୟବ୍ରତ ନାୟକ, ନିକଟରେ ଦଳରେ ଯୋଗ ଦେଇଥିବା ନାରୀ ନେତ୍ରୀ  ଶୁଭଶ୍ରୀ ପଣ୍ଡା ଓ ଡାକ୍ତର ସନ୍ତୋଷ ପଣ୍ଡା ପ୍ରମୁଖ ଦଳୀୟ ଟିକେଟ ପାଇବା ଆଶାରେ ଅଛନ୍ତି। ତେବେ ଶୁଭଶ୍ରୀ ପଣ୍ଡା ଟିକେଟ ଦୌଡ଼ରେ ଆଗରେ ରହିଥିବା କୁହାଯାଉଛି।

କନ୍ଧମାଳ ସାଂସଦ ଶ୍ରୀମତି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବିଜେଡିରୁ ଏଠି ଲଢ଼ିବା ନେଇ ଚର୍ଚ୍ଚା ଚାଲିଛି। ଆସନ୍ତା ଏପ୍ରିଲ ୨୩ ତାରିଖରେ ଏଠି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ମେ ୨୩ରେ ଜଣାପଡିବ ଯେ ଭୋଟର କାହା ମୁଣ୍ଡରେ ସିରିପା ବାନ୍ଧୁଛନ୍ତି।

Comment