ଓଡ଼ିଶାଲାଇଭ୍‌ ପଲଟିକାଲ୍‌ ବ୍ୟୁରୋ

ବିଜେଡି ପ୍ରକାଶ କରିଛି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଏଥିରେ ଅନେକ ନୂଆ ମୁହଁଙ୍କୁ ସ୍ଥାନ ଦେଇଛନ୍ତି ବିଜେଡି ସୁପ୍ରିମୋ।

ଘୋଷଣା ହୋଇଛି ୯ଲୋକସଭା ଆସନ ଲାଗି ପ୍ରାର୍ଥୀ ତାଲିକା। ଏହି ତାଲିକାରେ କନ୍ଧମାଳରୁ ପ୍ରତ୍ୟୁଷାଙ୍କ ବଦଳରେ ଅଚ୍ୟୁତଙ୍କ ଉପରେ ଦଳ ଭରସା କରିଛି। ଏହାପରେ କନ୍ଧମାଳରୁ ଗତଥର ସାଂସଦ ଥିବା ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି।

୨୦୧୪ରେ ହେମେନ୍ଦ୍ରଙ୍କୁ କୋଲେଇ ନେଇଥିଲା ବିଜେଡି

ବିଜେଡି ଗତ ୧୯ବର୍ଷ ହେବ ରାଜ୍ୟରେ ଶାସନ କରିଆସୁଛି। ୨୦୧୪ ନିର୍ବାଚନରେ ନୟାଗଡ଼ ରାଜନୀତିରେ ହଠାତ୍‌ ହଟଚମଟ ଦେଖିବାକୁ ମିଳିଥିଲା। ନିର୍ବାଚନର କିଛିଦିନ ପୂର୍ବରୁ ହଠାତ୍‌ ହେମେନ୍ଦ୍ର ସିଂଙ୍କୁ ବିଜେଡିରୁ ଡକରା ଆସିଥିଲେ। ତାର କିଛି ଦିନ ପରେ କଂଗ୍ରେସର ହାତ ଛାଡ଼ିଦେଇଥିଲେ ହେମେନ୍ଦ୍ର। ଶେଷରେ ହେମେନ୍ଦ୍ରଙ୍କୁ କୋଳେଇ ନେଇଥିଲା ବିଜେଡି ଏବଂ କନ୍ଧମାଳରୁ ତାଙ୍କୁ ସାଂସଦ ପାଇଁ ପ୍ରାର୍ଥୀ କରାଗଲା। ସେଠାରୁ ହେମେନ୍ଦ୍ର ନିର୍ବାଚନ ଲଢ଼ି ଜିତିଥିଲେ। ହାଠାତ୍‌ ୨୦୧୫ରେ ହେମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା ଯାହାପରେ ତାଙ୍କ ପତ୍ନୀ ପ୍ରତ୍ୟୁଷା ନିର୍ବାଚନକୁ ଓହ୍ଲାଇଥିଲେ। ଉପନିର୍ବାଚନରେ ବିଜେଡି ସେଠାରେ ଜିତିବା ସହ ପ୍ରତ୍ୟୁଷା କନ୍ଧମାଳର ସାଂସଦ ହୋଇଥିଲେ।

୨୦୧୯ ନିର୍ବାଚନ ନେଇ ପ୍ରତ୍ୟୁଷାଙ୍କ ପ୍ରତିକ୍ରିୟା

କନ୍ଧମାଳ ଆସନରୁ ବିଜେଡି ଏଥର ପ୍ରତ୍ୟୁଷାଙ୍କ ବଦଳରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଟିକେଟ ଦେଇଛି। ଏହାପରେ ପ୍ରତ୍ୟୁଷା କେଉଁଠୁ ଲଢ଼ିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ସୂଚନାନୁସାରେ ସେ ନୟାଗଡ଼ ଆସନରୁ ନିର୍ବାଚନ ଲଢ଼ିବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି ଏବଂ ଏ ନେଇ ସେ ଦଳର ସଭାପତିଙ୍କୁ ଜଣାଇଛନ୍ତି। ଯଦି ଟିକେଟ ନମିଳେ ତେବେ ମୁଁ ମୋ ନିଷ୍ପତ୍ତି ନେବି ବୋଲି ପ୍ରତ୍ୟୁଷା କହିଛନ୍ତି।

ଅରୁଣଙ୍କ ଲାଗି ପ୍ରତ୍ୟୁଷା ହେବେକି ମୁଣ୍ଡବ୍ୟଥା!

୨୦୧୪ ନିର୍ବାଚନ ପୂର୍ବରୁ ନୟାଗଡରେ କଂଗ୍ରେସର ପ୍ରାର୍ଥୀ ଥିବା ହେମେନ୍ଦ୍ର ସେଠାରେ ଜିତିବାର ଅନେକ ସମ୍ଭାବନା ଥିଲା। ମାତ୍ର ନିର୍ବାଚନର କିଛିଦିନ ପୂର୍ବରୁ ହଠାତ୍‌ ହେମେନ୍ଦ୍ରଙ୍କୁ କୋଳେଇ ନେଇଥିଲା ବିଜେଡି ଆଉ କନ୍ଧମାଳରୁ ସାଂସଦ ଟିକେଟ ଦେଇଥିଲା। ଯାହାପରେ ନୟାଗଡରେ ଅରୁଣ ସାହୁଙ୍କ ଲାଗି ରାସ୍ତାସଫା ହୋଇଯିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଲା। ଏବେ ୨୦୧୯ ନିର୍ବାଚନ ବେଳେ ଯେତେବେଳେ ପ୍ରତ୍ୟୁଷାଙ୍କୁ ଲୋକସଭାରୁ ଟିକେଟ ନଦେବା ଓ ନୟାଗଡ଼ରୁ ଟିକେଟ ପାଇବା ଲଗି ପ୍ରତ୍ୟୁଷା ଇଛାପ୍ରକାଶ କରିବା କେଉଁଠି ନା କେଉଁଠି ଅରୁଣ ସାହୁଙ୍କ ଲାଗି ମୁଣ୍ଡବ୍ୟଥାର କାରଣ ପାଲଟିପାରେ।

ଯଦି ବିଜେଡିରୁ ପ୍ରତ୍ୟୁଷାଙ୍କୁ ଟିକେଟ ନମିଳେ?

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ କାହାକୁ ଟିକେଟ ମିଳିବ କାହାକୁ ଟିକେଟ ମିଳିବନି ସେ ନେଇ କିଛି କୁହାଯାଇନପାରେ। ଏହାରି ଭିତରେ ଚର୍ଚ୍ଚା ହେଉଛି କି ଯଦି କନ୍ଧମାଳ ପରି ନୟାଗଡ଼ରୁ ବି ବିଜେଡି ପ୍ରତ୍ୟୁଷାଙ୍କୁ ଟିକେଟ ନଦିଏ ତେବେ ସେ କଣ କରିବେ? ନୟାଗଡରେ ପ୍ରତ୍ୟୁଷାଙ୍କର ସଂଙ୍ଗଠନ ସେତେଟା ସୁଦୃଢ ନାହିଁ ତେଣୁ ସେ ଏକାକୀ ଲଢ଼ିବେ କି ନାହିଁ ତାହାକୁ ନେଇ ଏବେ ଅନେକ କଳ୍ପନା ଜଳ୍ପନା। କୁହାଯାଉଛି ଯଦି ଦଳ ତାଙ୍କୁ ଟିକେଟ ନଦିଏ ତେବେ ଅନ୍ୟ କୌଣସି ଦଳରେ ସାମିଲ ହୋଇ ନିର୍ବାଚନ ଲଢ଼ିପାରନ୍ତି।

Comment