ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଟିକେଟ ବଣ୍ଟନକୁ ନେଇ କଂଗ୍ରେସରେ କେଁ।
ବିଜେଡି ଭଳି କଂଗ୍ରେସ ମଧ୍ୟ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୬ଟି ଲୋକସଭା ଏବଂ ୫୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ କଂଗ୍ରେସରେ ବିରୋଧର ସ୍ୱର ଉଠିଛି। ଏହି ସ୍ୱର ଉଠାଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ।
ସାଧୁ ନେପାକ କଂଗ୍ରେସ ଛାଡ଼ିଥିବା ବେଳେ ତାରା ଟିକେଟ ବଣ୍ଟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ପିସିସି ସଭାପତି ଏବଂ ପ୍ରଦୀପ ମାଝିଙ୍କ ଉପରକୁ ଆଙ୍ଗୁଳି ଉଠାଇଛନ୍ତି।
ତାରା କହିଛନ୍ତି ଯେ କୋରାପୁଟ ହେଉଛି କଂଗ୍ରେସର ଗଡ଼। କିନ୍ତୁ ଏଠି ଗଡ଼ବଡ଼ ଚାଲିଛି। ଟିକେଟ ବଣ୍ଟନ ବେଳେ ପ୍ରଦୀପ ମାଝିଙ୍କୁ ପଚରାଯାଏ, ମତେ ନୁହେଁ। ଏମିତି କହି ତାରା ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
“ପୂର୍ବରୁ ସମସ୍ତ ବିଧାୟକଙ୍କୁ ଟିକେଟ ଦିଆଯିବ ବୋଲି କୁହାଯାଇଥିଲା। କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝିଙ୍କୁ ଟିକେଟ ଦିଆ ନଯିବା ଦୁର୍ଭାଗ୍ୟଜନକ। କାହାର ଟିକେଟ କଟିବ ଏବଂ କାହାର ରହିବ ସେ ସମ୍ପର୍କରେ ପ୍ରଦୀପ ମାଝି ଯାହା ମତ ଦିଅନ୍ତି ତାହା ରହେ। କିନ୍ତୁ ମୋର ନୁହେଁ”, କହିଛନ୍ତି ତାରା।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଟିକେଟ କଟିବା ପରେ ଏପରି ଅଭିଯୋଗ ଆସିବା ସ୍ୱାଭାବିକ। ତେବେ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତାରାଙ୍କ ଭଳି ବରିଷ୍ଠ ନେତା ଏଭଳି ମନ୍ତବ୍ୟ ଦେବା ଠିକ୍ ନୁହେଁ।
ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କୋରାପୁଟ, ଜୟପୁର ଏବଂ ପଟ୍ଟାଙ୍ଗୀ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ହେଲେ କୋଟପାଡ଼, ଲକ୍ଷ୍ମୀପୁର ଏବଂ କୋରାପୁଟ ଲୋକସଭା ଆସନରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ସସ୍ପେନ୍ସ ଲାଗି ରହିଛି।
କଂଗ୍ରେସର ଟିକେଟ ବଣ୍ଟାକୁ ବିରୋଧ କରି ଦଳ ଛାଡ଼ିଛନ୍ତି ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ। ବରଗଡ଼ରେ କଂଗ୍ରେସ ନୂଆ ପ୍ରାର୍ଥୀ ଦେଇଛି। ନିପନ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ସାଧୁ ଦଳ ଛାଡ଼ିଛନ୍ତି।
ପ୍ରଥମ ପର୍ଯ୍ୟାୟ ତାଲିକାରେ ଜଣେ ମହିଳା ପ୍ରାର୍ଥୀଙ୍କ ନାଁ ଥିବାରୁ ଅସନ୍ତୋଷ ଜାହିର କରିଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା। ଆଗାମୀ ତାଲିକାରେ ଯଦି ମହିଳାଙ୍କ ନାଁ ନଥାଏ ତାହାଲେ ଜୋରଦାର ସ୍ୱର ଉଠିବ ବୋଲି ସେ କହିଛନ୍ତି।








ଟିକେଟ ବଣ୍ଟନକୁ ନେଇ କଂଗ୍ରେସରେ କେଁ।









