ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଅବବୋଧ ଯୁଦ୍ଧକୁ ଇଂରାଜୀରେ କୁହାଯାଏ ‘ବ୍ୟାଟଲ ଅଫ ପରସେପ୍ସନ।’ଅର୍ଥାତ ପ୍ରଥମ ଧାରଣାରୁ ହିଁ କହି ହେବ କିଏ ଜିତିବ କିଏ ହାରିବ। ଶୁକ୍ରବାର ସନ୍ଧ୍ୟାରେ ବିଜେପିର ପ୍ରଥମ ସାଂସଦ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।ଏଥିରେ ଓଡ଼ିଶାର ୧୦ଟି ଆସନ ପାଇଁ କିଏ କିଏ ପ୍ରାର୍ଥୀ ହୋଇଛନ୍ତି ତାହା ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ବିର୍ବାଚନ  ହେବାକୁ ଥିବା ଆସନ ବ୍ୟତୀତ ଅନ୍ୟ କେତୋଟି ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ବି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ।

ଯାହା ଆଶା କରାଯାଉଥିଲା, ୧୦ଟି ସଂସଦୀୟ କ୍ଷେତ୍ରରେ ଖୁବ୍ ଦମଦାର ଓ ନାମିଦାମୀ ପ୍ରାର୍ଥୀଙ୍କୁ ଛିଡ଼ା କରିଛି ବିଜେପି। କେନ୍ଦ୍ରାପଡାରୁ ବୈଜୟନ୍ତ ପଣ୍ଡାଙ୍କ ନାମ ଘୋଷଣା ନିଶ୍ଚିତ ଭାବରେ ଅନ୍ୟ ଦଳକୁ ପଛରେ ପକାଇବ ଏଥିରେ ସନ୍ଦେହ ନାହିଁ। ଅନ୍ତତଃ ଲୋକଙ୍କ ମନରେ ସେ ହିଁ ପ୍ରଥମେ ରହିବେ। ସେହିଭଳି ଭୁବନେଶ୍ୱର ଆସନ ପାଇଁ ଅପରାଜିତା ଷଡ଼ଙ୍ଗୀଙ୍କୁ ଦଳ ଠିଆ କରିଛି। ଏଠି ବି ଅପରାଜିତା ଧାରଣା ଯୁଦ୍ଧରେ ଆଗୁଆ ରହିବେ। ସୁନ୍ଦରଗଡ଼ରୁ ଜୁଏଲ ଓରାମ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ତୁଳନାରେ ବିଜେଡ଼ିର ସୁନିତା ବିଶ୍ୱାଳ କି ପ୍ରକାର ଲଢେଇ କରିବେ ତାହା ସ୍ପଷ୍ଟ।

ବାଲେଶ୍ୱର ପାଇଁ ପ୍ରତାପ ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରି ବିଜେପି ବାଜି ମାରିନେଇଛି ବୋଲି ଧରିନେବାକୁ ହେବ। ଠିକ୍ ସେହିଭଳି ଢେଙ୍କାନାଳରେ ରୁଦ୍ର ନାରାୟଣ ପାଣିଙ୍କ ଜିତିବା ସହଜ କାରଣ ସେଠି ତଥାଗତ ଶତପଥୀ ଆଉ ନାହାନ୍ତି। ବ୍ରହ୍ମପୁରରେ ବି ବିଜେପି ଜଣେ ଉଦୀୟମାନ ଯୁବକଙ୍କୁ ପ୍ରାର୍ଥୀ କରାଯାଇଛି।

ଭୃଗୁ ବକ୍ସିପାତ୍ରଙ୍କ ପ୍ରାର୍ଥୀତ୍ୱ ଯୋଗୁଁ ଏଠାରେ ଚନ୍ଦ୍ରଶେଖର ସାହୁଙ୍କୁ ଏବେ ଜିତିବା କଷ୍ଟକର ହେବ।

ମୋଟାମୋଟି ଭାବେ କହିବାକୁ ଗଲେ ବିଜେପିର ପ୍ରଥମ ତାଲିକା ଓଡ଼ିଶାର ସାଂସଦୀୟ କ୍ଷେତ୍ର ମାନଙ୍କରେ ଖୁବ୍ ପ୍ରଭାବ ସୃଷ୍ଟି କରିଛି ଓ ପ୍ରାର୍ଥୀ ମାନେ ଭୋଟରଙ୍କ ମନରେ  ଆଗୁଆ ସ୍ଥାନ ଅକ୍ତିଆର କରିଛନ୍ତି। ବିଜେଡ଼ିର ତାଲିକା ଏବେ କେବଳ ‘ଦ୍ୱିତୀୟ ପତ୍ନୀର’ ସ୍ଥାନ ନେବ।

LEAVE A REPLY

Please enter your comment!
Please enter your name here