ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଚଳିତ ନିର୍ବାଚନରେ କଂଗ୍ରେସ ଦଳ ବହୁ ଆଗରୁ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ବାହାଦୁରି ମାରିଥିଲା। ହେଲେ ବାସ୍ତବରେ ପ୍ରଥମ ଦଫା ତାଲିକା ବାହାର କରିବାରେ ନିରଞ୍ଜନ ବାବୁଙ୍କୁ କମ୍‌ କସରତ କରିବାକୁ ପଡ଼ିନାହିଁ। ଏହି ବିଳମ୍ବର କାରଣ ବାବଦରେ ଓଡ଼ିଶାଲାଇଭ୍‌ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପ୍ରଶ୍ନ କଲାବେଳେ ସେ କହିଥିଲେ ଯେ ବିଜେଡି ଓ ବିଜେପି ଭଲ ମାର୍କେଟିଂ କରି ଯାଣିଛନ୍ତି। ତେଣୁ ସେମାନେ ବିଭିନ୍ନ ଦଳରୁ ଏପରିକି କଂଗ୍ରେସ ଦଳରୁ ଲୋକ ଉଠାଇ ନେଉଛନ୍ତି।

ଏହି ଦୃଷ୍ଟିରୁ କଂଗ୍ରେସ ଦଳ ଟିକେ ଦୁର୍ବଳ। ତେଣୁ କଂଗ୍ରେସ ରାଜ୍ୟରେ ଏବେ ଚାଲିଥିବା ଦଳଛଡ଼ା ରାଜନୀତିରେ ଭଲ ମାର୍କେଟିଂ କରିପାରୁନାହିଁ। କିନ୍ତୁ ନିରଞ୍ଜନ ବାବୁ ଏକଥା କହିବାର ମାତ୍ର ଦୁଇଦିନ ମଧ୍ୟରେ ଏବେ କଂଗ୍ରେସ ଜାଲରେ ପଡ଼ିବାକୁ ଯାଉଛନ୍ତି ବଡ଼ ମାଛ।

ତେଣୁ କଂଗ୍ରେସ ମଧ୍ୟ ଦଳ ଛଡ଼ା ମାର୍କେଟିଂରେ ପଛରେ ପଡ଼ିନାହିଁ ବୋଲି କୁହାଯାଇପାରିବ।

ବିଜେଡିର କନ୍ଧାମାଳ ସାଂସଦ  ପ୍ରତ୍ୟୁଷା ରଜେଶ୍ୱରୀ ଦଳ ଛାଡ଼ିବାର ଗୋଟିଏ ଦିନ ପରେ କଂଗ୍ରେସରେ ଯୋଗ ଦେବା ସମ୍ପର୍କରେ ଖବର ସ୍ପଷ୍ଟ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଚ୍ୟୁତ ସାମନ୍ତଙ୍କୁ କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ଫଳରେ ପ୍ରତ୍ୟୁଷାଙ୍କ ପାଇଁ ଦୁଆର ବନ୍ଦ ହୋଇଯାଇଥିଲା। ତେବେ ପ୍ରତ୍ୟୁଷା କନ୍ଧମାଳ ଛାଡ଼ି ନୟାଗଡ଼ ବିଧାନସଭା ଆସନ ଲାଗି ନଜର ପକାଇଥିଲେ ମଧ୍ୟ ତାଙ୍କୁ ହାଇକମାଣ୍ଡଙ୍କ ପଟୁ ସବୁଜ ସଙ୍କେତ ମିଳିନଥିଲା।

ଏହାରି ଭିତରେ ପ୍ରତ୍ୟୁଷା ଆସନ୍ତା ୨୩ରେ କଂଗ୍ରେସରେ ମିଶିବା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏହା ବ୍ୟତିତ କିଛିଦିନ ମଧ୍ୟରେ ଆଉକିଛି ନେତା କଂଗ୍ରେସର ସାମିଲ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

Comment