ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦ୍ୱିତୀୟ ଦଫା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ କିଛି ନୂଆ ଏବଂ ପୁରୁଣା ମୁହଁ ରହିଛନ୍ତି। ଜାଣନ୍ତୁ କଂଗ୍ରେସର କେଉଁ ହେବିଓ୍ୱେଟ କେଉଁଠୁ ଲଢ଼ିବେ?

ଡକ୍ଟର ପ୍ରଫୁଲ୍ଲ ମାଝି – ତଲସରା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ଡକ୍ଟର ପ୍ରଫୁଲ୍ଲ ମାଝି। ୨୦୧୪ ନିର୍ବାଚନରେ ମଧ୍ୟ ଏହି ଆସନରୁ ନିର୍ବାଚିତ ହୋଇଥିଲେ ସେ। କଂଗ୍ରେସ ପୁଣିଥରେ ତାଙ୍କୁ ଟିକେଟ ଦେଇଛି।

ଜୟଦେବ ଜେନା – ବରିଷ୍ଠ ନେତା ଜୟଦେବ ଜେନାଙ୍କୁ କଂଗ୍ରେସ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ପିସିସି ସଭାପତି ଥିଲେ ଜୟଦେବ। ୨୦୧୪ ନିର୍ବାଚନ ଜୟଦେବଙ୍କ ନେତୃତ୍ୱରେ କଂଗ୍ରେସ ଲଢ଼ିଥିଲା। ଜୟଦେବ ୨୦୧୪ରେ ଆନନ୍ଦପୁରରୁ ପ୍ରାର୍ଥୀ ହୋଇଥିଲେ ଏବଂ ପରାଜିତ ହୋଇଥିଲେ। ୨୦୦୪ ଏବଂ ୧୯୯୫ରେ ଜୟଦେବ କଂଗ୍ରେସ ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ସସ୍ମିତା ବେହେରା – ରାଜ୍ୟ କଂଗ୍ରେସର ପୂର୍ବତନ ମହିଳା ସଭାନେତ୍ରୀ ସସ୍ମିତା ବେହେରାଙ୍କୁ ଛେଣ୍ଡିପଦା ବିଧାନସଭା ଆସନରୁ ଟିକେଟ ମିଳିଛି। ୨୦୧୪ରେ ମଧ୍ୟ ସେ ନିର୍ବାଚନ ଲଢ଼ିଥିଲେ। ହେଲେ ପରାଜିତ ହୋଇଥିଲେ।

ସୁରେନ୍ଦ୍ର ସିଂଭୋଇ – ଅନ୍ୟତମ ବରିଷ୍ଠ ନେତା ସୁରେନ୍ଦ୍ର ସିଂଭୋଇଙ୍କୁ କଂଗ୍ରେସ ପୁଣି ଭରସା କରିଛି। ବଲାଙ୍ଗିର ଜିଲ୍ଲା ଟିଟଲାଗଡ଼ ବିଧାନସଭା ଆସନରୁ ସେ ପ୍ରାର୍ଥୀ ହୋଇଛନ୍ତି। ସୁରେନ୍ଦ୍ର ୨୦୦୯ରେ ଏହି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରେ ସେ ୫୭ ହଜାର ୮୩୬ ଭୋଟ ପାଇଥିଲେ।

ସନ୍ତୋଷ ସିଂ ସାଲୁଜା – କଂଗ୍ରେସରେ ଯେଉଁ କିଛି ବରିଷ୍ଠ ନେତା ଅଛନ୍ତି ସେମାନଙ୍କ ମଧ୍ୟରେ ସନ୍ତୋଷ ସିଂ ସାଲୁଜା ହେଉଛନ୍ତି ଅନ୍ୟତମ। ୧୯୯୫, ୨୦୦୦ ଏବଂ ୨୦୦୯ରେ ସାଲୁଜା କଂଗ୍ରେସ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରେ ବି ସାଲୁଜା କଂଗ୍ରେସରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ।

ଡକ୍ଟର ଦେବାଶିଷ ପଟ୍ଟନାୟକ – କଟକ ଜିଲ୍ଲା ବାଙ୍କି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ଡକ୍ଟର ଦେବାଶିଷ ପଟ୍ଟନାୟକ। ଗତ ୨୦୦୪ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ରେ ପରାଜିତ ହେବା ପରେ ୨୦୧୪ରେ ସେ ବୋଲଗଡ଼-ବେଗୁନିଆ ଆସନରୁ ପ୍ରାର୍ଥୀ ହୋଇଥିଲେ। ଏଥର ତାଙ୍କୁ ପୁଣି ବାଙ୍କି ଟିକେଟ ମିଳିଛି।

ଇଂ ମହମ୍ମଦ ମୋକିମ – ୨୦୦୯ ଏବଂ ୨୦୧୪ରେ ବାରବାଟୀ-କଟକ ଆସନରୁ ପ୍ରାର୍ଥୀ ହୋଇଥିବା ଇଂ ମହମ୍ମଦ ମୋକିମଙ୍କୁ ଏଥର ପୁଣି କଂଗ୍ରେସ ଟିକେଟ ମିଳିଛି। ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଥିବା ବେଳେ ସେ ରାଜ୍ୟ କଂଗ୍ରେସର କୋଷାଧ୍ୟକ୍ଷ ଥିଲେ। ପୂର୍ବରୁ ସେ କଟକ ନଗର କଂଗ୍ରେସ କମିଟିର ସଭାପତି ଥିଲେ।

ଗଣେଶ୍ୱର ବେହେରା – କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ଟିକେଟ ହାତେଇଛନ୍ତି ବରିଷ୍ଠ ନେତା ଗଣେଶ୍ୱର ବେହେରା। ୨୦୦୯ ଏବଂ ୨୦୧୪ରେ ସେ କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ପୂର୍ବରୁ ସେ ପଟ୍ଟାମୁଣ୍ଡାଇ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଜାନକୀ ପଟ୍ଟନାୟକଙ୍କ ସରକାରରେ ସେ ମନ୍ତ୍ରୀ ଥିଲେ।

ପ୍ରସାଦ ହରିଚନ୍ଦନ – ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ସତ୍ୟବାଦୀ ନିର୍ବାଚନମଣ୍ଡଳୀରୁ ଟିକେଟ ଦେଇଛି କଂଗ୍ରେସ। ସେ ୨୦୦୯ରେ ସତ୍ୟବାଦୀରୁ ନିର୍ବାଚିତ ହୋଇଥିଲେ। ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ରହିଥିଲେ। ୨୦୧୪ ନିର୍ବାଚନ ପରେ ପ୍ରସାଦ ପିସିସି ସଭାପତି ରହିଥିଲେ।

ଦେବେନ୍ଦ୍ର ଶର୍ମା – କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନମଣ୍ଡଳୀରୁ ୨୦୧୪ରେ ଜିତିଥିଲେ ଦେବେନ୍ଦ୍ର ଶର୍ମା। ତାଙ୍କୁ ପୁଣି କଂଗ୍ରେସ ଦସହି ଆସନରୁ ଟିକେଟ ଦେଇଛି।

ଅଂଶୁମାନ ମହାନ୍ତି – ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀରୁ ପୁଣି ଅଂଶୁମାନ ମହାନ୍ତିଙ୍କୁ ଟିକେଟ ଦେଇଛି କଂଗ୍ରେସ। ୨୦୧୪ରେ ସେହି ଆସନରୁ ପ୍ରଥମ ଥର ପାଇଁ ନିର୍ବାଚନ ଜିତିଥିଲେ ଅଂଶୁମାନ।

ସୁରେଶ କୁମାର ରାଉତରାୟ – କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟଙ୍କୁ ଜଟଣୀ ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକେଟ ଦେଇଛି। ପୂର୍ବରୁ ସେ ନିର୍ବାଚନ ଜିତି କଂଗ୍ରେସ ସରକାର ଅମଳରେ ମନ୍ତ୍ରୀ ହୋଇଥିଲେ।

Comment