ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପିରେ ଯୋଗ ଦେଲେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ। ଶନିବାର ବିଦ୍ଧିବଦ୍ଧ ଭାବେ ପ୍ରତ୍ୟୁଷା ବିଜେପିରେ ସାମିଲ ହୋଇଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସଭାପତି ବସନ୍ତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ପ୍ରତ୍ୟୁଷା ବିଜେପିରେ ସାମିଲ ହୋଇଛନ୍ତି।
ପ୍ରତ୍ୟୁଷା ବୁଧବାର ବିଜେଡିରୁ ଇସ୍ତଫା ଦେଇଥିଲେ। ଏହାର ଦିନକ ପରେ ସେ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ବିଜେପିରେ ଯୋଗ ଦେଲେ ପ୍ରତ୍ୟୁଷା।
ପ୍ରତ୍ୟୁଷା ନିଜ ପ୍ରତିକ୍ରିୟାରେ କହିଛନ୍ତି, “ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ଯୋଗ ଦେଲି। ମୁଁ ନୟାଗଡ଼ବାସୀଙ୍କ ପାଇଁ ଅଛି ଏବଂ ରହିବି। ମୁଁ ନୟାଗଡ଼ବାସୀଙ୍କ ସେବା କରିବାକୁ ଚାହିୁଁଛି।”
ପ୍ରତ୍ୟୁଷା କନ୍ଧମାଳରୁ ସାଂସଦ ଥିଲେ ମାତ୍ର ଏଥର ନିର୍ବାଚନରେ ବିଜେଡି ସଭାପତି ପ୍ରତ୍ୟୁଷାଙ୍କ ସ୍ଥାନରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଟିକେଟ ଦେଇଛନ୍ତି। ଏହାପରେ ସେ ନୟାଗଡ଼ରୁ ବିଧାନସଭା ଆସନ ଲାଗି ପ୍ରାର୍ଥୀ ହେବାକୁ ଇଛା ପ୍ରକାଶ କରିବା ସହ ସୁପ୍ରିମୋଙ୍କ ସହ କଥା ହୋଇଥିବା କହିଥିଲେ।
ବୋଧହୁଏ ବିଜେଡି ସୁପ୍ରିମୋଙ୍କ ପାଖରୁ ସୁବୁଜ ସଙ୍କେତ ନମିଳିବା ପରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ।
ଅନ୍ୟପଟେ ନୟାଗଡ଼ ବିଧାନସଭା କ୍ଷେତ୍ରରୁ ଟିକେଟ୍ ପାଇବା ପାଇଁ ବାରମ୍ବାର ଦାବି କରୁଥିବା ପ୍ରତ୍ୟୁଷାଙ୍କ ପାଇଁ ବିଜେପି ନୟାଗଡ଼ ବନ୍ଦ ହୋଇସାରିଛି। ବିଜେପି ନୟାଗଡ଼ ବିଧାନସଭା ପାଇଁ ଇରାନୀ ରାୟଙ୍କୁ ଟିକେଟ୍ ଦେଇସାରିଛି। ପ୍ରତ୍ୟୁଷା କେଉଁଠାରୁ ଲଢ଼ିବେ ଏଯାଏଁ ସ୍ପଷ୍ଟ ହୋଇନାହିଁ।


















