ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ରୋଡ ସୋ’ କଲେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର।
ପୁରୀ ଲୋକସଭା ଆସନ ପାଇଁ ବିଜେପି ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରିଛି। ଓଡ଼ିଆ ପୁଅ ସମ୍ବିତ ହେଉଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର। ବିଜେପି ତାଙ୍କୁ ପୁରୀ ଲୋକସଭାରୁ ପ୍ରାର୍ଥୀ କରିବା ପରେ ସମ୍ବିତ ଆଜି ଶକ୍ତି ପ୍ରଦର୍ଶନ କରିଥିଲେ।
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ପୁରୀରେ ରୋଡ ସୋ’ କରିଥିଲେ। ଖୋଲା ଜିପରେ ସହର ପରିକ୍ରମା କରି ଲୋକଙ୍କ ସହ ସମ୍ପର୍କ ଯୋଡ଼ିଥିଲେ ସମ୍ବିତ।
‘‘ମୁଁ କେହି ନୁହଁ। ବିଜେପିର ଜଣେ ସାଧାରଣ କର୍ମୀ। ପୁରୀ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ମାଟି। ତାଙ୍କ ଆଶୀର୍ବାଦ ନଥିଲେ ଏବଂ ଡୋରି ନଲାଗିଲେ ପୁରୀ ଆସିବା ଅସମ୍ଭବ। ଜଗନ୍ନାଥଙ୍କ ଡୋରି ଲାଗିଛି ଏବଂ ମୋଦି ମତେ ପୁରୀ ପଠାଇଛନ୍ତି’’, କହିଛନ୍ତି ସମ୍ବିତ ପାତ୍ର।
ସେ ଆହୁରି କହିଛନ୍ତି ଯେ ୧୯ ବର୍ଷ ଭିତରେ ଓଡ଼ିଶାରେ କିଛି ବି ହୋଇନି। ଓଡ଼ିଶାବାସୀ ସବୁ କ୍ଷେତ୍ରରେ ଅବହେଳାର ଶିକାର ହୋଇଛନ୍ତି। ଏବେ ପରିବର୍ତ୍ତନର ହାଓ୍ୱା ବହୁଛି। ପୁରୀବାସୀ ବି ପରିବର୍ତ୍ତନ ଚାହୁଁଛନ୍ତି।
ସମ୍ବିତ କହିଛନ୍ତି, ‘‘ଭାରକୁ ଆଗକୁ ନେବାକୁ ହେଲେ ମଜବୁତ ସରକାର ଦରକାର। ଗୋଟିଏ ଅସ୍ଥିର ସରକାର କେବେ ହେଲେ ଭାରତକୁ ଆଗକୁ ନେଇପାରିବ ନାହିଁ। ଓଡ଼ିଶାବାସୀ ଏକଥା ଜାଣିଛନ୍ତି। ମୋଦିଙ୍କ ହାତମୁଠାକୁ ଏଥର ଟାଣ କରିବେ ଓଡ଼ିଶାବାସୀ। ଓଡ଼ିଶାରେ ପଦ୍ମ ଫୁଟିବ।’’
ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ସମ୍ବିତ ଆଜି ପ୍ରଥମ ଥର ପାଇଁ ପୁରୀ ଆସିଥିଲେ। ମୁଣ୍ଡରେ ତିଳକ ଏବଂ ଦେହରେ ପାଟ ବସ୍ତ୍ର ପରିଧାନ କରି ରୋଡ ଶୋ’ କରିଥିଲେ। ଏପ୍ରିଲ ୨୩ରେ ପୁରୀ ଲୋକସଭା ଆସନ ପାଇଁ ଭୋଟ ହେବ।

ପୁରୀରୁ ନରେନ୍ଦ୍ର ମୋଦି ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଏହି ଚର୍ଚ୍ଚାରେ ରୋକ ଲାଗିଥିଲା। ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି।
ସମ୍ବିତ ଏସସିବି ମେଡିକାଲ କଲେଜ ଏବଂ ବୁର୍ଲା ମେଡିକାଲ କଲେଜରୁ ଡାକ୍ତରୀ ପାସ୍ କରିବା ପରେ ରାଜନୀତିରେ ପ୍ରବେଶ କରିଥିଲେ। ଓଡ଼ିଆ ପୁଅ ସମ୍ବିତଙ୍କୁ ବିଜେପି ଜାତୀୟ ସ୍ତରରେ ସୁଯୋଗ ଦେଇଥିଲା।

















