ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
‘‘୧୯ ବର୍ଷ ହେଲା ବିଜେଡି ସରକାର ଓଡ଼ିଶାକୁ ପୂରା ବରବାଦ କରିଛି। ରାଜ୍ୟରେ କୁପୋଷଣ, ଶିଶୁ ମୃତ୍ୟୁହାର, କୃଷକ ଆତ୍ମହତ୍ୟା, ମହିଳାଙ୍କ ପ୍ରତି ଅତ୍ୟାଚାର ବଢିଚାଲିଛି। ସୁଶାସନର ଡିଣ୍ଡିମ ପିଟୁଥିବା ବିଜେଡି ସରକାର ଲୋକଙ୍କ ପାଖରେ ମୌଳିକ ସୁବିଧା ପହଂଚାଇ ପାରିନାହିଁ। ବିଜୁଳି, ପିଇବା ପାଣି, ପକ୍କା ଘର ଆଦିରୁ ଗରିବ ଲୋକ ଏବେବି ବଞ୍ଚିତ ଅଛନ୍ତି। କଂଗ୍ରେସ ସରକାର ଅମଳରେ ଓଡ଼ିଶାର ସ୍ଥିତି ଯାହା ଥିଲା ବିଜେଡି ଅମଳରେ ବି ସେଇୟା’’, କହିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ।
ପୁରୀ ଜିଲ୍ଲା ନିମାପଡ଼ାରେ ଆୟୋଜିତ ବିଜୟ ସଂକଳ୍ପ ଯାତ୍ରାରୁ ଫେରିବା ପରେ ରାଜ୍ୟ ବିଜେପି ପାର୍ଟି ଅଫିସରେ ବିବୃତି ରଖିଥିଲେ ଶିବରାଜ। ସେ କହିଥିଲେ ଯେ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ଏବଂ ରାଜ୍ୟରେ ବିଜେପି ସରକାର ଆସିବା ଦରକାର।
ଚୌହାନ କହିଥିଲେ, ‘‘ମୋଦି ସରକାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି। କିନ୍ତୁ ରାଜ୍ୟ ସରକାର ଏହାକୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲାଗୁ କରୁ ନାହାନ୍ତି। ଓଡ଼ିଶାବାସୀଙ୍କ ସହ ନବୀନ ବାବୁ ଅନ୍ୟାୟ କରୁଛନ୍ତି।’’
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ୭୨ ହଜାର ଟଙ୍କା ଗ୍ୟାରେଣ୍ଟି କାର୍ଡ ପ୍ରତିଶ୍ରୁତିକୁ ସେ ନିନ୍ଦା କରିଥିଲେ।

















