ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଚଳିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ତାଲିକା ଉପରେ ଯଦି ଆଖି ପକାଯାଏ ଗୋଟିଏ କଥା ସ୍ପଷ୍ଟ ହେବ ଯେ ଏଥର  ଦଳ ପରିବାରକୁ ଅଧିକ ପ୍ରାଧାନ୍ୟ ଦେଇଛି। ଆଗରୁ ଦଳର ନେତାମାନେ କହି ଆସୁଥିଲେ ଯେ ଗୋଟିଏ ପରିବାରର ଜଣେ ହିଁ ପ୍ରାର୍ଥୀ ହୋଇପାରିବେ। ତାଲିକା ପ୍ରକାଶ ପାଇବା ପରେ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଯାଇଛି।

ଦଳର ତିନି ଜଣ ପୁରୁଖା ନେତାଙ୍କ ପୁଅମାନଙ୍କୁ ଦଳ ଏଥର  ଟିକେଟ ଦେଇଛି। ଗତ ବିଧାନସଭାରେ ବିରୋଧୀ ଦଳର ନେତା ଥିବା ନରସିଂହ ମିଶ୍ର ବଲାଙ୍ଗିର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ବଲାଙ୍ଗିର ଲୋକସଭା  ଆସନ ପାଇଁ ପ୍ରାର୍ଥୀ କରାଯାଇଛି।

ସେହିଭଳି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ କଳାହାଣ୍ଡି ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପୁଅ ସାଗର ଭବାନୀପାଟଣା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ସାଗର ରାଜନୀତିରେ ତାଙ୍କ ନୂଆ ଇନିଂସ୍ ଆରମ୍ଭ କରିବାକୁ ଯାଉଛନ୍ତି। ସେହିଭଳି ସୁରେଶ ରାଉତରାୟ ଓ ପ୍ରସାଦ ହରିଚନ୍ଦନ।

ଗତ ବିଧାନସଭାରେ ଜର୍ଜ ତିର୍କୀ ବିରମିତ୍ରପୁର ବିଧାୟକ ଥିବା ବେଳେ  ଏଥର ସେ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ ତାଙ୍କ ପୁଅ ରୋହିତ ଜୋସେଫଙ୍କୁ ବିରମିତ୍ରପୁର ବିଧାନସଭା ଆସନ ମିଳିଛି।

ଗୋଟିଏ ପରିବାରର ଜଣେ ହିଁ ପ୍ରାର୍ଥୀ ହୋଇପାରିବେ ବୋଲି ଯେଉଁ ନୀତି ସ୍ଥିର ହୋଇଥିଲା ସେଇଟି କୁଆଡ଼େ ଗଲା ବୋଲି ପଚାରିବାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଯଦି ଏକା ପରିବାରର ଅଧିକ ସଦସ୍ୟ ରାଜନୀତି କରିବା ପାଇଁ ଆଗ୍ରହୀ ସେହି କ୍ଷେତ୍ରରେ ନିୟମରେ କୋହଳ କଲେ କ୍ଷତି କ’ଣ?

Comment