ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
୨୦୧୯ ନିର୍ବାଚନରେ ଜଗତସିଂହପୁର ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିଛି। ଦିନେ ଦଳର ଛାମୁଆ ନେତାଭାବେ ପରିଚିତ ଡାକ୍ତର ଦାମୋଦର ରାଉତ ଆଜି ଘଟଣାଚକ୍ରରେ ବିଜେପିରେ ପଶି ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ହୋଇଛନ୍ତି।
ରୋଚକ କଥା ହେଉଛି ଯେ କିଛି ମାସ ତଳେ ଜଗତସିଂହପୁର ଜିଲ୍ଲା ବିଜେପି ରାଜନୀତିରେ ସକ୍ରିୟ ଥିବା ରଘୁନନ୍ଦନ ଦାସ ଏବେ ହେବେ ଦାମବାବୁଙ୍କ ପ୍ରତିଦ୍ୱନ୍ଦ୍ୱୀ। ରଘୁନନ୍ଦନ ବିଜେପି ସଂଗଠନର ଜଣେ ଟାଣୁଆ ନେତା ଥିବାରୁ ତାଙ୍କ ଉପରେ ଭରସା କରି ଦାମବାବୁ ପଦ୍ମଫୁଲ ଧରି ଜିଲ୍ଲାରେ ନୂଆ ଇନିଂସ ଆରମ୍ଭ କରିବା କଥା ଭାବିଥିଲେ।
କିନ୍ତୁ ଏବେ ପରିସ୍ଥିତି ଓଲଟିଯାଇଛି। ଯେ ଦାମ ବାବୁଙ୍କ ସାହା ଭରସା ହେବା କଥା ସେ ଆଜି ବିଜେଡିରେ। କେବଳ ସେତିକି ନୁହଁ ସେହି ରଘୁନନ୍ଦନ ଦାସ ଏବେ ଶଙ୍ଖ ଧରି ଦାମବାବୁଙ୍କ ବିପକ୍ଷରେ ଠିଆ ହୋଇଛନ୍ତି।
ଦାମ ବାବୁ ବିଜେପିରେ ଯୋଗ ଦେବା ପରେ ବିଜେଡି ଏକ ନୂଆ ଚାଲ ଚଲାଇ ସେଥିରେ ସଫଳ ହୋଇଥିଲା। ଦାମବାବୁଙ୍କୁ ଚେକ୍ ଦେବା ଲାଗି ବିଜେଡି ରଘୁନନ୍ଦନ ଦାସଙ୍କୁ ଆଣି ଦଳରେ ସାମିଲ କରିଥିଲା।
ବଦଳିଲା ପ୍ରଶାନ୍ତଙ୍କ ସ୍ଥାନ
ଜଗତସିଂହପୁର ରାଜନୀତିରେ ଦାମ ବାବୁଙ୍କୁ ଅଡ଼ୁଆ ହେଉଥିବା ପ୍ରଶାନ୍ତ ମୁଦୁଲିଙ୍କ ଆସନ ବଦଳାଇଛି ବିଜେଡି। ୨୦୦୯ ମସିହାରେ ଦାମ ପାରଦୀପ ଆସନକୁ ଯିବା ବେଳେ ବାଲିକୁଦା-ଏରସମା ଆସନରୁ ପ୍ରଶାନ୍ତ ଜିତିଥିଲେ। ସେହିପରି ୨୦୧୪ ଭୋଟରେ ମଧ୍ୟ ପ୍ରଶାନ୍ତ ନିର୍ବାଚିତ ହୋଇଥିଲେ।
୨୦୧୯ରେ ଦାମବାବୁ ପ୍ରଶାନ୍ତ ମୁଦୁଲିଙ୍କୁ ଲକ୍ଷ୍ୟ କରି ବାଲିକୁଦା-ଏରସମା ଉପରେ ନଜର ପକାଇଥିଲେ। ତେବେ ଦାମବାବୁଙ୍କ ଚାଲକୁ ଠିକ୍ରେ ବୁଝିଛି ବିଜେଡି। ପ୍ରଶାନ୍ତଙ୍କୁ ଏହି ଆସନରୁ ହଟାଇ ଦିଆଯାଇଛି ।
୨୦୧୪ ନିର୍ବାଚନରେ ଜଗତସିଂହପୁର ଆସନରୁ ବିଜେଡି ପ୍ରାର୍ଥୀ ଥିଲେ ବିଷ୍ଣୁ ଦାସ। କଂଗ୍ରେସର ଚିରଞ୍ଜିବୀ ବିଶ୍ୱାଳଙ୍କଠାରୁ ବିଷ୍ଣୁ ପରାଜିତ ହୋଇଥିଲେ। ପରେ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇ ତାଙ୍କ ମାନ ରକ୍ଷା କରିଥିଲା। ତେବେ ନବୀନ ବାବୁ ଅଳ୍ପଦିନ ମଧ୍ୟରେ ରାଜ୍ୟସଭାରୁ ହଟାଇ ଆଣିଥିଲେ। ବିଷ୍ଣୁଙ୍କୁ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ପଦବୀରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
ଚଳିତ ନିର୍ବାଚନରେ ବିଷ୍ଣୁ ଦାସଙ୍କୁ ବିଜେଡି ତିର୍ତ୍ତୋଲ ଆସନରୁ ପ୍ରାର୍ଥୀ କରିଛି। ୨୦୧୪ରେ ଏହି ବିଧାନସଭା ନିର୍ବାଚନମଣ୍ଡଳୀରେ ଜିତିଥିଲେ ଦଳର ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ। ରାଜଶ୍ରୀଙ୍କୁ ଏଥର ନବୀନ ୩୩ପ୍ରତିଶତ ମହିଳା ଥାକରେ ଜଗତସିଂହପୁର ଲୋକସଭା ଆସନ ଲାଗି ପ୍ରାର୍ଥୀ କରିଛି।


















