ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ରବିବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛନ୍ତି। ଟିକେଟ ପାଇଥିବା ନେତାଙ୍କ ମଧ୍ୟରେ ପୁରୁଣା ମୁହଁ ସହ କିଛି ନୂଆ ମୁହଁ ଅଛନ୍ତି।
ତାଲିକାକୁ ଭଲକରି ଅନୁଧ୍ୟାନ କଲେ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ, ଏଥର ଭୋଟରେ ବିଜେଡି ହାତେ ମାପି ପାଦେ ଚାଲିବାକୁ ଚାହୁଁଛି।
ଓଡ଼ିଶା ରାଜନୀତିରେ ପିପିଲି ସବୁବେଳେ ଚର୍ଚ୍ଚିତ ହୋଇ ରହିଛି। ପିପିଲିର ରଥୀ ପ୍ରଦୀପ ମହାରଥୀଙ୍କୁ ଏଥର ନବୀନ ଟିକେଟ ଦେଇ ନପାରନ୍ତି, ଏଭଳି ଏକ ଚର୍ଚ୍ଚା ଚାଲିଥିଲା। ମହାରଥୀଙ୍କ ଯାଗାରେ ତାଙ୍କ ପରିବାରର କେହି ଟିକେଟ ପାଇପାରନ୍ତି ବୋଲି ରାଜନୀତି ମହଲ ଭାବୁଥିଲେ। ତେବେ ମହାରଥୀ ପୁଣିଥରେ ମଇଦାନକୁ ଓହ୍ଲାଉଛନ୍ତି।
ବେବିନା ମାମଲାରେ ମହରଥୀ ବିବାଦୀୟ ବୟାନ ଦେଇ ଫସିଥିଲେ। ଏପରିକି ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା। ଏହି ଘଟଣାରେ ବିରୋଧୀଙ୍କ ସହ ନବୀନଙ୍କୁ ହଲାପଟା କରିବାକୁ ପଛାଇନଥିଲେ ବିରୋଧୀ। ତେଣୁ ପ୍ରଦୀପ ମହାରଥୀ ଏଥର ବାଦ୍ ପଡ଼ିପାରନ୍ତି ବୋଲି ଦଳର ଗୋଟିଏ ମହଲ ଏକ ପ୍ରକାର ଧରିନେଇଥିଲେ।
ପିପିଲିରେ କଂଗ୍ରେସ ପକ୍ଷରୁ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ମହାରଥୀଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଯୁଧିଷ୍ଠିର ସାମନ୍ତରାୟଙ୍କୁ ଦଳ ଟିକେଟ ଦେଇପାରେ। ତେବେ ପିପିଲିରେ କଂଗ୍ରେସ ନୁଆ ମୁହଁ ଭାବେ ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ନାଁ ମଧ୍ୟ ଶୁଣାଯାଉଛି।
ଅନ୍ୟପକ୍ଷରେ ପଦ୍ମଫୁଲରୁ ପ୍ରଥମଥର ଲାଗି ପ୍ରାର୍ଥୀ ହୋଇଛନ୍ତି ଆଶ୍ରିତ ପଟ୍ଟନାୟକ। ତେଣୁ ଏଥର ପିପିଲି ରାଜନୀତି ଏକ ରୋଚକ ମୋଡ଼ ନେବାର ସମ୍ଭାବନା ରହିଛି। ମହାରଥୀଙ୍କ ବିକାଶ ସ୍ଲୋଗାନକୁ ପ୍ରତିହତ କରିବା ଲାଗି ବିରୋଧୀଙ୍କ ହାତରେ ରହିଛି ଅନେକ ସ୍ଥାନୀୟ ପ୍ରସଙ୍ଗ।


















