ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ପଖେଇ ଆସୁଥିବା ବେଳେ ଓଡ଼ିଶା ପ୍ରଦେଶ କଂଗ୍ରେସକୁ ଲାଗିଛି ଗୋଟିଏ ପରେ ଗୋଟିଏ ଝଟକା। ବୁଧବାର ପିପିଲି ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ନିର୍ବାଚନ ଲଢ଼ିବାକୁ ମନା କରିଥିବା ବେଳେ ବର୍ତ୍ତମାନ ଜଗତସିଂହପୁର ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।
ଆସନ୍ତା ନିର୍ବାଚନରେ କଂଗ୍ରେସ ବିଭୁ ପ୍ରସାଦଙ୍କୁ ତିର୍ତ୍ତୋଲ ବିଧାନସଭା ଆସନରୁ ଟିକେଟ୍ ଦେଇଥିଲା। କିନ୍ତୁ ସେ ଥିଲେ ଜଗତସିଂହପୁର ଲୋକସଭା ଆସନ ପାଇଁ ଆଶୟୀପ୍ରାର୍ଥୀ। ଦଳ ତାଙ୍କୁ ତିର୍ତ୍ତୋଲରୁ ବିଧାୟକ ପଦ ପାଇଁ ଟିକେଟ୍ ଦେଇଥିବାରୁ ଅସନ୍ତୁଷ୍ଟ ହୋଇ ସେ ଦଳ ଛାଡ଼ିଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ବିଭୁ ପ୍ରସାଦ ତରାଇ ଥିଲେ ଜଗତସିଂହପୁର ଜିଲ୍ଲାର ପୁର୍ବାତନ ସାଂସଦ। ୨୦୦୯ ମସିହାରେ ବିଭୁ ପ୍ରସାଦ ସିପିଆଇ ବାମପନ୍ଥୀ ଦଳରୁ ଜଗତସିଂହପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏହା ପରେ ୨୦୧୪ ନିର୍ବାଚନ ପୂର୍ବରୁ ସେ କଂଗ୍ରେସର ହାତ ଧରିଥିଲେ।
କଂଗ୍ରେସରେ ମିଶିବା ପରେ ୨୦୧୪ ନିର୍ବାଚନରେ ବିଜେଡି ଲୋକସଭା ପ୍ରାର୍ଥୀ କୁଳମଣୀ ସାମଲଙ୍କ ସହ ବିଭୁ ପ୍ରସାଦଙ୍କ କଡ଼ା ମୁକାବିଲା ହୋଇଥିଲା। ଶେଷରେ ବିଭୁ ପ୍ରସାଦଙ୍କୁ ପାଖାପାଖି ୩ ଲକ୍ଷ ଭୋଟ୍ରେ ହରାଇ କୁଳମଣି ସାମଲ ଜଗତସିଂହପୁର ସାସଂଦ ଭାବେ ନିର୍ବାଚିତ ହୋଇଥିଲେ।
୨୦୧୯ ନିର୍ବାଚନକୁ ମାତ୍ର ଦିନ କେଇଟା ଥିବା ବେଳେ କଂଗ୍ରେସ ଦଳକୁ ବାଏ ବାଏ କହିଛନ୍ତି ବିଭୂ ପ୍ରସାଦ।



















