ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବେକାର ଯୁବକ ଯୁବତୀଙ୍କୁ ମାସିକ ୩ ହଜାର ଟଙ୍କା ଭତ୍ତା ଦେବ କଂଗ୍ରେସ।

‘‘କଂଗ୍ରେସ ଦେବ ବେକାରୀ ଭତ୍ତା। ବେକାର ଯୁବକ ଯୁବତୀଙ୍କୁ ମାସିକ ୩୦୦୦ ଟଙ୍କା ଲେଖାଏଁ ଦେବ କଂଗ୍ରେସ’’।

ନିର୍ବାଚନୀ ଇସ୍ତାହାରରେ ଆଜି ଏହି ପ୍ରତିଶ୍ରୁତି ଦେଇଛି କଂଗ୍ରେସ।

ରବିବାର ଦିନ କଂଗ୍ରେସ ଭବନରେ ଓଡ଼ିଶା ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିଲା କଂଗ୍ରେସ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ଇସ୍ତାହାର ପ୍ରକାଶ କରିଥିଲେ।

ଭାରତୀୟ ଜନସଂଖ୍ୟାର ୫୦ ପ୍ରତିଶତରୁ ଅଧିକ ଯୁବକ ହୋଇଥିବାରୁ କଂଗ୍ରେସ ନିଜ ସଂକଳ୍ପପତ୍ରରେ ଯୁବକ ମାନଙ୍କୁ ଅଧିକ ଫୋକସ କରିଛି। ଦୀର୍ଘ ବର୍ଷ ଧରି ଶାସନ ଗାଦିରୁ ଦୂରରେ ଥିବା କଂଗ୍ରେସ ଯୁବସମାଜକୁ ଆକୃଷ୍ଟ କରିବାକୁ ଏହି ସଙ୍କଳ୍ପପତ୍ର ଜରିଆରେ ପ୍ରୟାସ କରିଛି।

ଏହାସହ କଂଗ୍ରେସ ସରକାରୀ କ୍ଷେତ୍ରରେ ଖାଲିପଡ଼ିଥିବା ୧ ଲକ୍ଷ ପଦବୀକୁ ବର୍ଷକ ମଧ୍ୟରେ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛି। ସରକାରୀ ଓ ବେସରକାରୀ କ୍ଷେତ୍ରରେ ବୟସ ସୀମା ବୃଦ୍ଧି କରିବା ପାଇଁ କଂଗ୍ରେସ କହିଛି। ଏହା ସହିତ ସବୁ କ୍ଷେତ୍ରରେ ଠିକା ବ୍ୟବସ୍ଥାକୁ ଉଠାଇ ସବୁ ଚାକିରିକୁ ନିୟମିତ କରିବା ପାଇଁ କଂଗ୍ରେସ ଘୋଷଣା କରିଛି।

ସେହିପରି ଯୁବ ଉଦ୍ୟୋଗୀମାନଙ୍କ ପାଇଁ ବଡ଼ ପ୍ରତିଶ୍ରୁତି ଦେଇଛି କଂଗ୍ରେସ। କୌଣସି ବ୍ୟବସାୟ ଆରମ୍ଭ କରିବାକୁ ହେଲେ ପ୍ରଥମ ତିନିବର୍ଷ ପର୍ଯ୍ୟନ୍ତ ତାଙ୍କୁ କୌଣସି ସଂସ୍ଥାର ଅନୁମୋଦନ ନେବାକୁ ପଡିବ ନାହିଁ ବୋଲି କହିଛି କଂଗ୍ରେସ।

ଏହାସହ କଂଗ୍ରେସ ସରକାରକୁ ଆସିଲେ  ଉଦ୍ୟୋଗ ଗୁଡିକରେ ନିଯୁକ୍ତିର ପରିସର ବୃଦ୍ଧି କରାଯିବ ବୋଲି କହିଛି କଂଗ୍ରେସ। ଯୁବ କ୍ରୀଡ଼ାବିତଙ୍କ ପାଇଁ ମଧ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛି କଂଗ୍ରେସ।

ଓଡିଶାର ଐତିହ୍ୟ ଓ ସେହି ସମୃଦ୍ଧ ପରମ୍ପରାର ପ୍ରସାରକ ରୂପେ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରାଯିବ ବୋଲି ଘୋଷଣାପତ୍ରରେ ଉଲ୍ଲଖ କରାଯାଇଛି।

Comment