ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଓଡ଼ିଶାର ଚାରି ଲୋକସଭା ଆସନ ସମେତ ୨୮ ବିଧାନସଭା ଆସନରେ ଗୁରୁବାର ହେବ ଭୋଟ। କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ଲୋକସଭା ଆସନରେ ମତଦାନ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଜାଣନ୍ତୁ ଆସନ୍ତକାଲି କେଉଁ ପ୍ରାର୍ଥୀଙ୍କର ଭାଗ୍ୟ ଇଭିଏମରେ ସିଲ୍ ହେବ?
କଳାହାଣ୍ଡି ଲୋକସଭା ସିଟ୍
କଳହାଣ୍ଡି ଭୋଟରଙ୍କ ପ୍ରଥମ ପସନ୍ଦ କିଏ? କାହାକୁ ଭୋଟ ଦେବେ କଳାହାଣ୍ଡି ଲୋକସଭା ଆସନର ସଚେତନ ଭୋଟର? ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆସନ୍ତା କାଲି ଏହି ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ କରିବେ ପ୍ରାର୍ଥୀ।
ଏହି ଲୋକସଭା ଆସନରୁ ବିଜେଡିର ପୁଷ୍ପେନ୍ଦ୍ର ସିଂଦେଓ, କଂଗ୍ରେସର ଭକ୍ତ ଚରଣ ଦାସ ଏବଂ ବିଜେପିର ବସନ୍ତ ପଣ୍ଡା ପ୍ରାର୍ଥୀ ଅଛନ୍ତି। ଏହି ପ୍ରାର୍ଥୀ ପ୍ରଚାର ମଇଦାନକୁ କମ୍ପାଇଥିଲେ। ଏହି ତିନି ପ୍ରାର୍ଥୀଙ୍କ ଭିତରୁ ଭୋଟର କାହାକୁ ବାଛୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।
କଳାହାଣ୍ଡି ଲୋକସଭା ଆସନ ଅଧୀନରେ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଏବଂ ନର୍ଲା ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ।
ନବରଙ୍ଗପୁରରେ ଭାଗ୍ୟ ପରୀକ୍ଷା
ନବରଙ୍ଗପୁର ଲୋକସଭା ଆସନରେ ଗୁରୁବାର ଦିନ ହେବ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା। ଏହି ଆସନରେ ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇଛନ୍ତି କଂଗ୍ରେସର ପ୍ରଦୀପ ମାଝି, ବିଜେଡିର ରମେଶ ମାଝି ଏବଂ ବିଜେପିର ବଳଭଦ୍ର ମାଝି।
ଏହି ତିନି ପ୍ରାର୍ଥୀଙ୍କ ଭିତରେ ପ୍ରଚାର ମଇଦାନରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ହେଲେ ଭୋଟର ଏଥର କାହାକୁ ବାଛୁଛନ୍ତି ତାକୁ ହିଁ ଅପେକ୍ଷା।
ପ୍ରଦୀପ ପୂର୍ବରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ରମେଶ ଝରିଗାଁରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବଳଭଦ୍ର ଗତ ଥର ବିଜେଡି ଟିକେଟରୁ ସଂସଦ ଯାଇଥିଲେ।
ଏଥର ବଳଭଦ୍ର ପାର୍ଟି ବଦଳାଇ ବିଜେପିକୁ ଆସିଥିବା ବେଳେ ରମେଶ ଲୋକସଭା ପ୍ରାର୍ଥୀ ହୋଇଛନ୍ତି।
ଏହି ଲୋକସଭା ଆସନ ଅଧୀନରେ ଥିବା ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡାରେ ଭୋଟଗ୍ରହଣ ହେବ।
ବ୍ରହ୍ମପୁରରେ ବି ପରୀକ୍ଷା
ବ୍ରହ୍ମପୁର ଲୋକସଭା ଆସନରେ ଗୁରୁବାର ଭୋଟ। ଏହି ଆସନରେ ବିଜେଡିର ଚନ୍ଦ୍ର ଶେଖର ସାହୁ, କଂଗ୍ରେସର ଭି ଚନ୍ଦ୍ର ଶେଖର ନାଇଡୁ ଏବଂ ବିଜେପିର ଭୃଗୁ ବକ୍ସିପାତ୍ର ପ୍ରାର୍ଥୀ ହୋଇଛନ୍ତି।
ଚନ୍ଦ୍ରଶେଖର ସାହୁ ପୂର୍ବରୁ କଂଗ୍ରେସ ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ରହିଥିବା ବେଳେ ଚନ୍ଦ୍ରଶେଖର ନାଇଡୁ ଏବଂ ଭୃଗୁ ପ୍ରଥମ ଥର ପାଇଁ ବ୍ରହ୍ମପୁର ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି। ହେଲେ ଭୋଟର ଏଥର କାହାକୁ ଦିଲ୍ଲୀ ପଠାଉଛନ୍ତି ତାହା ମେ’ ୨୩ରେ ହିଁ ସ୍ପଷ୍ଟ ହେବ।
ଏହି ଲୋକସଭା ଆସନରେ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନ, ପାରଳାଖେମୁଣ୍ଡି ଆସନରେ ବି ଭୋଟ ହେବ।
କାହାକୁ ବାଛିବେ କୋରାପୁଟ ଭୋଟର?
କୋରାପୁଟର ସଚେତନ ଭୋଟର କାହାକୁ ଏଥର ନିର୍ବାଚିତ କରିବେ? ଏଥର ଏହି ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡିରୁ କୌଶଲ୍ୟା ହିକ୍କା, ବିଜେପିରୁ ଜୟରାମ ପାଙ୍ଗୀ ଏବଂ କଂଗ୍ରେସରୁ ସପ୍ତଗିରି ଉଲ୍ଲାକା। ଏମାନଙ୍କ ଭିତରୁ ଜୟରାମ ପାଙ୍ଗୀ ହେଉଛନ୍ତି ଅଭିଜ୍ଞ ପ୍ରାର୍ଥୀ। ତାଛଡ଼ା କୌଶଲ୍ୟା ହିକ୍କା ହେଉଛନ୍ତି କୋରାପୁଟ ସାଂସଦ ଝିନ୍ନ ହିକ୍କାଙ୍କର ପତ୍ନୀ। ଏଣୁ ଭୋଟର ଏଥର କାହାକୁ ବାଛିବେ ତା’ ଉପରେ ନଜର।
ଆସନ୍ତା କାଲି ଏହି ତିନି ପ୍ରାର୍ଥୀ କୋରାପୁଟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପ୍ରାର୍ଥୀ ଭୋଟ ଦେବେ।
ଏହି ଲୋକସଭା ଆସନ ଅଧୀନରେ ଗୁଣୁପର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଏବଂ ପଟାଙ୍ଗୀ ବିଧାନସଭା ଆସନରେ ଭୋଟ ହେବ।


















