ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ରୁ ମତଦାନ ଆରମ୍ଭ ହୋଇଯାଇଛି। କିନ୍ତୁ ଇଭିଏମ୍ରେ ଯାନ୍ତ୍ରିକ ତୃଟି ଦେଖାଦେଇଥିବାରୁ ବିଭିନ୍ନ ସ୍ଥାନରେ ମତଦାନ କରିବାରେ ବିଳମ୍ବ ହୋଇଥିବା ସୂଚନା ମିଳିଛି।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ୟୁପି ସ୍କୁଲର ୨୧୧ ନମ୍ବର ବୁଥ୍, କୋରାପୁଟ ଜିଲ୍ଲା ଜୟପୁର ପାରାବେଡ଼ା ହାଇସ୍କୁଲର ୧୬୨ ନମ୍ବର ବୁଥ୍ରେ ମତଦାନ ବିଳମ୍ବ ହୋଇଥିବା ଜଣାପଡ଼ିଛି। ସେହିପରି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ର ୩ଟି ବୁଥ୍ରେ ମଧ୍ୟ ମତଦାନ ବିଳମ୍ବ ହୋଇଛି।
ଲମତାପୁଟ ହାଇସ୍କୁଲ୍ର ୭୭ ନମ୍ବର ବୁଥ୍, ହନୁମାଳ ଏମ୍ଇ ସ୍କୁଲର ୬୮ ନମ୍ବର ବୁଥ୍ ଓ ଅନକାଡ଼େଲି ୟୁପି ସ୍କୁଲର ୬୯ ନମ୍ବର ବୁଥ୍ରେ ମତଦାନରେ ବିଳମ୍ବ ହୋଇଛି।
ଫଳରେ ମତଦାନ ପାଇଁ ଭୋଟରମାନେ ଧାଡ଼ିରେ ଠିଆ ହୋଇ ରହିଛନ୍ତି।
ଓଡ଼ିଶାର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ଆସନ ପାଇଁ ଗତ ରାତିରୁ ହିଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୭୨୩୩ ବୁଥରେ ନିର୍ବାଚନ ହେଉଛି। ପାଖାପାଖି ୬୦ ଲକ୍ଷ ୩ ହଜାର ୭୦୭ ଜଣ ଭୋଟର ପ୍ରଥମ ପର୍ଯ୍ୟାୟ ଲାଗି ନିଜର ମତଦାନ ସାବ୍ୟସ୍ତ କରିବେ।
ଗ୍ରୀଷ୍ମପ୍ରବାହ ଯୋଗୁଁ ବିଭିନ୍ନ ଭୋଟ କେନ୍ଦ୍ରରେ ସକାଳୁ ସକାଳୁ ମତଦାତା ମାନେ ଧାଡ଼ି ବାନ୍ଧି ଠିଆ ହୋଇଥିବା ଲକ୍ଷ୍ୟ କରାଯାଇଛି।ଭୋଟ ଗ୍ରହଣ ସକାଳ ୭ରେ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ।


















