ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ


ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହେବା ସହ ଦଳମାନେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହିଭଳି  ଘଡ଼ିସନ୍ଧି ମୁହୂର୍ତ୍ତରେ କଂଗ୍ରେସ ଦଳର ଅବସ୍ଥା କିନ୍ତୁ ଦୟନୀୟ ହୋଇ ପଡ଼ିଛି। ନିରଞ୍ଜନ ପଟ୍ଟନାୟକ ଯେଉଁଦିନ ପିସିସି ସଭାପତି ଭାବରେ ଦାୟିତ୍ୱ ନେଲେ ଆଶା କରାଯାଉଥିଲା ଦଳ ଠିକଣା ବାଟରେ ଯିବ ଓ ୨୦୧୯ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ। ତେବେ ବର୍ତ୍ତମାନ  ଯାହା ଦେଖାଯାଉଛି  ନିରଞ୍ଜନ ଦାୟିତ୍ୱ ନେବା ପୂର୍ବରୁ ବରଂ ଦଳ ଭଲ ଥିଲା ଓ ସବୁ କିଛି ଠିକ୍ ଚାଲିଥିଲା।

ସବୁ ଢିଲା

କଂଗ୍ରେସକୁ  ପ୍ରଥମ ଝଟକା ଲାଗିଲା ଯେତେବେଳେ ଜଣକ ପରେ ଜଣେ ନେତା ଓ ବିଧାୟକ ଦଳ ଛାଡ଼ିଲେ। ବିଗତ ଛଅ ମାସ ଧରି ଲଗାତର ନେତାମାନେ ଦଳତ୍ୟାଗ କରୁଥିବା ବେଳେ ନିର୍ବାଚନ ଆରମ୍ଭ ହେଲା ପରେ ବି ଏହି ସଙ୍କଟ ଦୂର ହୋଇନାହିଁ। ଗୁରୁବାର ଦିନ ଦଳର ମୁଖପାତ୍ର ସୋନାଲି ସାହୁ ଇସ୍ତଫା ଦେବା ପୂର୍ବରୁ ପିସିସି ମହିଳା ସଭାପତି ସୁମିତ୍ରା ଜେନା ଦଳ ଛାଡ଼ି ବିଜେଡିରେ ମିଶିଛନ୍ତି। ଦଳ ଛାଡ଼ିବା ପରେ ପିସିସି ମୁଖ୍ୟଙ୍କ ନାମରେ ସୁମିତ୍ରା ଯେଉଁ ସବୁ ଅଭିଯୋଗ ଆଣିଛନ୍ତି ତାହା ସତ୍ୟ ହୋଇଥିଲେ ସାଙ୍ଘାତିକ।

ଅମଙ୍ଗ ପ୍ରାର୍ଥୀ

ନିର୍ବାଚନ ମଇଦାନକୁ ଆସିବା ପାଇଁ ଓ ଟିକେଟ ଖଣ୍ଡିଏ  ପାଇବା ସକାଶେ ଅନ୍ୟ ଦଳରେ ପ୍ରାର୍ଥୀମାନେ ପ୍ରତିଯୋଗିତା କରୁଥିବା ବେଳେ କଂଗ୍ରେସ ଟିକେଟ ନେବା ପାଇଁ ପ୍ରାର୍ଥୀ ରାଜି ନହେବା ଘଟଣାରୁ ଅନୁମାନ କରିହେବ କେଉଁ ସ୍ଥିତିରେ ଦଳ ପହଞ୍ଚିଛି। ବଡ଼ଚଣା ଓ ପିପିଲି ଆସନ ପାଇଁ ମିଳୁଥିବା ଟିକେଟକୁ ପ୍ରତ୍ୟଖ୍ୟାନ କରିବା ସହ ଦୁଇ ପ୍ରାର୍ଥୀ ସୀତାକାନ୍ତ ମହାପାତ୍ର ଓ ଯୁଧିଷ୍ଠିର ସାମନ୍ତରାୟ ଯେଉଁ କାରଣ ଦର୍ଶାଇଥିଲେ ତାହା ଆହୁରି କୌତୁହଳଜନକ। ବିଳମ୍ବରେ ଟିକେଟ ମିଳିବା ଯୋଗୁଁ ନିର୍ବାଚନ ଲଢ଼ିବା ସମ୍ଭବ ନୁହେଁ ବୋଲି ସେମାନେ ନେତୃତ୍ୱକୁ ରୋକଠୋକ ଶୁଣାଇଥିଲେ।

ପିସିସି ସଭାପତି ହେବା ପରେ ନିରଞ୍ଜନ ବଡ଼ ମୁହଁରେ ଘୋଷଣା କରିଥିଲେ ଯେ ଜୁଲାଇ (୨୦୧୮) ସୁଦ୍ଧା ପ୍ରଥମ ୫୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଆଠ ମାସ ଆଗରୁ ପ୍ରାର୍ଥୀଙ୍କ ନାମ ଘୋଷଣା କ’ଣ ହେବ ପ୍ରାର୍ଥିପତ୍ର ଦାଖଲ ସମୟ ଗଡ଼ିଯିବା ପର୍ଯ୍ୟନ୍ତ ପ୍ରାର୍ଥୀ ଠିକ୍ ହୋଇପାରୁ ନଥିଲେ।

ଷ୍ଟାରଙ୍କ ଲୁଚକାଳି

ନିର୍ବାଚନ ଜୋର ଧରିଥିବା ବେଳେ ଓ ପ୍ରଚାର ଜମିଥିବା ବେଳେ କଂଗ୍ରେସର ନେତା ଓ ପ୍ରାର୍ଥୀ  କେବଳ ଲୁଚୁଛନ୍ତି ତାହା ନୁହେଁ ଷ୍ଟାର ପ୍ରଚାରକମାନେ ମଧ୍ୟ ମୁହଁ ଦେଖାଇବାକୁ ଲାଜ କରୁଛନ୍ତି। ଗତ ୨୫ ତାରିଖରେ କଂଗ୍ରେସ ୪୦ ଜଣ ଷ୍ଟାର ପ୍ରଚାରକଙ୍କ ଏକ ତାଲିକା ଘୋଷଣା କରିଥିଲା। ଏଥିରେ ଦଳର ମୁଖ୍ୟଙ୍କ ସମେତ ବହୁ ବାହାରର ନେତା ଓ ଚିତ୍ର ତାରକାଙ୍କ ନାମ ବି ଥିଲା। କିନ୍ତୁ ଦଳର ସ୍ଥିତି ଅନୁଧ୍ୟାନ କରି କେହି ପ୍ରଚାର ପାଇଁ ଆସୁନାହାନ୍ତି। ଚଳିତ ୯ ତାରିଖରେ ରାହୁଲ ଗାନ୍ଧି ଓଡ଼ିଶା ଆସିବାର ଥିଲା। କିନ୍ତୁ ତାହାକୁ ଶେଷ ମୁହୂର୍ତ୍ତରେ ବାତିଲ କରି ଦିଆଯାଇଥିଲା।

ଉକ୍ତ ତାଲିକାରେ ମନମୋହନ ସିଂହ,  ପ୍ରିୟଙ୍କା ଗାନ୍ଧି, ନବଜ୍ୟୋତ୍ ସିଂହ ସିଦ୍ଧୁ, ସଚିନ୍ ପାଇଲଟ, ମହମ୍ମଦ ଆଜରୁଦ୍ଦିନ ପ୍ରମୁଖଙ୍କ ନାମ ଥିଲା। ଏବେ ସେମାନେ ପ୍ରଚାର ପାଇଁ ଆସିବେ କି ନା ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବୋଧହୁଏ, ଦଳ ଭିତରେ ଗୋଷ୍ଠୀ କନ୍ଦଳ, ଟିକେଟ ଆବଣ୍ଟନ ଘୋଟାଲା ଓ ସମସ୍ତେ  ଦଳ ଛାଡ଼ୁଥିବା ଖବର ପାଇ ଷ୍ଟାର ପ୍ରଚାରକମାନେ ଓଡ଼ିଶା ଆସିବା ପାଇଁ ରାଜି ହେଉ ନାହାନ୍ତି।

Comment