ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୈଫ୍‌ ଅଲ୍ଲୀ ଖାନ୍‌-ଅମ୍ରିତା ସିଂଙ୍କ ଝିଅ ତଥା ବଲିଉଡର ଏବେର ୟଙ୍ଗ ସେନ୍‌ସେସନ୍‌ ସାରା ଅଲ୍ଲୀ ଖାନ୍‌ ଅଡୁଆରେ ପଡ଼ିଛନ୍ତି। ଗତ କିଛି ଦିନ ହେଲା ସାରା ଅଲ୍ଲୀ ଖାନ୍‌ ଓ ହିରୋ କାର୍ତ୍ତିକ ଆର୍ୟ୍ୟନ୍‌ଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଏହି ଭିଡ଼ିଓରେ ଦୁହେଁ ଦିଲ୍ଲୀର ରାସ୍ତାରେ ବାଇକ୍‌ରେ ଯାଉଥିବା ଦେଖାଯାଉଛି। ତେବେ ବିବାଦ ହେଲା କାର୍ତ୍ତିକ ହେଲ୍‌ମେଟ୍‌ ପିନ୍ଧି ବାଇକ୍‌ ଚଳାଉଥିବାବେଳେ ତାଙ୍କ ପଛରେ ବସିଥିବା ସାରା କିନ୍ତୁ ହେଲମେଟ୍‌ ପିନ୍ଧିନାହାନ୍ତି।

ଏହା ଦିଲ୍ଲୀରେ ସଡ଼କ ସୁରକ୍ଷା ନିୟମର ଅବମାନନା। ନିୟମ ଅନୁସାରେ ଉଭୟ ଚାଳକ ଓ ପଛରେ ବସିଥିବା ଲୋକ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ। ଏହି କାରଣରୁ ଦିଲ୍ଲୀ ପୋଲିସ୍‌ ପକ୍ଷରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

କଥା ହେଲା ସାରା ଓ କାର୍ତ୍ତିକ ଇମ୍‌ତିଆଜ୍‌ ଅଲ୍ଲୀଙ୍କ ଫିଲ୍ମ ‘ଆଜ୍‌କଲ୍‌’ର ସୁଟିଂ ପାଇଁ ଦିଲ୍ଲୀ ଆସିଛନ୍ତି। ଏବେ ଏହି ସମୟରେ ଦୁହେଁ ବାଇକ୍‌ରେ ବୁଲୁଥିଲେ। ସେମାନଙ୍କର ଭିଡ଼ିଓ ଉଠାଇ ରାସ୍ତାରେ ଦେଖଣାହାରୀ ଏହାକୁ କେବଳ ସୋସିଆଲ୍‌ ମିଡିଆରେ ପୋଷ୍ଟ କଲେ ତାହା ନୁହେଁ, ବରଂ ଦିଲ୍ଲୀ ପୋଲିସ୍‌କୁ ବି ଟ୍ୟାଗ୍‌ କରିଦେଇଥିଲେ।

ଏହାପରେ ଦୁହିଁଙ୍କୁ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ କରାଯାଉଛି। ଲୋକେ ଦୁହିଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛନ୍ତି।

ଦିଲ୍ଲୀ ପୋଲିସ୍‌ର ଜଣେ ସିନିୟର ଇନ୍ସପେକ୍ଟରଙ୍କ କହିବା ଅନୁସାରେ ଦୁହିଁଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ଏବଂ କାର୍ଯ୍ୟାନୁଷ୍ଠାନ ବି ନିଆଯିବ।

Comment