ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭାରତର ନିର୍ବାଚନ ମହାକୁମ୍ଭ କିଛି ସମୟ ପୂର୍ବରୁ ଆରମ୍ଭ ହୋଇଯାଇଛି। ଗଣତନ୍ତ୍ରର ସବୁଠାରୁ ବଡ଼ ମେଳା ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଦେଶର ୧୮ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟ ଗ୍ରହଣ କରାଯାଉଛି। ଆଜି ୯୧ ଲୋକସଭା ଆସନ ପାଇଁ ଭୋଟ ପଡ଼ିବ। ଆଜି ମଧ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଉଛି।
ସକାଳ ୭ଟାରେ ଭୋଟ ଆରମ୍ଭ ହେବା କ୍ଷଣି ବିଭିନ୍ନ ସ୍ଥାନରେ ଲୋକଙ୍କ ଆଗ୍ରହ ଲକ୍ଷ୍ୟ କରାଯାଇଛି। ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଦେଶ ତମାମ ନିର୍ବାଚନ ଅଧିକାରୀମାନେ ମତଦାନ ପାଇଁ ପ୍ରସ୍ତୁତି ଚଳାଇଥିଲେ। ବୁଧବାର ସନ୍ଧ୍ୟାରେ ମୁଖ୍ୟ ନିର୍ବାଚନ କମିଶନର ବୁଥକୁ ଯାଇ ନିଜ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ।ସମସ୍ତେ ଏହି ପ୍ରକ୍ରିୟାରେ ସାମିଲ ହେଲେ ଗଣତନ୍ତ୍ର ମଜବୁତ ହେବ ବୋଲି ସେ କହିଛନ୍ତି।
ଓଡ଼ିଶାର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ଆସନ ପାଇଁ ଗତ ରାତିରୁ ହିଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏହି ଚାରିଟି ଆସନର ଅବସ୍ଥିତିକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରରେ ଭୋଟ ଗ୍ରହଣ ପାଇଁ କର୍ମଚାରୀ ମାନେ ଡ଼ଙ୍ଗାରେ ଯାଇ ଭୋଟ କେନ୍ଦ୍ର ନିକଟରେ ପହଞ୍ଚିଥିଲେ।
ଗ୍ରୀଷ୍ମପ୍ରବାହ ଯୋଗୁଁ ବିଭିନ୍ନ ଭୋଟ କେନ୍ଦ୍ରରେ ସକାଳୁ ସକାଳୁ ମତଦାତା ମାନେ ଧାଡ଼ି ବାନ୍ଧି ଠିଆ ହୋଇଥିବା ଲକ୍ଷ୍ୟ କରାଯାଇଛି।ଭୋଟ ଗ୍ରହଣ ସକାଳ ୭ରେ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ।


















