ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୩.୭୬ ପ୍ରତିଶତ ଭୋଟ ହୋଇଛି। ଗୁରୁବାର ୪ ଲୋକସଭା ଓ ୨୮ ବିଧାନସଭା ଆସନ ପାଇଁ  ଭୋଟ ଗ୍ରହଣ କରାଯାଇଥିଲା। ନିର୍ବାଚନ ଅଧିକାରୀଙ୍କ ସୂଚନାନୁସାରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ମୋଟ ୭୩.୭୬ପ୍ରତିଶତ ମତଦାନ ହୋଇଛି। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ  ୭୩.୦୯ପ୍ରତିଶତ ଥିବାବେଳେ ମହିଳା ଭୋଟରଙ୍କ ୭୪.୪୩ପ୍ରତିଶତ ଅଛି। ଅର୍ଥାତ ପ୍ରଥମ ପର୍ଯ୍ୟାୟରେ ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଚରଙ୍କ ସଂଖ୍ୟା ଅଧିକ।

ସେହିପରି କଳାହାଣ୍ଡିରେ ମୋଟ ୭୫.୮୯ପ୍ରତିଶତ, ନବରଙ୍ଗୁପୁରରେ ୭୮.୮୯ ପ୍ରତିଶତ,ବ୍ରହ୍ମପୁରରେ ୬୫.୫୭ପ୍ରତିଶତ,କୋରାପୁଟରେ ୭୬.୭୭ ପ୍ରତିଶତ ମତଦାନ ହୋଇଛି।

୨୦୧୪ ତୁଳନାରେ ଏହା ପ୍ରାୟ ସମାନ। ୨୦୧୪ ନିର୍ବାଚନରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଏହିସବୁ ଲୋକସଭା ଓ  ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ଅନୁମାନ କରାଯାଉଛି ଯେ ୨୦୧୪ ଭଳି ଏଥର ମଧ୍ୟ ଫଳାଫଳରେ କିଛି ପରିବର୍ତ୍ତନ ହୋଇନପାରେ।

ତେବେ ପ୍ରଥମ ପର୍ଯ୍ୟାୟ ଭୋଟରେ କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଭୋଟ କେନ୍ଦ୍ର ନିକଟରେ ମତଦାତାଙ୍କ  ଭିଡ଼ ପରିଲକ୍ଷିତ ହୋଇଥିଲା। ତେବେ ନିର୍ବାଚନ ଅଧିକାରୀ ଦେଇଥିବା ସୂଚନାନୁସାରେ ମାଓଅଞ୍ଚଳ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ନବରଙ୍ଗପୁରରେ ଅଧିକ ପ୍ରତିଶତ ମତଦାନ ହୋଇଛି।

ଯଦି ବିଗତ ନିର୍ବାଚନର ଧାରାକୁ ଲକ୍ଷ୍ୟ କରାଯାଏ, ଗୋଟିଏ କଥା ସ୍ପଷ୍ଟ ହେବ ଯେ ଯେତେ ଅଧିକ ଭୋଟଦାନ ହୁଏ ଭୋଟ ଫଳ ସେତେ ନିର୍ଣ୍ଣାୟକ ହୋଇଥାଏ। ଅବଶ୍ୟ ଅଧିକ ଭୋଟ ପଡ଼ିବାର ଅର୍ଥ ନୁହେଁ କୌଣସି ଏକ ନିର୍ଦ୍ଦିଷ୍ଟ ଦଳ ପ୍ରତି ଭୋଟରଙ୍କ ସମର୍ଥନ ରହିଛି ଅଥବା ବିରୋଧ ରହିଛି। ଏହାର ଅର୍ଥ ଲୋକେ ସ୍ପଷ୍ଟ ଭାବରେ ସେମାନଙ୍କର ମତ ଦେଇଛନ୍ତି। ଏଣୁ ଆଜିର ଭୋଟଦାନରେ ହୁଏତ ଶାସକ ବିଜେଡିକୁ ପୂରା ଫାଇଦା ହୋଇପାରେ କିମ୍ବା ବିଜେପିକୁ ଲାଭ ହୋଇପାରେ।

 

Comment