ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଶୁକ୍ରବାର ସରିଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ମତଦାନ ଚାଲିଥିଲା। ତେବେ ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟରେ ମୋଟ ୭୨ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପରମାଣିକ ସୂଚନା ଦେଇଛନ୍ତି।

ରାଜ୍ୟରେ ବରଗଡ଼ରେ ୭୭.୭୩ ପ୍ରତିଶତ, ସୁନ୍ଦରଗଡ଼ରେ ୭୧.୫୨ ପ୍ରତିଶତ, ବଲାଙ୍ଗିର ୭୪.୩୩ ପ୍ରତିଶତ, କନ୍ଧମାଳରେ ୬୯.୨୪ ପ୍ରତିଶତ ଓ ଆସିକାରେ ୬୫.୮୯ ପ୍ରତିଶତ ମତଦାନ ହୋଇଛି। ଦ୍ଵିତୀୟ ପର୍ଯ୍ୟାୟରେ ମୋଟ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୭୩.୭୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୭୨ ପ୍ରତିଶତ ମତଦାନ ହୋଇଛି। ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟରେ ଭୋଟ ହାର କମିଛି। ଗତ କାଲି ମତଦାନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଇଭିଏମ୍ରେ ତ୍ରୁଟି ଭଳି ସମସ୍ୟା ଦେଖାଦେଇଥିଲା। ଏହି ସମସ୍ୟାକୁ ବାଦ୍ ଦେଲେ ଗତକାଲି ସୁରୁଖୁରୁରେ ମତଦାନ ସରିଥିବା ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।


















