ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଏପ୍ରିଲ ୨୩ରେ ୬ ଲୋକସଭା ସହ ୪୨ ବିଧାନସଭା ଆସନ ଲାଗି ମତଦାନ ହେବ। ୪୨ ବିଧାନସଭା ଆସନ ମଧ୍ୟରୁ ଅନେକ ହଟ ସିଟ ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ।
ଶେଷଦିନରେ ବି ଖଣ୍ଡପଡ଼ାରେ ଜୋର ଧରିଛି ପ୍ରଚାର। ସେଠାରେ କେମିତି ରହିଛି ରାଜନୈତିକ ଉଷ୍ମତା ତାହା ପରଖିବା ଲାଗି ଖଣ୍ଡପଡ଼ାରେ ପହଞ୍ଚିଥିଲା ଓଡ଼ିଶାଲାଇଭ ଟିମ୍।
ଖଣ୍ଡପଡା ଲାଗି ବିଜେଡି ଏଥର ପ୍ରାର୍ଥୀ କରିଛି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ। ଗତ ଦୁଇଥର ସେହି ଆସନରୁ ନିର୍ବାଚନ ଲଢ଼ି ପରାଜୟ ହୋଇଥିଲେ ସୌମ୍ୟରଞ୍ଜନ । ଏଥର ସେ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇଛନ୍ତି।
ଲୋକଙ୍କ ଶ୍ରଦ୍ଧା ମୋ ସହ ଅଛି
ସୌମ୍ୟରଞ୍ଜନ କହିଛନ୍ତି, “ମୁଁ ଖଣ୍ଡପଡ଼ାର ପ୍ରତିଟି ପଞ୍ଚୟତ ବୁଲିଛି। ଏହି ସମୟରେ ଲୋକଙ୍କର ଅନେକ ଭଲପାଇବା ମୋ ସହ ଥିବା ମୋତେ ଲାଗୁଛି। ଲୋକଙ୍କ ଶ୍ରଦ୍ଧା ଓ ସହାନୁଭୂତି ମୋ ସପକ୍ଷରେ ଅଛି। ତେଣୁ ମୁଁ ଟିକେ ସୁବିଧାଜନକ ସ୍ଥିତିରେ ଥିବା ଭାବୁଛି କିନ୍ତୁ ମୁଁ ମୋ ପ୍ରତିପକ୍ଷଙ୍କୁ ଦୁର୍ବଳ ବୋଲି ବି ଭାବୁନାହିଁ।”
ଖଣ୍ଡପଡ଼ାକୁ ନିଜର କରିଛି ୧୯୯୬ ମସିହାରୁ
“ଖଣ୍ଡପଡ଼ାକୁ ନିଜର କରିଛି ୧୯୯୬ ମସିହାରୁ ଯେବେ ମୁଁ ସାଂସଦ ଥିଲି। ଏଇଠି ଘର କରିଛି ଏଇଠି ଭୋଟର ହୋଇଛି। ମୁଁ ଥରଟେ ଖଣ୍ଡପଡ଼ାର ପ୍ରତିନିଧି ହେବାକୁ ଚାହୁଁଛି। ଅନେକ ଲୋକ ଓ ପରିବାର ଖଣ୍ଡପଡ଼ାର ଶାସନ ଲାଗି ସୁଯୋଗ ପାଇଲେଣି। ମୁଁ ବି ହକଦାର ବୋଲି ଭାବୁଛି।” କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ।
ଗଙ୍ଗା, ଯମୁନା, ସରସ୍ୱତୀଙ୍କ ମିଳନ ହୋଇଛି
“ମୋର ଗୋଟେ ବଡ ଉପଲବ୍ଧି ଯେଉଁମାନେ ଖଣ୍ଡପଡ଼ାରେ ପରସ୍ପର ବିରୋଧରେ ଲଢ଼ୁଥିଲେ। ଦଳ ଭିତରେ ରହି କନ୍ଦଳ କରୁଥିଲେ। ମୁଁ ବାହାରେ ରହି ଲଢ଼ୁଥିଲି ଏବଂ ପରେ ଦଳରେ ମିଶିଲି। ଅର୍ଥାତ ଆମେ ତିନି ଦଳ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଯେଉଁମାନେ ଏଥର ନିର୍ବାଚନରେ ଏକାଠି ଲଢ଼ୁଛନ୍ତି। ଅର୍ଥାତ ଏଥର ଗଙ୍ଗା, ଯମୁନା, ସରସ୍ୱତୀଙ୍କ ଅପୁର୍ବ ମିଳନ ହୋଇଛି।” ଓଡ଼ିଶାଲାଇଭ ଟିମ୍ ସହ ଆଲୋଚନା ବେଳେ ଏହା କହିଛନ୍ତି ସୌମ୍ୟରଞ୍ଜନ।
ହାଇଟେକ ଯୁଗରେ ହାଇଟେକ ପ୍ରଚାର ହେବା ଦରକାର। ବିଜୁ ଜନତା ଦଳ ବହୁ ସଂଖ୍ୟାରେ ନିର୍ବାଚନ ଜିତିବ ବୋଲି ସେ କହିଛନ୍ତି। ତେବେ ଏହି ଆସନ କାହା ପାଖକୁ ଯାଉଛି ତାହା କେବଳ ଖଣ୍ଡପଡ଼ାବାସୀ ନୁହଁ ବରଂ ସାରା ରାଜ୍ୟର ଫୋକସରେ ରହିଛି। ଯାହା ସ୍ପଷ୍ଟ ହେବ ମେ ୨୩ରେ।








