ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି ପିପିଲି ପୋଲିସ। ଗତକାଲି ବିଳମ୍ବିତ ରାତିରେ ଯେତେବେଳେ ଫ୍ଲାଇଂସ୍କ୍ୱାଡ ଟିମ୍ ମହାରଥୀଙ୍କ ଫାର୍ମହାଉସ ଉପରେ ଚଢ଼ାଉ କରିଥିଲେ, ସେତେବେଳେ ମାଜିଷ୍ଟ୍ରେଟଙ୍କ ସହିତ ପୋଲିସ ଉପରେ ଆକ୍ରମଣ କରାଯାଇଥିଲା।

ଏହି ଆକ୍ରମଣରେ ମାଜିଷ୍ଟ୍ରେଟଙ୍କ ସହିତ ସ୍ଥାନୀୟ IIC ଓ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ଏହାପରେ ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମାଜିଷ୍ଟ୍ରେଟ ସିଧାସଳଖ ପ୍ରଦୀପ ମହାରଥୀଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ସମ୍ପୂର୍ଣ୍ଣ ଘଟଣା ବାବଦରେ କହିଥିଲେ। ଯାହାପରେ ତଦନ୍ତ ଆରମ୍ଭ କରିଥିଲା ପୁରୀ ପୋଲିସ। ଏସପି ଓ ଜିଲ୍ଲାପାଳ ମଧ୍ୟ ତଦନ୍ତ ଆରମ୍ଭ କରିଥିଲେ।

ତଦନ୍ତ ପରେ ପ୍ରଦୀପ ମହାରଥୀଙ୍କୁ ଥାନାରେ ପଚରାଉଚରା ଆରମ୍ଭ କରାଯାଇଥିଲା। ପଚରାଉଚରାର କିଛି ସମୟରେ ମଧ୍ୟରେ ପୋଲିସ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି।

ଗିରଫ ନେଇ  ପୁରୀ ଏସପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଏହାପରେ ପିପିଲି ଥାନା ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଥାନା ପରିସରେ ପ୍ରଦୀପ ମହାରଥୀ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଛି। କିଛି ସମୟ ମଧ୍ୟରେ ପୁରୀ ଏସପି ଏନେଇ ସମ୍ପୂର୍ଣ୍ଣ ପ୍ରତିକ୍ରିୟା ଦେବା ନେଇ ସୂଚନା ମିଳିଛି।

ମହାରଥୀଙ୍କ ବିରୋଧରେ ଅନେକ ସଙ୍ଗୀନ ଦଫା ଲଗାଇଛି ପିପିଲି ପୋଲିସ। ଦଫା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯, ୧୭୧(ବି) ୧୮୬ ଏବଂ ଲୋକପ୍ରତିନିଧି ଆଇନ ୧୦୩ ଅନୁସାରେ ପ୍ରଦୀପଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

Comment