ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ମିଶନ ୧୨୦ ଆଦୌ ଅବାସ୍ତବ ନୁହେଁ।
‘‘ଓଡ଼ିଶାବାସୀ ଏଥର ମନ ସ୍ଥିର କରିଛନ୍ତି। ଖଣି ମାଫିଆ ଏବଂ ଚିଟଫଣ୍ଡ ଲୁଟେରାଙ୍କ ସହ ଜଡ଼ିତ ଦଳକୁ ଭୋଟ ଦେବେ ନାହିଁ। ନୂଆ ଓଡ଼ିଶା ନିର୍ମାଣ ପାଇଁ ଯୁବକମାନେ ଆଗକୁ ଆସିଛନ୍ତି। ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ ଯୋଜନାକୁ ଲୋକେ ଗ୍ରହଣ କରୁଛନ୍ତି। ଏଥର ବିଜେପି ସରକାର ସୁନିଶ୍ଚିତ’’, ଓଡ଼ିଶାଲାଇଭକୁ କହିଛନ୍ତି ପ୍ରତାପ ଷଡ଼ଙ୍ଗୀ।
ବାଲେଶ୍ୱର ଲୋକସଭା ଆସନରେ ଜୋରଦାର ଫାଇଟ ଚାଲିଛି। ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ। ଏଥର ସେ ନିଶ୍ଚିତ ଜିତିବେ ବୋଲି ଦୃଢ଼ ଆଶାବାଦୀ ଅଛନ୍ତି।
ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ‘‘ମୋ’ ବିରୋଧରେ ଯେଉଁ ଦୁଇ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ସେମାନେ ଅର୍ଥ ବଳରେ ବଳିଆନ। ଜଣେ ବାଲେଶ୍ୱରର ପୁଅ ହୋଇ ନଥିବା ବେଳେ ଆଉ ଜଣେ ଚିଟଫଣ୍ଡ ସଂସ୍ଥା ସହ ଜଡ଼ିତ। ଲୋକେ ତାଙ୍କୁ ଗ୍ରହଣ କରିବେନି। ଆମେ ଲୋକଙ୍କ ହୃଦୟରେ ରହିଛୁ। ନିଶ୍ଚିତ ଭୋଟ ପାଇବୁ।’’
ବିଜେପିର ମିଶନ ୧୨୦ ସମ୍ପର୍କରେ ସେ କହିଛନ୍ତି ଯେ ଏହା ଆଦୌ ଅବାସ୍ତବ ନୁହେଁ। ୧୨୦ରୁ ଅଧିକ ବିଧାନସଭା ଆସନରେ ବିଜେପି ଜିତିବ। ଅଧିକ ଲୋକସଭା ଆସନ ବି ଦଖଲ କରିବ। ଦୀପ ଲିଭିବା ଆଗରୁ ଜୋରରେ ଜଳେ। ୧୯ ବର୍ଷ ଧରି ଶାସନ ଗାଦିରେ ଥିବା ବିଜେଡିର ଅବସ୍ଥା ଏବେ ସେହିଭଳି ବୋଲି କହିଛନ୍ତି ପ୍ରତାପ।
‘‘ଏଥର ଡବଲ ଇଞ୍ଜିନର ସରକାର ଗଠନ ହେବ। ଓଡ଼ିଶା ଏବଂ କେନ୍ଦ୍ରରେ ବିଜେପି ସରକାରକୁ ଆସିବ। କେନ୍ଦ୍ରର ଯୋଜନା ଓଡ଼ିଶାରେ ଠିକରେ ଲାଗୁ ହୋଇପାରୁ ନାହିଁ। ଓଡ଼ିଶାବାସୀ ଆୟୁଷ୍ମାନ ଭାରତ ଏବଂ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ ପାଇପାରୁ ନାହାନ୍ତି। ଓଡ଼ିଶାରେ ବିଜେପି ସରକାର ହେଲେ ଏହାର ଲାଭ ମିଳିବ’’, ଓଡ଼ିଶାଲାଇଭକୁ କହିଛନ୍ତି ପ୍ରତାପ।


















