ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଉତ୍ତରପ୍ରଦେଶର ବାରଣାସୀରୁ ରାହୁଲଙ୍କ ଭଉଣୀ ତଥା କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ନିର୍ବାଚନ ନ ଲଢିବାନେଇ ପ୍ରଥମ ଥର ଲାଗି ପ୍ରତିକ୍ରିୟା ଦେଇଛନ୍ତି। ପ୍ରିୟଙ୍କା କହିଛନ୍ତି, “ମୋ କାନ୍ଧରେ ପୂରା ଉତ୍ତର ପ୍ରଦେଶ ପ୍ରଚାରର ଦାୟିତ୍ୱ ଅଛି। ଗୋଟିଏ ନୁହଁ, କଂଗ୍ରେସକୁ ୪୧ ସିଟରେ ଜିତାଇବା ମୋର ଦାୟିତ୍ୱ। ମୁଁ ଯଦି ପ୍ରାର୍ଥୀ ହୋଇଥାନ୍ତି ତାହାଲେ ଅନ୍ୟ ନିର୍ବାଚନମଣ୍ଡଳୀ ପାଇଁ ପ୍ରଚାର କରିବାକୁ ସମୟ ପାଇ ନଥାନ୍ତି।”
ମାର୍ଚ୍ଚ ୨୮ରେ ଯେତେବେଳେ ପ୍ରିୟଙ୍କା ମା’ ସୋନିଆଙ୍କ ଲାଗି ରାୟବରେଲି ପ୍ରଚାର ଲାଗି ଯାଇଥିଲେ ସେତେବେଳେ ଦଳର କର୍ମକର୍ତ୍ତା ସେଠାରୁ ନିର୍ବାଚନ ଲଢ଼ିବା ପାଇଁ ତାଙ୍କୁ କହିଥିଲେ। ଏହାର ଉତ୍ତରରେ ପ୍ରିୟଙ୍କା କହିଥିଲେ, “ବାରଣାସୀରୁ ଲଢ଼ିଲେ କେମିତି ହେବ?”
ଏହାପରେ ଲଗାତର ଗଣମାଧ୍ୟମରେ ଖବର ପ୍ରସାରଣ ହେଲା ଯେ ଏଥର ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ କଂଗ୍ରେସ ପ୍ରିୟଙ୍କା ଗାନ୍ଧିଙ୍କୁ ଟିକେଟ ଦେବ।
ପ୍ରିୟଙ୍କା କହିଥିଲେ, ‘‘ଯଦି ଦଳ ଟିକେଟ ଦିଏ ତେବେ ମୁଁ ନିର୍ବାଚନ ଲଢ଼ିବା ଲାଗି ପ୍ରସ୍ତୁତ ଅଛି’’। ଏପିରିକି ପ୍ରିୟଙ୍କାଙ୍କ ସ୍ୱାମୀ ରବର୍ଟ ଭଦ୍ରା ମଧ୍ୟ ଏ ନେଇ ସଙ୍କେତ ଦେଇସାରିଥିଲେ।
ମାତ୍ର ଦଳ ସେମିତି କିଛି ଘୋଷଣ କରିନଥିଲା। ଦଳ ମୋଦିଙ୍କ ବିପକ୍ଷରେ ଅଜୟ ରାୟଙ୍କୁ ପ୍ରାର୍ଥୀ କରିଛି। ଦେଶର ଭିଭିଆଇପି ଆସନ ହେଉଛି ବାରଣାସୀ। କାରଣ ଏଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢ଼ୁଛନ୍ତି।
୨୦୧୪ରେ ମୋଦି ଏହି ଆସନରୁ ଜିତି ସଂସଦ ଯାଇଥିଲେ। ୨୦୧୯ରେ ବି ମୋଦି ଏଠାରୁ ହିଁ ଦ୍ୱିତୀୟ ଥର ଲାଗି ନିର୍ବାଚନ ଲଢ଼ୁଛନ୍ତି।


















