ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାଟକୁରା ନିର୍ବାଚନମଣ୍ଡଳୀ ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ବେଦପ୍ରକାଶ ଅଗ୍ରୱାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲ। ସାବିତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଜେଡି ସୋମବାର ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା।

ମେ’୧୯ରେ ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ସାବିତ୍ରୀ ଅଗ୍ରୱାଲ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବିପକ୍ଷରେ ଲଢ଼ିବେ।

ପୂର୍ବରୁ ପାଟକୁରା ବିଧାନସଭା ଆସନ ପାଇଁ ବିଜେଡି ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପ୍ରାର୍ଥୀ କରିଥିଲା ବିଜୟ ମହାପାତ୍ରଙ୍କୁ। ବିଜୟ ଏବଂ ବେଦପ୍ରକାଶ ପ୍ରାର୍ଥିପତ୍ର ଦାଖଲ କରି ପ୍ରଚାର ଆରମ୍ଭ କରିଦେଇଥିଲେ। ହେଲେ ନିର୍ବାଚନ ଯୁଦ୍ଧ ପୂର୍ବରୁ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ବେଦପ୍ରକାଶ।

ଗତ ୨୦ ତାରିଖରେ ବେଦପ୍ରକାଶ ଆରପାରିକୁ ଚାଲି ଯାଇଥିଲେ। ଫଳରେ ନିର୍ବାଚନ ସ୍ଥଗିତ ହୋଇଥିଲା ଏହି ନିର୍ବାଚନମଣ୍ଡଳୀରେ। ପାଟକୁରାରେ ମେ’୧୯ରେ ନିର୍ବାଚନ ହେବ ବୋଲି ନିର୍ବାଚନ ଅଧିକାରୀ ଘୋଷଣା ହେବା ପରେ ବିଜେଡି ଟିକେଟ କିଏ ନେବ ତାକୁ ନେଇ ଚର୍ଚ୍ଚା ବଢ଼ିଥିଲା।

ବେଦପ୍ରକାଶଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ଟିକେଟ ରେସରେ ଆଗରେ ରହିଥିଲେ। ସୁଯୋଗ ମିଳିଲେ ସେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ବୋଲି ସଞ୍ଜୟ ଗଣମାଧ୍ୟମରେ କହିଥିଲେ। ହେଲେ ଶେଷରେ ପୁଅ ସଞ୍ଜୟଙ୍କୁ ପ୍ରାର୍ଥୀ ନକରି ବେଦପ୍ରକାଶଙ୍କ ସ୍ତ୍ରୀ ସାବିତ୍ରୀଙ୍କୁ ଟିକେଟ ଦେଇଥିଲା ବିଜେଡି।

Comment