ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆସନ୍ତାକାଲି ବାହାରିବ ୨୦୧୯ର ବଡ଼ ପରୀକ୍ଷା ଫଳ। କିଏ ସରକାର ଗଢ଼ିବ ଏବଂ କିଏ ବିରୋଧୀ ଆସନରେ ବସିବ ତାକୁ ନେଇ ତର୍ଜମା ଚାଲିଥିବା ବେଳେ ଓଡ଼ିଶାରେ କଂଗ୍ରେସର ଭାଗ୍ୟ କ’ଣ ହେବ ତା’ ଉପରେ ସମସ୍ତଙ୍କ ନଜର ରହିଛି।
ନିର୍ବାଚନ ଫଳାଫଳ ଆସିବାର ଦିନକ ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦମ୍ଭୋକ୍ତି ଦେଖାଇଛନ୍ତି। ‘‘୨୦୧୪ ତୁଳନାରେ ଏଥର କଂଗ୍ରେସ ଭଲ ପ୍ରଦର୍ଶନ କରିବ’’ – ନିରଞ୍ଜନ ଏହା କହିବା ପରେ କଂଗ୍ରେସ ଭୋଟରଙ୍କ ମହଲରେ ଆଲୋଚନା ଚାଲିଛି ଯେ ବାସ୍ତବରେ ଏହି ଦଳ କେତେ ଆସନ ପାଇବ?
୨୦୦୯ ଆସନରେ କଂଗ୍ରେସ ୨୭ଟି ବିଧାନସଭା ଆସନ ପାଇଥିବା ବେଳେ ୬ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା। କାମାକ୍ଷା ପ୍ରସାଦ ସିଂହଦେଓଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିଥିଲା। ହେଲେ ଆଶାନୂରୂପ ଫଳ ପାଇ ନଥିଲା କଂଗ୍ରେସ।
୨୦୧୪ ନିର୍ବାଚନ ବେଳେ କଂଗ୍ରେସର ପିସିସି ସଭାପତି ବଦଳିଥିଲେ। ଜୟଦେବ ଜେନାଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିଥିଲା। ହେଲେ ୨୦୦୯ ତୁଳନାରେ କଂଗ୍ରେସର ଆସନ ସଂଖ୍ୟା କମିଯାଇଥିଲା। କଂଗ୍ରେସକୁ ମାତ୍ର ୧୬ଟି ବିଧାନସଭା ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ୨୦୦୯ରେ ୬ ଲୋକସଭା ଆସନ ପାଇଥିବା କଂଗ୍ରେସ ୨୦୧୪ରେ ଗୋଟିଏ ଆସନରେ ଖାତା ଖୋଲିବାକୁ ସମର୍ଥ ହୋଇ ନଥିଲା।
୨୦୧୯ ନିର୍ବାଚନ ଶେଷ ହୋଇଛି। ଆସନ୍ତାକାଲି ନିର୍ବାଚନ ଫଳ ବାହାରିବ। ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଲଢ଼ିଥିବା ଏହି ଜାତୀୟ ଦଳ କେତେ ଆସନ ପାଇବ ତା’ ଉପରେ ସମସ୍ତଙ୍କ ନଜର ରହିଛି।
ସବୁଠୁ ବଡ଼ କଥା ହେଉଛି କଂଗ୍ରେସ ଗତ ୧୯ ବର୍ଷ ହେଲା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ଆସନରେ ବସି ଆସିଛି। ଯେତେ ଥର ନିର୍ବାଚନ ଆସିଛି ସେତେଥର ବିଜେଡିକୁ ପରାଜିତ କରିବା ପାଇଁ କଂଗ୍ରେସ ଯୋଜନା କରିଛି। ହେଲେ ଫଳପ୍ରଦ ହୋଇନି ଏହି ଜାତୀୟ ଦଳ।
୧୮ ବର୍ଷର ଶାସନ କାଳ ଭିତରେ ଚଳିତ ନିର୍ବାଚନରେ ବିଜେଡି ସରକାର ବିରୋଧରେ ହାଓ୍ୱା ବହୁଥିଲା। ଏହି ହାଓ୍ୱାରୁ ଯଦି କଂଗ୍ରେସ ଫାଇଦା ନେଇ ନପାରିଲା ତାହାଲେ ଆଉେ କେବେ ନେବ ବୋଲି ଭୋଟରଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଦୁଇ ନମ୍ବର ସ୍ଥାନରୁ କଂଗ୍ରେସ ଯଦି ଏଥର ତୃତୀୟ ସ୍ଥାନକୁ ଖସିଲା ତାହାଲେ ବୁଝିବାକୁ ହେବ ଯେ ଓଡ଼ିଶାରେ ଏହି ଜାତିୀୟ ଦଳର ସ୍ଥିତି ଭଲ ନାହିଁ। କଂଗ୍ରେସ ଉପରେ ଓଡ଼ିଶା ଭୋଟର ଆସ୍ଥା ପ୍ରକଟ କରିପାରି ନାହାନ୍ତି।


















