ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
“ମୁଁ ବର୍ତ୍ତମାନରେ ରୁହେ କେବେ ବି ଭବିଷ୍ୟତ ଚିନ୍ତା କରେନାହିଁ। ଅଗ୍ରଣୀ ନେତାମାନଙ୍କର ଯାହା ଆଦେଶ ରହିବ ତାହାକୁ ମାନିବାକୁ ହେବ। ଆଗାମୀ ଦିନରେ ଭୁବନେଶ୍ଵରର ପୁନର୍ଜନ୍ମ ହେବ।”
ସରିଛି ୨୦୧୯ ସାଧାରଣ ନିର୍ବାଚନ। ଜନତାଙ୍କୁ ମିଳିସାରିଛି ସେମାନଙ୍କ ନେତା। ତେବେ ଓଡ଼ିଶାରେ ୨୧ ଲୋକସଭାରୁ ବିଜେପି ୮ଟିରେ ବିଜୟ ହୋଇଛି। ଏହି ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଅଧିକ ଯାହାଙ୍କ ନାଁକୁ ନେଇ ଚର୍ଚ୍ଚା ସେ ହେଉଛନ୍ତି ଭୁବନେଶ୍ଵର ଲୋକସଭା ଆସନରୁ ବିଜୟ ହୋଇଥିବା ଅପରାଜିତା ଷଡଙ୍ଗୀ।
ଅପରାଜିତା ସାଂସଦ ଭାବେ ବିଜୟ ହେବାପରେ ନିଜ ପ୍ରତିକ୍ରିୟା ଓଡ଼ିଶାଲାଇଭକୁ ଦେଇଛନ୍ତି। ସେ ଭୁବନେଶ୍ଵରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ଭୁବନେଶ୍ଵର ଲୋକମାନଙ୍କ ସହ ମୋର ଭାବନାତ୍ମକ ସମ୍ପର୍କ ଅଛି। ଏଠାକାର ଲୋକଙ୍କ ସହ ଭଲ ସମ୍ବନ୍ଧ ଅଛି। ଏତେ ସ୍ନେହ ଶ୍ରଦ୍ଧା , ଭଲପାଇବା ମଳିବ କେବେ ମୁଁ ଭାବିନଥିଲା। ଲୋକଙ୍କ ଭଲପାଇବା ଦେଖି ମୁଁ ବହୁତ ଖୁସି ଅଛି।”
ଏହାସହିତ ବିଧାନସଭା ଓ ଲୋକସଭାରେ ବିଜେପିର ପ୍ରଦର୍ଶନକୁ ନେଇ ସେ କହିଛନ୍ତି, “ବିଜେପି ଲୋକସଭାରେ ଭଲ କରିଛି, ମାତ୍ର ବିଧାନସଭାରେ ସେତେ ଭଲ କରିପାରିନାହିଁ।”
ଏହା ସହିତ ସେ କହିଛନ୍ତି, “ସମସ୍ତେ ବହୁତ ଭଲକାମ କରିଥିଲେ କାହିଁକି ଦଳ ଏତେ ଭଲପ୍ରଦର୍ଶନ କରିନାହିଁ, ଆମର କେଉଁଠି ତ୍ରୁଟି ରହିଯାଇଛି। ଆଗାମୀଦିନରେ ଏହି ତ୍ରୁଟିକୁ ପରଖି ଏହାର ସମୀକ୍ଷା କରିବୁ। ଆଗାମି ଦିନରେ ଭାରତୀୟ ଜନତା ପାର୍ଟି ସୁଦୃଢ ଓ ସଶକ୍ତ ହେବ।”








