ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
ବିଜେଡି ସଂସଦୀୟ ଦଳ ନେତା ପଦ ପାଇଁ ଚର୍ଚ୍ଚାରେ ପିନାକୀ ମିଶ୍ର ଏବଂ ଭର୍ତ୍ତୃହରି ମହତାବଙ୍କ ନାଁ।
ବିଜେଡି ବିଧାୟକ ଦଳ ବୈଠକରେ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ନେତା ଭାବେ ଚୟନ ହେବା ପରେ ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା କିଏ ହେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।
ପୁରୀ ସାଂସଦ ପିନାକୀ ମିଶ୍ର ନା କଟକ ସାଂସଦ ଭର୍ତ୍ତୃହରି ମହତାବ ଏଥର ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ହେବେ ତା’ ଉପରେ ନଜର ରହିଛି।
୨୦୧୪ରେ ବିଜୁ ଜନତା ଦଳ ୨୧ ଲୋକସଭା ଆସନରୁ ୨୦ଟିରେ ବିଜୟୀ ହୋଇଥିଲା। ଫଳରେ କଟକ ଲୋକସଭା ଆସନରୁ ପାଞ୍ଚ ପାଞ୍ଚ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଅଭିଜ୍ଞ ଭର୍ତ୍ତୃହରିଙ୍କୁ ବିଜେଡି ସଂସଦୀୟ ଦଳ ନେତା କରିଥିଲେ ନବୀନ।
ତଥାଗତ ଏବଂ କଳିକେଶ ସିଂହଦେଓଙ୍କୁ ସଂସଦୀୟ ଦଳର ମୁଖପାତ୍ର କରିଥିଲେ ନବୀନ। ହେଲେ ଏଥର ନବୀନ କାହାକୁ ଲୋକସଭାରେ ନେତା ଏବଂ ମୁଖପାତ୍ର ଭାବେ ଦାୟିତ୍ୱ ଦେବେ ତାହା ହିଁ ରାଜନୀତି କରିଡରରେ ଚର୍ଚ୍ଚାର ବିଷୟ ହୋଇଛି।
ଏଥର ବିଜେଡି ୨୧ଟି ଲୋକସଭା ଆସନରୁ ୧୨ଟି ଅକ୍ତିଆର କରିଛି। ସେଥିମଧ୍ୟରୁ ୭ ନୂଆ ମୁହଁ ହୋଇଥିବା ବେଳେ ପାଞ୍ଚ ହେଉଛନ୍ତି ପୁରୁଣା। ଏଥର ପାଞ୍ଚ ଜଣ ମହିଳା ମଧ୍ୟ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।
ଚନ୍ଦ୍ରଶେଖର ସାହୁ ବିଜେଡି ଟିକେଟରେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ସତ, ହେଲେ ପୂର୍ବରୁ ସେ କଂଗ୍ରେସ ଟିକେଟରେ ଲୋକସଭାକୁ ଯାଇ ଅଭିଜ୍ଞତା ହାସଲ କରିଛନ୍ତି। ସେହିପରି ଅଚ୍ୟୁତ ସାମନ୍ତଙ୍କ ପାଇଁ ଲୋକସଭା ନୂଆ, କିନ୍ତୁ ରାଜ୍ୟସଭାରେ ତାଙ୍କର ଅଭିଜ୍ଞତା ରହିଛି। ଭର୍ତ୍ତୃହରି ଏବଂ ପିନାକୀ ହେଉଛନ୍ତି ବିଜେଡିର ପୁରୁଣା ମୁହଁ।
ଭର୍ତ୍ତୃହରି କଟକ ଲୋକସଭା ଆସନରୁ ବିଜେଡି ଟିକେଟରେ ଲଗାତର ୬ ଥର ନିର୍ବାଚିତ ହୋଇଥିବା ବେଳେ ପିନାକୀ ବିଜେଡି ଟିକେଟରେ ଲଗାତର ତିନି ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଏହି ଦୁଇ ଜଣ ଅଭିଜ୍ଞ ସାଂସଦ ହୋଇଥିବାରୁ ଏମାନଙ୍କ ଭିତରୁ ଜଣଙ୍କୁ ଲୋକସଭାରେ ନେତା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।
୨୦୧୪ରେ ଭର୍ତ୍ତୃହରି ହୋଇଥିଲେ ବିଜେଡି ସଂସଦୀୟ ଦଳର ନେତା। ଏଥର ବି ଭର୍ତ୍ତୃହରି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ହେଲେ ଗତ ଥର ଅପେକ୍ଷା ତାଙ୍କର ଭୋଟ ହାର କମିଛି। ୨୦୧୪ରେ ଭର୍ତ୍ତୃହରି ୩ ଲକ୍ଷ ୬ ହଜାର ଭୋଟ ବ୍ୟବଧାନରେ ଜିତିଥିବା ବେଳେ ୨୦୧୯ରେ ଭର୍ତ୍ତୃହରି ୧ ଲକ୍ଷ ୨୧ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
ସେହିପରି ପିନାକୀ ମିଶ୍ର ମଧ୍ୟ ଏଥର ହାରୁ ହାରୁ ଜିତିଛନ୍ତି। ୨୦୧୪ରେ ପିନାକୀ ୨ ଲକ୍ଷ ୬୩ ହଜାର ଭୋଟ ବ୍ୟବଧାନରେ ଜିତିଥିବା ବେଳେ ଏଥର କିନ୍ତୁ ପିନାକୀ ଅଡୁଆରେ ପଡ଼ିଥିଲେ। ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ନେକ୍ ଟୁ ନେକ୍ ଫାଇଟ୍ କରିଥିଲେ ପିନାକୀ। ଫଳରେ ପିନାକୀ ମାତ୍ର ୧୧ ହଜାର ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଥିଲେ। ଏଣୁ ପିନାକୀ ସଂସଦୀୟ ଦଳର ନେତା ହୋଇପାରନ୍ତି ବୋଲି ଆଲୋଚନା ହେଉଛି।
ପିନାକୀଙ୍କଠାରୁ ଭର୍ତ୍ତୃହରି ଲୋକସଭାରେ ଅଭିଜ୍ଞ ହୋଇଥିଲେ ମଧ୍ୟ ତାଙ୍କ ଉପରେ ନବୀନଙ୍କ ଶିବିର ଖୁସ୍ ନଥିବାରୁ ସେ ଏଥର ନେତା ହୋଇ ନପାରନ୍ତି ବୋଲି କୁହାଯାଉଛି।
୨୦୧୪ରେ ଭର୍ତ୍ତୃହରି ବିଜେଡି ସଂସଦୀୟ ଦଳର ନେତା ରହିଥିବା ବେଳେ ନବୀନଙ୍କୁ ନିଜ ସମ୍ପାଦିତ ଖବରକାଗଜ ମାଧ୍ୟମରେ ତୀର୍ଯ୍ୟକ ସମାଲୋଚନା କରିଥିଲେ। ଏହାସହ ୨୦୧୯ରେ ବିଜେଡି-କଂଗ୍ରେସ ମେଣ୍ଟ ଅସମ୍ଭବ ନୁହେଁ କହି ଅଡୁଆରେ ପଡ଼ିଥିଲେ। ଏସବକୁ ଦୃଷ୍ଟିରେ ରଖି ଭର୍ତ୍ତୃହରି ସଂସଦୀୟ ଦଳ ନେତା ଦୌଡ଼ରୁ ବାଦ୍ ପଡ଼ି ପାରନ୍ତି ବୋଲି କୁହାଯାଉଛି।
ସେହିପରି ବିଜେଡି ସଂସଦୀୟ ଦଳର ମୁଖପାତ୍ର ଭାବେ ଚନ୍ଦ୍ରଶେଖର ସାହୁ ଏବଂ ଅନୁଭବ ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଏହାସହ ୫ ଜଣ ମହିଳା ନିର୍ବାଚିତ ହୋଇଥିବାରୁ ସେମାନଙ୍କ ମଧ୍ୟରୁ ଜଣକୁ କୌଣସି ଦାୟିତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।








ବିଜେଡି ସଂସଦୀୟ ଦଳ ନେତା ପଦ ପାଇଁ ଚର୍ଚ୍ଚାରେ ପିନାକୀ ମିଶ୍ର ଏବଂ ଭର୍ତ୍ତୃହରି ମହତାବଙ୍କ ନାଁ।