ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
‘‘ଆମେ ସମସ୍ତେ ପରିବର୍ତ୍ତନ ଉପରେ ଧ୍ୟାନ ଦେବା ଦରକାର। ନୂଆ ଓଡ଼ିଶା ଗଠନ ପାଇଁ ସମସ୍ତେ ଉଦ୍ୟମ କରିବା ଦରକାର। ଫଳରେ ଏକ ସଶକ୍ତ ଓଡ଼ିଶା ଗଠନ ସମ୍ଭବ ହୋଇପାରିବ’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଆଜି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନବୀନ ପଟ୍ଟନାୟକ। ନୂଆ ମନ୍ତ୍ରିମଣ୍ଡଳରେ ନବୀନଙ୍କୁ ମିଶାଇ ୨୧ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି। ନୂଆ ମନ୍ତ୍ରୀମାନେ ଶପଥ ନେବା ପରେ ସଚିବାଳୟରେ ବସିଥିଲା ପ୍ରଥମ ମନ୍ତ୍ରୀ ପରିଷଦ ବୈଠକ। ଏହି ବୈଠକରେ ଓଡ଼ିଶାର ବିକାଶ ପାଇଁ ନିଷ୍ଠାର ସହ କାମ କରିବାକୁ ମନ୍ତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ ନବୀନ।
‘‘ଓଡ଼ିଶାର ସାଢ଼େ ୪ କୋଟି ଜନସାଧାରଣ ସେବା କରିବା ପାଇଁ ପୁଣିଥରେ ସୁଯୋଗ ଦେଇଛନ୍ତି। ଲୋକଙ୍କର ଏହି ବିଶ୍ୱାସ ଓ ଭରସା ପାଇଁ ମୁଁ ସେମାନଙ୍କ ପାଖରେ ଚିର ଋଣୀ’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ଟି ମନ୍ତ୍ର ଟିମ୍ ୱାର୍କ, ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେଇଥିଲେ। ଏହାସହ ନିର୍ବାଚନ ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହାକୁ ପୂରରୟଣ କରିବା ପାଇଁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।
‘‘ଆମେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେ ମାତ୍ରାରେ ପୂରଣ କରିଛୁ ତାହା ଠିକ୍ ବର୍ଷକ ପରେ ଆମେ ହିସାବ ଦେବୁ। ୨୦୨୦ ମେ’ ୨୯ ତାରିଖରେ ଆମେ କେତେ ପ୍ରତିଶ୍ରୁତି ପୂରଣ କରିଛୁ ତାହା ଅବଗତ କରିବୁ। ମୁଁ ଜାଣେ କେତେକ ପ୍ରତିଶ୍ରୁତି ପାଳନ କରିବା ପାଇଁ ସମୟ ଲାଗେ। ହେଲେ ଆମ ମନ୍ତ୍ରୀ ପରିଷଦର ସଦସ୍ୟମାନେ ପ୍ରତିଶ୍ରୁତିଗୁଡ଼ିକର ସଫଳ ରୂପାୟନ ପାଇଁ ନିଜର ଶ୍ରେଷ୍ଠ ଉଦ୍ୟମ କରନ୍ତୁ’’, କହିଛନ୍ତି ନବୀନ ପଟ୍ଟନାୟକ।


















